କରୋନାରେ ଆଶ୍ୱସ୍ତି: S&P ଭାରତ ରେଟିଂ ଅପରିବର୍ତ୍ତିତ, ଘରୋଇ ଅର୍ଥନୀତିରେ ଦ୍ରୁତ ଉନ୍ନତି ଆଶା
10/06/2020 at 5:55 PM

ନୂଆଦିଲ୍ଲୀ ୧୦।୬: କରୋନା ଭାଇରସ୍ ଲକଡାଉନ୍ ଦେଶର ଅର୍ଥବ୍ୟବସ୍ଥାକୁ ଗୁରୁତର ପ୍ରଭାବିତ କରିଛି। ରେଟିଂ ଏଜେନ୍ସୀମାନେ ଅର୍ଥନୀତି ନେଇ ଭିନ୍ନ ଭିନ୍ନ ପ୍ରକାର ରେଟିଂ କରୁଥିବା ବେଳେ ଷ୍ଟାଣ୍ଡାର୍ଡସ ଏଣ୍ଡ ପୁଅର୍ସ (ଏସଏଣ୍ଡପି) ଗ୍ଲୋବାଲ ରେଟିଂ ଭାରତ ସନ୍ଦର୍ଭରେ ସକରାତ୍ମକ ମୂଲ୍ୟାୟନ କରିଛନ୍ତି। ଦୀର୍ଘ ଲକଡାଉନ ଯୋଗୁ ବାଣିଜ୍ୟ ବ୍ୟସାୟ ବାଧାପ୍ରାପ୍ତ ହୋଇଥିଲେ ହେଁ ଘରୋଇ ଅର୍ଥନୀତିରେ ଦ୍ରୁତ ସୁଧାର ନେଇ ଏଜେନ୍ସୀ ଆକଳନ କରିଛନ୍ତି । ଏଣୁ ନୂଆ ସକାଳ ନେଇ ପୁଣି ଆଶାର କିରଣ ଉଁଇଛି।

ଏସଏଣ୍ଡପି ଭାରତର ରେଟିଂକୁ BBBରେ ସ୍ଥିର ରଖିଛନ୍ତି। ଏଥିରେ ଆଉଟ୍ ଲୁକ୍ ସ୍ଥିର ଥିବା ବେଳେ ଘରୋଇ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧିର ଆଶା ବ୍ୟକ୍ତ କରାଯାଇଛି। ଏସଏଣ୍ଡ ପିଙ୍କର ଏହା ଦୀର୍ଘ କାଳୀନ ରେଟିଂ ଓ ନିବେଶ ଯୋଗ୍ୟ ସ୍ତର। ଏହାଠାରୁ ସର୍ବନିମ୍ନ ରେଟିଂ ଅସମ୍ଭବ ଓ ରିସ୍କି ବୋଲି ସମସ୍ତେ ଜାଣନ୍ତି। ତେବେ ରେଟିଂରୁ ଦେଶର ପରିସ୍ଥିତି କରୋନା ପରେ ବେଶି ସମୟ ସ୍ଥାଣୁ ରହିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।

ତେବେ ଗତ ସପ୍ତାହରେ ମୁଡିଜ୍ ରେଟିଂରେ ଭାରତର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଏଥିରେ ଏସ୍ଏଣ୍ଡପି ଭାରତର ରେଟିଂକୁ ଦୀର୍ଘ ଅବଧି ଲାଗି ବିବିବିରେ ସ୍ଥିର କରିଥିବାର ବୁଧବାର ସୂଚନା ଦେଇଛନ୍ତି। ବୈଦେଶିକ ସ୍ତରରେ ଘରୋଇ ପ୍ରଦର୍ଶନର ମାନ, ଦେଶର ମଜଭୁତ ରାଜନୈତିକ ପରିସ୍ଥିତି ଓ ଆର୍ଥିକ ସ୍ଥିତିର ସୁଧାର ନିମନ୍ତେ ସରକାର ନେଇଥିବା ସନ୍ତୋଷଜନକ ପଦକ୍ଷେପକୁ ଏସଏଣ୍ଡପି ରେଟିଂ ଲାଗି ମୂଲ୍ୟାୟନ କରିଛନ୍ତି। ଯଦିଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧି ହୋଇ ନ ପାରେ ହେଲେ ବର୍ତ୍ତମାନ ନିଆଯାଇଥିବା ପଦକ୍ଷେପ ସଠିକ ରୂପେ କାର୍ଯ୍ୟକାରୀ ହେଲେ କରୋନା ସଂକଟରୁ ଭାରତ ଖୁବ୍ ଶୀଘ୍ର ବାହାରିଯାଇପାରିବ ବୋଲି ଏସଏଣ୍ଡପି ଆଶାବ୍ୟକ୍ତ କରିଛନ୍ତି।