କରୋନାରୁ ସୁସ୍ଥ ହେଲେ ମୁଲାୟମ ସିଂହ ଯାଦବ, ଆଜି ହେବେ ହସପିଟାଲରୁ ଡିସଚାର୍ଜ

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪/୧୦: ସମାଜବାଦି ପାର୍ଟି ନେତା ମୁଲାୟମ ସିଂହ ଯାଦବ ଏବେ କରୋନାରୁ ସୁସ୍ଥ ହୋଇଛନ୍ତି। ଗୁରୁଗ୍ରାମ ମେଦାନ୍ତ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ। କରୋନାରେ ସଂକ୍ରମଣ ହେବା ପରେ ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତି କରାଯାଇ ଥିଲା। ତେବେ ଡିସଚାର୍ଜ ହେବା ପରେ ସେ ଲକ୍ଷ୍ମୌ ନ ଫେରି ଦିଲ୍ଲୀରେ ରହିବେ। ୧୫ ଦିନ ସେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆରାମ କରିବେ।

ସୂଚନାଯୋଗ୍ୟ ଅକ୍ଟୋବର ୧୪ରେ ସେ କରୋନାରେ ସଂକ୍ରମିତ ହୋଇ ଥିଲେ। ତାହା ପରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା। ତେବେ ଏବେ ୧୫ ଦିନ ଦିଲ୍ଲୀରେ ରହିବା କଥାରୁ ସ୍ପଷ୍ଟ ହୋଇଯାଉଛି ଯେ ଉତ୍ତର ପ୍ରଦେଶ ବିଧାନସଭାରେ ୭ ଆସନରେ ହେବାକୁ ଥିବା ଉପନିର୍ବାଚନରେ ସେ ନିଜ ଦଳର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ନାହିଁ। ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ସତ୍ବେ ମଧ୍ୟ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇ ଥିଲା। ଏହିଭଳି ଜେଲରେ ଥିବା ଆଜାମ ଖାନଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇ ଥିଲା।

ମୁଲାୟମଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇ ନ ଥିଲା। ଏହା ସହ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ତେବେ ୮୦ ବର୍ଷୀୟ ମୁଲାୟମ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ଦୀର୍ଘ ଦିନ ହେବ ରାଜନୀତିରେ ସେତେଟା ସକ୍ରିୟ ନାହାନ୍ତି। କେବଳ ଏତିକି ନୁହେଁ ସେ ୩ଥର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ରହିଛନ୍ତି। ୨୦୧୨ରେ ବହୁମତ ମିଳିବା ପରେ ମୁଲାୟମ ସିଂହ ଯାଦବ ତାଙ୍କ ପୁଅ ଅଖିଳେଶ ଯାଦବଙ୍କୁ ୟୁପି ମୁଖ୍ୟମନ୍ତ୍ରୀ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.