ଲକ୍‌ଡାଉନ୍‌ କୋହଳ ପରେ ଲହଡି ଭଳି ମାଡିଗଲା କରୋନା, ସ୍ପେନରେ ତିନି ସପ୍ତାହରେ ୩ ଗୁଣ

Published By : Prameya-News7 Bureau | July 21, 2020 IST

ମାଦ୍ରିଦ୍ ୨୧।୦୭: ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ସମଗ୍ର ବିଶ୍ଵରେ ଜାରି ରହିଛି। ଅନେକ ଦେଶ ଏବେ ମଧ୍ୟ ଲକ୍‌ଡାଉନ୍‌ରୁ ବାହାରି ପାରି ନାହାନ୍ତି। ପୁଣି ଥରେ ସ୍ପେନର କରୋନା ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଗତ ତିନି ସପ୍ତାହରେ ସଂକ୍ରମଣ ହାର ତିନି ଗୁଣ ବୃଦ୍ଧି ପାଇଛି। ବିଶେଷ କରି ସ୍ପେନର କ୍ୟାଟଲୋନିଆ ଓ ଆରାଗନ ପ୍ରାନ୍ତରେ ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢୁଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଏପ୍ରିଲ ମାସ ପ୍ରାରମ୍ଭରେ ପ୍ରତି ଦିନ ସ୍ପେନରେ ହଜାର ହଜାର ସଂଖ୍ୟାରେ ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିଲା। ଏହା ପରେ ସେଠାକାର ସରକାର ନୂତନ ସଂକ୍ରମଣ ଉପରେ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ସମଗ୍ର ଦେଶରେ ଲକ୍‌ଡାଉନ୍ ଲାଗୁ କରାଯାଇଥିଲା। ସାମାଜିକ ଦୂରତା ନିୟମ  କଡାକଡି ପାଳନ କରାଯାଇଥିଲା। ଲକ୍‌ଡାଉନ୍ ହଟିବା ପରେ ସ୍ପେନରେ ଲୋକଙ୍କ ସ୍ଵାଭାବିକ ଜୀବନ ଫେରିବାକୁ ଲାଗିଥିଲା। ହେଲେ ଦେଶରେ ପୁଣି ଥରେ କରୋନା ଭାଇରସ୍ ମୁଣ୍ଡ ଟେକିଛି।

ଉପ ସ୍ଵାସ୍ଥ୍ୟ ଜରୁରୀକାଳୀନ ପ୍ରମୁଖ ମାରିଆ ସିଏରା ସୋମବାର ଏକ ସମାଚାର ସମ୍ମିଳନୀରେ କହିଛନ୍ତି କରୋନା ଭାଇରସ୍ କେସ୍‌ ଜୁନ ଶେଷ ଆଡକୁ ପ୍ରତି ୧୦୦୦୦ ବ୍ୟକ୍ତିଙ୍କ ମଧ୍ୟରୁ ୮ ସଂକ୍ରମିତ ଚିହ୍ନଟ  ହୋଇଥିଲେ। ଦେଶରେ ଜରୁରୀକାଳୀନ ସ୍ଥିତି ଶେଷ ବେଳକୁ ପ୍ରତି ୧୦ ହଜାର ଲୋକଙ୍କ ମଧ୍ୟରୁ ୨୭ ଜଣ ଚିହ୍ନଟ ହେଉଥିଲେ ବୋଲି ମାରିଆ କହିଛନ୍ତି।

ଗତ ସପ୍ତାହ ଶେଷ ଆଡକୁ ଦେଶରେ ୪୫୮୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୬୪,୮୩୬ ରହିଛି। ପାଖାପାଖି ୨୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ସ୍ଵାସ୍ଥ୍ୟ ମନ୍ତ୍ରୀ ସଲଭାଡୋର ହଲ୍ଲା କହିଛନ୍ତି,  ନିୟମରେ କୋହଳ ପରେ ନୂତନ ଭାବେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଗତ ଶୁକ୍ରବାର କ୍ୟାଟଲନର ସ୍ଥାନୀୟ ସରକାର ସ୍ପେନର ଦ୍ଵିତୀୟ ସବୁଠୁ ବଡ ସହର ବାର୍ସିଲୋନାର ନିବାସୀଙ୍କୁ ମିଶାଇ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରିଛନ୍ତି। ଏହା ସହିତ ୧୦ରୁ ଅଧିକ ଲୋକଙ୍କୁ ନେଇ ସଭା ଆୟୋଜନ ନକରିବାକୁ କୁହାଯାଇଛି।

ଏହି ପରି ପ୍ରକୋପକୁ ରୋକିବା ପାଇଁ ଦେଶରେ ମାସ୍କ ପିନ୍ଧା ବାଧ୍ୟତାମୂଳକ କରାଯାଇଛି। ଲେଇଡା ସହରରେ ପ୍ରାୟ ୧,୬୦,୦୦୦ ଲୋକଙ୍କ ପାଇଁ ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍‌ ବ୍ୟବସ୍ଥା କରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.