Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦିଙ୍କ ବିରୋଧରେ ଏସପି-ବିଏସପି ମେଣ୍ଟ ପ୍ରାର୍ଥୀ ତେଜବାହାଦୂରଙ୍କ ପ୍ରାର୍ଥୀପତ୍ର ନାକଚ

1/05/2019 at 5:17 PM

ବାରଣାସୀ ୧।୫:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏସପି-ବିଏସପି ମେଣ୍ଟର ପ୍ରାର୍ଥୀ ତେଜବାହାଦୂର ଯାଦବଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ସାମରିକ କର୍ମଚାରୀଙ୍କ ପାଇଁ ନିମ୍ନମାନର ଖାଦ୍ୟ ଅଭିଯୋଗ ଆଣିବା ଯୋଗୁ  ବିଏସ୍ଏଫରୁ ତେଜବାହାଦୂରଙ୍କୁ ବହିଷ୍କାର କରାଯାଇଥିଲା। କାର୍ଯ୍ୟାନୁଷ୍ଠାନରେ କ୍ଷୁବ୍ଧ ଜବାନ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବେଳେ ବାରଣାସୀ ରିଟର୍ଣ୍ଣି ଅଫିସର ତାଙ୍କ ପ୍ରାର୍ଥୀପତ୍ର ଅଗ୍ରାହ୍ୟ କରିଦେଇଛନ୍ତି । ତେବେ ରିଟର୍ଣ୍ଣିଂ ଅଫିସରଙ୍କ ବିରୋଧରେ ତେଜବାହାଦୂର ସୁପ୍ରିମକୋର୍ଟ ଯିବେ ବୋଲି ଧମକ ଦେଇଛନ୍ତି ।

ତେଜବାହାଦୂର ବନାରସ ଲୋକସଭା ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏଥିପାଇଁ ସେ ୨ଟି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଗୋଟିକରେ ବିଏସଏଫରୁ ତାଙ୍କର ବହିଷ୍କାର ନେଇ ସେ ଗୋଟିଏ ପ୍ରକାର ସୂଚନା ଦେଇଥିବା ବେଳେ ଅନ୍ୟଟିରେ ଭିନ୍ନ ପ୍ରକାର ଦେଇଥିଲେ। ଏ ନେଇ ରିଟର୍ଣ୍ଣିଂ ଅଫିସର ତାଙ୍କୁ ନାଟିସ ଜାରି କରିବା ସହ  ୨୪ ଘଣ୍ଟା ମଧ୍ୟରେ    ଚାକିରୀରୁ ବହିଷ୍କାର ନେଇ ବିଏସଏଫରୁ ନୋ ଅବଜେକ୍ସନ ସାର୍ଟିଫିକେଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ତେଜବାହାଦୂର ଏନଓସି ଦାଖଲ ମଧ୍ୟ କରିଥିଲେ। ହେଲେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିଦେଇଛନ୍ତି । ତେବେ ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତି ବିରୋଧରେ ସେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି ।

ବିଏସଏଫରୁ କାହିଁକି ହୋଇଥିଲେ ବରଖାସ୍ତ
ସୀମା ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସୈନିକଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ତେଜବାହାଦୂର ଅଭିଯୋଗ କରିଥିଲେ। ଏ ନେଇ ସେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ  ହେଉନଥିଲା। ଏଣୁ ଜବାନଙ୍କୁ ଦିଆଯାଉଥିବା ଖାଦ୍ୟର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

ରାଜନୀତି ପ୍ରତି ଆଗ୍ରହୀ ହେଲେ କିପରି 
ତେଜବାହାଦୂର ହାରଜିତ ରାଜନୀତି ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ନଥିଲେ। ପ୍ରଧାନମନ୍ତ୍ରୀ ସୈନିକଙ୍କୁ ଦେଇଥିବା ପ୍ରତିଶୃତିରୁ ଗୋଟିଏ ବି ପୂରଣ କରି ନାହାନ୍ତି । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ନିଜକୁ ବ୍ୟଥିତ କହୁଥିବା ପ୍ରଧାନମନ୍ତ୍ରୀଙ୍କ ଅସଲ ଚେହେରା ଉପରୁ ମୁଖା ଉତାରିବା ଉଦ୍ଦେଶ୍ୟରେ ସେ ନିର୍ଦ୍ଦଳୀୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁଦେଶର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ଅବସରପ୍ରାପ୍ତ ଅର୍ଦ୍ଧ ସାମରିକ ବଳ କର୍ମଚାରୀ ବନାରସ ଆସି ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବେ ବୋଲି ତେଜବାହାଦୂର ଦାବି କରୁଛନ୍ତି । ତେବେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ  ତେଜବହାଦୂର ଓ ସେନାକର୍ମଚାରୀଙ୍କ ରୋଷକୁ ଆକଳନ କରି ପରେ ଏସପି ଓ ବିଏସପି ମେଣ୍ଟ ତାଙ୍କୁ ସମର୍ଥନ ଜଣାଇଥିଲା। ଏଠାରେ ମେଣ୍ଟ ନିଜର ପ୍ରାର୍ଥୀ ଶାଲିନୀ ଯାଦବଙ୍କୁ ପ୍ରତ୍ୟାହାର କରିନେଇଥିଲା।

   Related Posts