ଶ୍ରମିକ ଟ୍ରେନ୍ ପାଇଁ ଏବେ ଜରୁରୀ ନୁହେଁ ରାଜ୍ୟର ଅନୁମତି, ଗୃହ ମନ୍ତ୍ରଣାଳୟ ଜାରି କଲା ନୂତନ ନିୟମ

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯।୦୫: ରେଲଓ୍ଵେ ସ୍ପଷ୍ଟ କରିଛି, ଲକ୍‌ଡାଉନ୍‌ କାରଣରୁ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଚଳ ପାଇଁ ଆଉ ରାଜ୍ୟର ଅନୁମତି ନେବା ଆବଶ୍ୟକ ନାହିଁ। ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଚଳ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏହା ପରେ ଏବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଥିବା ଟ୍ରେନ୍‌ର ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ଅନୁମତି ନେବାର ଆବଶ୍ୟକତା ନାହିଁ।

ରେଲଓ୍ଵେ ମୁଖପାତ୍ର, ରାଜେଶ ବାଜେପୟୀ କହିଛନ୍ତି, ଶ୍ରମିକ ସ୍ପେଶାଲ ଟ୍ରେନ୍‌ର ଚଳାଚଳ ପାଇଁ ଗନ୍ତବ୍ୟ ରାଜ୍ୟର ଅନୁମତି ଲୋଡା ନାହିଁ। ନୂତନ ଏସଓପି ପରେ ସ୍ପଷ୍ଟ ହୋଇଛି ଯେ, ଯେଉଁଠି ଟ୍ରେନ୍‌ର ଯାତ୍ରା ଶେଷ ହେବ ସେଠାକାର ରାଜ୍ୟର ଅନୁମତି ନେବା ଦରକାର ନାହିଁ। ସଂଶୋଧିତ ଏସଓପି ଅନୁଯାୟୀ ଗନ୍ତବ୍ୟ ଓ ଅଟକୁଥିବା ଷ୍ଟେସନ୍‌ ସମେତ ଟ୍ରେନ୍‌ର ସମୟ ସାରେଣୀ ଉପରେ ଅନ୍ତିମ ନିର୍ଣ୍ଣୟ ଏବେ କେବଳ ରେଳ ମନ୍ତ୍ରଣାଳୟ ନେବ। ଏହାର ସୂଚନା ରେଲଓ୍ଵେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଦେବ, ଯଦ୍ଵାରା ଫସି ଥିବା ଶ୍ରମିକଙ୍କୁ ପଠାଇବା କିମ୍ବା ଆଣିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇ ପାରିବ।

ରେଲଓ୍ଵେ ସହ ସମନ୍ଵୟ ରଖନ୍ତୁ ରାଜ୍ୟ

କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରବାସୀ ଶ୍ରମଜୀବୀଙ୍କୁ ନେବା ଆଣିବା ପାଇଁ ରେଲଓ୍ଵେ ସହିତ ସମନ୍ଵୟ ରଖି ସ୍ଵତନ୍ତ୍ର ରେଳ ଗାଡି ଚଳାଇବାକୁ କହିଛନ୍ତି। ଏହା ସହିତ ମହିଳା, ଶିଶୁ ଏବଂ ବୃଦ୍ଧଙ୍କ ଉପରେ ବିଶେଷ ଦୃଷ୍ଟି ଦିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.