Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସୋମବାର ଆସିବ ଫୁଲନ ଦେବୀଙ୍କ ବେହମୟୀ କାଣ୍ଡର ରାୟ, ଘଟଣାର ୩୯ ବର୍ଷ ପରେ କୋର୍ଟ ଦେବେ ନ୍ୟାୟ !

5/01/2020 at 8:47 PM

ନୂଆଦିଲ୍ଲୀ୫।୪:  ଉତ୍ତରପ୍ରଦେଶ ବେହମୟୀରେ ୧୪ ଫେବୃଆରୀ ୧୯୮୧ରେ ଘଟିଥିଲା ଲୋମହର୍ଷକ ଘଟଣା। ଦସ୍ୟୁରାଣୀ ଫୁଲନଦେବୀ ଓ ତାର ଡକାୟତ ଦଳ କାନପୁର ଗ୍ରାମାଞ୍ଚଳର ବେହମୟୀରେ ୨୦ ଜଣ ଲୋକଙ୍କୁ ଗୁଳିକରି ହତ୍ୟା କରିଥିଲେ। ଘଟଣାକୁ ୩୯ ବର୍ଷ ପୁରଣ ହେବାକୁ ଯାଉଥିବା ବେଳେ କୋର୍ଟ ଜାନୁୟାରୀ ୬ ତାରିଖ ସୋମବାର ଦିନ ରାୟ ଘୋଷଣା କରିବେ। ଏହି ସାମୂହିକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫୁଲନ ଦେବୀ ସମେତ ସମସ୍ତ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି। ତେବେ କୋର୍ଟଙ୍କ ରାୟ ମୃତକଙ୍କ ପରିବାର ଲାଗି ଆଶ୍ୱାସନ ହେବ ବୋଲି ଏବେ କୁହାଯାଉଛି।

ଫେବୃଆରୀ ୧୪ ତାରିଖର ଘଟଣା ନେଇ ରାଜାରାମ ସିଂହ ସିକନ୍ଦରା ଥାନାରେ ଏତଲା ଦେଇଥିଲେ। ଏଥିରେ ସେ ଚମ୍ବଲ ବିହଡର କୁଖ୍ୟାତ ମହିଳା ଡକାୟତ ଫୁଲନ ଦେବୀ ସମେତ ଗୋଷ୍ଠୀର ୩୫ ଜଣ ଡକାୟତଙ୍କ ବିରୋଧରେ ଲୋକଙ୍କୁ ହତ୍ୟା କରିଥିବାର ଅଭିଯୋଗ କରିଥିଲେ। ସେତେବେଳର ଏହି ଘଟଣା ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଗତ ୨୦୧୨ ମସିହାରେ ସ୍ପୋଶାଲ ଜଜ୍ ବ୍ୟାଣ୍ଡିଟ୍‌ଙ୍କ କୋର୍ଟରେ ଚାଲିଥିବା ଏହି ମାମଲାରେ ଡକୈତ ଫୁଲନ, ଭିଖା, ପୋଷା, ବିଶ୍ୱନାଥ, ଶ୍ୟାମ ବାବୁ ଓ ରାମ ସିଂହଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରିତ ହୋଇଥିଲା।

ହତ୍ୟାକାଣ୍ଡ ପରେ ମାମଲାର ବିଚାର ପ୍ରକ୍ରିୟା ଅତ୍ୟନ୍ତ ମନ୍ଥର ଚାଲିଥିଲା। ତାରିଖ ପରେ ତାରିଖ ବଦଳିଥିଲେ ବି ବିଚାର ସରିପାରିନଥିଲା। ସରକାରୀ ପକ୍ଷ ଓକିଲ ୨୦୧୪ ମସିହାରେ ନିଜର ସାକ୍ଷଗ୍ରହଣ ଶେଷ କରିଥିଲେ। ତେବେ ଡିଫେନ୍ସ ଓକିଲ ଗତ ଗୁରୁବାର ଶେଷ ତର୍କ କରିଥିବା ବେଳେ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି।

ଜାଣନ୍ତୁ ବେହମୟୀ କାଣ୍ଡ କ’ଣ?
ଦସ୍ୟୁ ଫୁଲନଦେବୀ ଓ ତା ଗ୍ୟାଙ୍ଗ ୧୪ ଫେବୃଆରୀ ୧୯୮୧ରେ ବେହମୟୀ ଗାଁରେ ପଶି ଆତଙ୍କ ରଚିଥିଲେ। ୨୦ ଜଣ ଗ୍ରାମବାସୀଙ୍କୁ ଗୋଟିଏ ଧାଡିରେ ଛିଡା କରି ସମସ୍ତଙ୍କୁ ଗୁଳିକରି ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ୧୭ ଜଣ ଠାକୁର ଜାତିର ଥିଲେ। ଫୁଲନ ତା ସହ ହୋଇଥିବା ଗଣ ଦୁଷ୍କର୍ମର ପ୍ରତିଶୋଧ ଲାଗି ଏହି ନିର୍ମମ କାଣ୍ଡ ରଚିଥିଲା। ଘଟଣାର ୨ ବର୍ଷ ପରେ ଫୁଲନ ମଧ୍ୟପ୍ରଦେଶ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। ପରେ ସେ ରାଜନୀତିରେ ଯୋଗଦେଇ ମିର୍ଜାପୁର  ସାଂସଦ ନିର୍ବାଚିତ ହୋଇଥିବା ବେଳେ ୨୦୦୧ ମସିହାରେ ତାଙ୍କୁ ରାଜଧାନୀ ଦିଲ୍ଲୀସ୍ଥିତ ତାଙ୍କ ଘର ସମ୍ମୁଖରେ ଗୁଳିକରି ହତ୍ୟା କରାଯାଇଥିଲା।  ଫୁଲନର ଏହି ଗଣ ହତ୍ୟାର ଶିକାର ହୋଇଥିବା ଲୋକଙ୍କ ବିଧବାମାନେ ନ୍ୟାୟାଳୟର ବାଟ ଚାହିଁ ବସିଥିବା ବେଳେ ଏବେ ସେମାନଙ୍କ ମଧ୍ୟରୁ ଆଉ ମାତ୍ର  ୭/୮ ଜଣ ଜୀବିତ ଅଛନ୍ତି।

ସହଜରେ ଆତ୍ମସମର୍ପଣ କରିନଥିଲା ଫୁଲନ
୧୩ ଫେବୃଆରୀ ୧୯୮୩ରେ ଆତ୍ମସମର୍ପଣ କରିଥିଲା ଫୁଲନ। ବେହମୟୀ ଘଟଣା ପରେ ଫୁଲନ ଆତ୍ମସମର୍ପଣ ଲାଗି ପ୍ରସ୍ତୁତି କରିଥିଲା। ମଧ୍ୟପ୍ରଦେଶ ଭିଣ୍ଡର ତତ୍କାଳୀନ ଏସପି ରାଜେନ୍ଦ୍ର ଚତୁର୍ବେଦୀ ଡକୈତଙ୍କ ଲାଗି ଏକ ଶାନ୍ତି କ୍ୟାମ୍ପ ସ୍ଥାପନା କରିଥିଲେ। ଏଥିରେ ସେ ନିଜକୁ ସରକାରଙ୍କ ନିକଟରେ ସମର୍ପଣ ଲାଗି ମନସ୍ତ କରି ଭିଣ୍ଡର ଉମରୀ ଗାଁ ନିକଟକୁ ଆସିଥିଲା। ଫୁଲନ ସହ ତାର ଅତ୍ୟନ୍ତ ବିଶ୍ୱସ୍ତ ମୁସ୍ଲିମ ବି ଥିଲା। ମୁସ୍ଲିମ ମୁଣ୍ଡରେ ସରକାର ୧୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିରଖିଥିଲେ। ତେବେ ତତ୍କାଳୀନ ଚମ୍ବଲ ରେଞ୍ଜ ଡିଆଜି ଏମ.ଡି. ଶର୍ମା ଡକୈତଙ୍କ ଆତ୍ମସମର୍ପଣ ବିରୋଧରେ ଥିଲେ।

ଏନକାଉଣ୍ଟରରେ ଆହତ ହୋଇଥିଲା ମୁସ୍ଲିମ
ଡିଆଇଜି ଶର୍ମା ଗୁଇନ୍ଦା ସୂତ୍ରରୁ ଫୁଲନର ଉମରୀ ଗାଁକୁ ଆତଯାତ ସୂଚନା ପାଇ ପୋଲିସ ମୁତୟନ କରିଥିଲେ। ଫଳରେ ଫୁଲନ ଗ୍ୟାଙ୍ଗ ଓ ପୋଲିସ ମଧ୍ୟରେ ଗୁଳି ଚାଲିଥିଲା। ଏଥିରେ ପୋଲିସ ଡେକୈତ ମୁସ୍ଲିମର ଏନକାଉଣ୍ଟର କରିଥିଲା। ତେବେ ମୁସ୍ଲିମ ମରିନଥିଲା। ତା ଦେହରେ ଗୁଳି ବାଜିଥିଲା। ଘଟଣାର ସୂଚନା ପାଇ ତରକି ଯାଇଥିଲା ଫୁଲନ। ତାକୁ ବି ପୋଲିସ ଏନକାଉଣ୍ଟର କରିଦେବ ବୋଲି ଭାବିଥିଲା । ଏଣୁ ଫୁଲନକୁ ଆତ୍ମସମର୍ପଣ ଲାଗି ରାଜି କରାଇଥିବା ଏସପି ରାଜେନ୍ଦ୍ର ଚତୁର୍ବେଦୀଙ୍କ ସମସ୍ତ ଯୋଜନା ପଣ୍ଡ ହୋଇଥିଲା।

ନିଜ ପୁଅକୁ ବି ମୁଣ୍ଡ ଜାମିନ ରଖିବାକୁ ପଛେଇ ନଥିଲେ ଏସପି
ଫୁଲନ ମନ ବଦଳିଯିବାରୁ ଏସପି ଚତୁର୍ବେଦୀଙ୍କୁ ତାକୁ ମନେଇବା ଲାଗି ଅନେକ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା। ଫୁଲନ ପୁଣି ବିହଡକୁ ଚାଲିଗଲେ ତାକୁ ଧରିବା ପୋଲିସ ପକ୍ଷେ ଅସମ୍ଭବ ହୋଇପଡିବା ସହ ଡକାୟତଙ୍କ ଉତ୍ପାତ ବଢିଯିବାର ଆଶଙ୍କା ବି ଥିଲା। ଏଣୁ ମାମଲାରେ ତତ୍କାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ସହ କଥା ହୋଇଥିଲେ ଚତୁର୍ବେଦୀ। ଚମ୍ବଲ ରେଞ୍ଜ ଡିଆଇଜିଙ୍କ ବଦଳି କରାଯାଇଥିଲା। ଏହା ସତ୍ତ୍ୱେବି ପୋଲିସକୁ ପୁଣି ଥରେ ବିଶ୍ୱସକୁ ନେଇପାରିନଥିଲା ଫୁଲନ। ଏଣୁ ଚତୁର୍ବେଦୀ ତାଙ୍କ ପୁଅକୁ ଡକାୟତଙ୍କ ମୁଣ୍ଡଜାମିନ ରଖିବା ପ୍ରସ୍ତାବ ବି  ଦେଇଥିଲେ। 

ଶେଷରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲା ଫୁଲନ
ଫୁଲନ ଆତ୍ମସମର୍ପଣ ଲାଗି ଦିନ ଗଡାଇ ଚାଲିଥିଲା। ଏଥିରେ ୧୩ ଫେବୃଆରୀ ୧୯୮୩ରେ ଭିଣ୍ଡର ଏମଜେଏସ କଲେଜ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ଉପସ୍ଥିତିରେ ଫୁଲନ ଆତ୍ମସମର୍ପଣ କରିଥିଲା। ଏଥିରେ ତା ସହ ତା ଗ୍ୟାଙ୍ଗର ସମସ୍ତ ସଦସ୍ୟ ମଧ୍ୟ ଆତ୍ମସମର୍ପଣ କରିବା ପରେ ଚମ୍ବଲ ଚତୁପାର୍ଶ୍ୱରେ ଶାନ୍ତି ଫେରିଥିଲା।

   Related Posts