ଖୋର୍ଦ୍ଧା ପାଇଁ ସ୍ୱତନ୍ତ୍ର ରଣନୀତି : ସ୍ୱତନ୍ତ୍ର ଟିମ୍ ୨୪ ଘଣ୍ଟା ଆଲର୍ଟ , ଟୋଲ୍ ଫ୍ରି ନମ୍ବରକୁ କରାଯିବ ଅଧିକ କ୍ରିୟାଶୀଳ

Published By : Prameya-News7 Bureau | September 05, 2020 IST

ଭୁବନେଶ୍ୱର ୦୫।୦୯: ଖୋର୍ଦ୍ଧା ଜିଲ୍ଲାରେ ବିଗୁଡୁଛି କରୋନା ସ୍ଥିତି । ମୁକାବିଲା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ । ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଛୁଇଁବ। ପ୍ରତ୍ୟେକ ଦିନ ରାଜ୍ୟର ରେକର୍ଡ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଖୋର୍ଦ୍ଧାରେ ସର୍ବାଧିକ ୭୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହି ରେକର୍ଡ ଭାଙ୍ଗିଛି। ୮୫୯ ରୋଗୀ ଚିହ୍ନଟ ହେବା ସହ ଏକ ନୂଆ ରେକର୍ଡ ହୋଇଛି। ଏହାସହ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୭୪୦ରେ ପହଞ୍ଚିଛି। ଏବେ ଏହା ୨୦ ହଜାର ପାର୍ କରିବା ନେଇ ସ୍ପଷ୍ଟ ହୋଇଯାଇଛି।

ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଥମେ ୫ ହଜାର, ୧୦ ହଜାର ଓ ୧୫ ହଜାର ସଂଖ୍ୟାକୁ ଅତିକ୍ରମ କରିଥିବା ବେଳେ ୨୦ ହଜାର ସଂଖ୍ୟାକୁ ଅତିକ୍ରମ କରିବାରେ ଖୋର୍ଦ୍ଧା  ପ୍ରଥମ ଜିଲ୍ଲା ପାଲଟିବ। ସେପଟେ ଗଞ୍ଜାମରେ କରୋନା ସଂକ୍ରମଣ ଶହେ ତଳକୁ ଖସି ଆସିଛି । ଏକାଦା ଚିନ୍ତା ବଢ଼ାଉଥିବା ଗଞ୍ଜାମରେ ଗତ ମାସରୁ ସଂକ୍ରମଣ ଖସିବାକୁ ଆରମ୍ଭ କରିଥିବା ବେଳେ ଚଳିତ ମାସରେ ଏହା ଦ୍ରୁତ ଗତିରେ ହ୍ରାସ ପାଇଛି।

ଖୋର୍ଦ୍ଧା ଜିଲ୍ଲାରେ  ବଢୁଥିବା କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ କାମ କରୁଥିବା  ଦୁଇଟି ଟୋଲ୍ ଫ୍ରି ନମ୍ବରକୁ ଅଧିକ କ୍ରିୟାଶୀଳ କରିବା ଲାଗି ନିଷ୍ପତ୍ତି ହୋଇଛି। ଗୁରୁତର ସଂକ୍ରମିତଙ୍କ ପାଇଁ ୨୪ X ୭ କାମ କରିବ ବିଏମସି  ହେଲ୍ପ ଲାଇନ । ରାଜଧାନୀରେ ହୋମ ଆଇସୋଲେସନରେ  ରହୁଥିବା ଆକ୍ରାନ୍ତ  ଗୁରୁତର ହେଲେ ତୁରନ୍ତ ୧୯୨୯ ହେଲ୍ପ ଲାଇନକୁ କଲ କରିପାରିବେ ।

ଏହା ପରେ ସେମାନଙ୍କୁ କୋଭିଡ ହସପିଟାଲକୁ  ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରାଯିବ। ଏଥି ପାଇଁ  ସ୍ବତନ୍ତ ଟିମ ୨୪ ଘଣ୍ଟିଆ ଆଲର୍ଟ ରହିବ । ଯେଉଁ ଟିମରେ ଜଣେ ଡାକ୍ତର, ଏଏସଓ, ଡିଇଓ ରହିବେ। ସେପଟେ ଅନଲକ ୪ ପରେ ଗାଡିମଟର ଚାଲିବା ସହ ଦୋକାନବଜାରରେ ଗହଳି ହେଉଛି । ରାଜଧାନୀରେ ଭିଡ ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ଜୋନରେ ତିନିଟି ଲେଖାଏଁ ଏନଫୋର୍ସମେଣ୍ଟ ଟିମ ସଜାଗ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.