ଏସ୍‌ପିଙ୍କ ତାଲିବାନୀ ଜୁଲୁମ, କରୋନା ଟିକା ନେଇ ନଥିବାରୁ ୫୦ରୁ ଉର୍ଦ୍ଧ୍ବ ପୋଲିସ୍‌ କର୍ମଚାରୀ ନିଲମ୍ବିତ

Published By : Prameya-News7 Bureau | May 23, 2021 IST

ଗାଜିପୁର ୨୩/୫: ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର କଲେକ୍ଟରଙ୍କ ‘ଭ୍ୟାକସିନ୍‌ ନାହିଁ ତ ଦରମା ନାହିଁ’ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଏବେ ଉତ୍ତରପ୍ରଦେଶରେ ଟିକା ନନେଇ ୫୦ ପୋଲିସ କର୍ମଚାରୀ ନିଲମ୍ବିତ ହେବା ଘଟଣା ଦେଶରେ ଚହଳ ପକାଇଛି। ଗାଜିପୁରରେ ଏହି ଘଟଣା ହୋଇଥିବା ବେଳେ ଏସପି ଓମପ୍ରକାଶ ସିଂହ ଏପରି ହିଟଲରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସପି ବିନା ନୋଟିସରେ କାର୍ଯ୍ୟରତ ୫୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ଭ୍ୟାକସିନ୍‌ ନେଇନଥିବାରୁ ନିଲମ୍ବିତ କରିଛନ୍ତି।

ଏନେଇ ସୂଚନା ମିଳିବା ପରେ କିଛି ପୋଲିସ କର୍ମୀ ଥାନାରେ ପହଞ୍ଚି ଏନେଇ ପଚାରିଥିବା ବେଳେ ଅନ୍ୟମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। କିନ୍ତୁ ନିଲମ୍ବିତ ପୋଲିସ କର୍ମଚାରୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଭ୍ୟାକସିନ୍‌ ନେଇନଥିବା କୁହାଯାଉଛି। ସବୁବେଳେ ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ଏସପି ସିଂହ ଶନିବାର ବିଳମ୍ବିତ ରାତିରେ ଟିକା ନେଇନଥିବା କର୍ମଚାରୀଙ୍କ ପାଇଁ ନୂଆ ନିର୍ଦେଶ ଜାରି କରିଛନ୍ତି। ଓାୟରଲେସ୍‌ ସେଟ ମାଧ୍ୟମରେ ଏସପି ଘୋଷଣା କରିଛନ୍ତି, ଯେଉଁମାନେ ଟିକାର ଗୋଟିଏ କିମ୍ବା ଡବଲ୍‌ ଡୋଜ୍‌ ନେଇନାହାନ୍ତି ସେମାନଙ୍କୁ ନିଲମ୍ବିନ କରାଯାଉଛି।

 ସୂଚୀରେ ସାମିଲ ସମସ୍ତ କନେଷ୍ଟବଳ, ଇନସପେକ୍ଟର, ହାବିଳଦାର ଥାନାରେ ପହଞ୍ଚି ନିଲମ୍ବନ ଆଦେଶ ଗ୍ରହଣ କରନ୍ତୁ ବୋଲି ଏସପି ଘୋଷଣା କରିଛନ୍ତି। ଯେଉଁମାନେ ଆଦେଶ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚେତାବନୀ କରିଛନ୍ତି। ତେବେ ଏସପି କୌଣସି ପ୍ରକାର ସ୍ପଷ୍ଟୀକରଣ ନମାଗି ଏବଂ ଅସୁବିଧାକୁ ନବୁଝି ଏଭଳି ତାଲିବାନୀ ହୁକୁମ ଚଳାଇବା କେତେ ଦୂର ଠିକ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।

ଏହା ସହ ଯେଉଁ ପୋଲିସ କର୍ମଚାରୀମାନେ ଆଗଧାଡ଼ିରେ ରହି ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାଙ୍କ ପ୍ରତି ଏଭଳି ବ୍ୟବହାର କେତେ ଦୂର ଗ୍ରହଣୀୟ ? କିନ୍ତୁ ମିଳିଥିବା ସୂଚନା ଅନୁସାରେ ନିଲମ୍ବନ ସମୟରେ ପୋଲିସ କର୍ମଚାରୀ କାର୍ଯ୍ୟ କରିବେ। ତେଣୁ ଏହାକୁ ଆଂଶିକ ନିଲମ୍ବନର ନାଁ ଦିଆଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.