ୟେସ୍ ବ୍ୟାଙ୍କର ପୁନର୍ଗଠନ ପ୍ୟାକେଜ୍ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୁଞ୍ଜି ବଢିବ SBI ନେବ ୪୯% ସେୟାର, ICICI ବିନିଯୋଗ କରିବ ୧୦୦୦ କୋଟି

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ୧୩।୦୩: କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ ଶେଷ ହେବା ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରି ବଡ ଘୋଷଣା କରିଛନ୍ତି। କ୍ୟାବିନେଟ୍ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ବିଜ୍ଞପ୍ତି ଜାରି ହେବାର ତିନି ଦିନ ପରେ ୟେସ୍ ବ୍ୟାଙ୍କ ଉପରୁ ଆରବିଆଇ ପକ୍ଷରୁ ଲାଗୁ ସମସ୍ତ ପ୍ରକାରର ରୋକ୍ ହଟିଯିବ। ଅନ୍ୟପଟେ ଆଇସିଆଇସିଆଇ ବ୍ୟାଙ୍କ ଶୁକ୍ରବାର ୟେସ୍ ବ୍ୟାଙ୍କରେ ୧୦୦୦ କୋଟି ଟଙ୍କା ନିବେଶ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଆଇସିଆଇସିଆଇ କହିଛି ଯେ, ପ୍ରତି ସେୟାର ୧୦ ଟଙ୍କା ହିସାବରେ ଆମେ ୟେସ୍ ବ୍ୟାଙ୍କର ୧୦ ବିଲିୟନ ସେୟାର କ୍ରୟ କରିବୁ।

{"id":237770,"width":750,"height":422,"sizeSlug":"large"}

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କ୍ରୟ କରିବ। ଏସବିଆଇ ୩ ବର୍ଷ ପର୍ଯ୍ୟନ୍ତ ନିଜର ଷ୍ଟେକକୁ ୨୬ ପ୍ରତିଶତ କମ କରି ପାରିବ ନାହିଁ। ଏହା ସହିତ ଘରୋଇ ଲେଣ୍ଡର୍ସ ଏଥିରେ ନିବେଶ କରିବେ। ଘରୋଇ ଲେଣ୍ଡର୍ସଙ୍କ ପାଇଁ ଲକ୍ ଇନ ପିରିୟଡ ୩ ବର୍ଷ ରହିବ। ମାତ୍ର ସେମାନଙ୍କ ଲାଗି ଷ୍ଟେକର ଲିମିଟ୍ ୭୫ ପ୍ରତିଶତ ରହିବ। ସୀତାରମଣ କହିଛନ୍ତି ଯେ, ପୁଞ୍ଜିଗତ ଆବଶ୍ୟକତାକୁ ତତ୍କାଳ ଏବଂ ପରେ ବୃଦ୍ଧି କରିବା ଲାଗି ଅଧିକୃତ ପୁଞ୍ଜିକୁ ୧୧୦୦ କୋଟି ଟଙ୍କାରୁ ବୃଦ୍ଧି କରାଯାଇ ୬୨୦୦ କୋଟି ଟଙ୍କା କରାଯାଇଛି।

ଅର୍ଥ ମନ୍ତ୍ରୀ କହିଛନ୍ତି ଯୋଜନାକୁ ଲାଗୁ କରିବାର ତିନି ଦିନ ଭିତରେ ୟେସ୍ ବ୍ୟାଙ୍କ ଉପରୁ ରୋକ୍ ହଟିଯିବ। ଏକ ନୂତନ ବୋର୍ଡ ଗଠନ କରାଯିବ। ଯେଉଁଥିରେ ଏସବିଆଇର ଅତି କମରେ ଦୁଇ ଜଣ ନିର୍ଦ୍ଦେଶକ ରହିବେ। ଅଧିସୂଚନା ଜାରି ହେବା ପରେ ସାତ ଦିନରେ ବୋର୍ଡର ସଦସ୍ୟ କାର୍ଯ୍ୟଭାର ସମ୍ଭାଳିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.