ମାଟ୍ରିକ୍ ପରୀକ୍ଷାରେ ଛାତ୍ରୀଙ୍କୁ ମ୍ୟାଥ୍‌ରେ ମିଳିଥିଲା ୨, ରିଚେକିଂ କରାଇବାରୁ ବୋର୍ଡର ଉଡିଲା ହୋସ୍

Published By : Prameya-News7 Bureau | August 09, 2020 IST

ଚଣ୍ଡିଗଡ: ଆନସରସିଟ୍ ଚେକିଙ୍ଗ ପ୍ରକ୍ରିୟାରେ ହରିୟାଣା ବୋର୍ଡର ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ହରିୟାଣା ବୋର୍ଡ ଦଶମ ଶ୍ରେଣୀ  ପରୀକ୍ଷାରେ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମ୍ୟାଥ୍‌ ପେପରରେ ୨ ନମ୍ବର ଦେଇଥିଲେ। ଫଳରେ ଛାତ୍ରୀ ଫେଲ ହୋଇଥିଲେ। ତେବେ ଗଣିତରେ ଏତେ କମ୍‌ ନମ୍ବର ପାଇଥିବେ ଛାତ୍ରୀ ବିଶ୍ୱାସ ମଧ୍ୟ କରିପାରିନଥିଲେ। ଏଣୁ ରି ଚେକିଙ୍ଗ କରାଇଥିବା ବେଳେ ସେ ପରୀକ୍ଷାରେ ଶହେକୁ ଶହେ ନମ୍ବର ପାଇବା ବୋର୍ଡକୁ ଚକିତ କରିଛି।

ମ୍ୟାଥ୍‌ରେ ୧୦୦ ନମ୍ବର ରଖିଥିବା ଏହି ଛାତ୍ରୀଙ୍କ ନାମ ସୁପ୍ରିୟା ଓ ସେ ନେତ୍ରହୀନ। ତେବେ ସେ ବ୍ଲାଇଣ୍ଡ କ୍ୟାଣ୍ଡେଟ୍ ହୋଇଥିବାରୁ ତାଙ୍କର ଆନସର ସିଟ୍‌କୁ ଯେପରି ମୂଲ୍ୟାୟନ କରାଯିବା କଥା ସେପରି କରାଯାଇନଥିଲା। ଛାତ୍ରୀଙ୍କ କ୍ୟାଟେଗରୀ ଅନୁସାରେ ବୋର୍ଡ ପ୍ରକ୍ରିୟା ଅନୁସରଣ ନ କରିବାରୁ ଏପରି ପରିସ୍ଥିତି ଉପୁଜିଥିବା ଏବେ ଜଣାପଡିଛି। ତେବେ ଗଣିତ ପତ୍ରରେ ମାତ୍ର ୨ ନମ୍ବର ମିଳିଥିବାରୁ ତାଙ୍କୁ ଶକ୍ତ ଝଟକା ଲାଗିଥିଲା ବୋଲି ସୁପ୍ରିୟା କହିଛନ୍ତି । ହେଲେ ବୋର୍ଡ ତାଙ୍କ ସହ ଯେପରି ଆଚରଣ କରିଛନ୍ତି ତାହା ଯେପରି ଅନ୍ୟ କେହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ନ ହୁଏ ସେଥିଲାଗି ସୁପ୍ରିୟା ବୋର୍ଡଙ୍କୁ ନିବେଦନ କରିଛନ୍ତି।

ସୁପ୍ରିୟାଙ୍କ ପିତା ଛଜ୍ଜୁ ରାମ ତାଙ୍କ ଝିଅ ପ୍ରତି ବିଷୟରେ ୯୦ରୁ ଅଧିକ ନମ୍ବର ରଖିଥିବା କହିଛନ୍ତି । ହେଲେ ଗଣିତରେ ଏତେ କମ୍‌ ନମ୍ବର କେମିତି ରହିଲା ସେ ନେଇ ସମସ୍ତେ ତାଜ୍ଜୁବ ହୋଇଯାଇଥିଲେ। ଏଣୁ ରିଚେକିଂ ଲାଗି ସେ ଆବେଦନ କରିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି। ଏଣୁ ପେପର ରିଚେକିଂ ବେଳେ ଝିଅକୁ ୧୦୦ରୁ ଶହେ ନମ୍ବର ମିଳିଥିବାରୁ ଛଜ୍ଜୁରାମ ଖୁସିରେ ଉଛୁଳିପଡିଛନ୍ତି। ଛଜ୍ଜୁରାମ ମଧ୍ୟ ନିଜେ ଜଣେ ଶିକ୍ଷକ ଓ ସେ ମଧ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମ୍ୟାଥ୍ ପଢାନ୍ତି। ଏଣୁ ତାଙ୍କ ଝିଅ ମ୍ୟାଥରେ ଏତେ କମ୍‌ ନମ୍ବର ରଖିବେ କିପରି ସେ ନେଇ ତାଙ୍କର ସନ୍ଦେହ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.