ଦୀର୍ଘ ଦିନ ପରେ ପୁଣି ବଳ ଦେଖାଇଲେ କିମ୍ ଜଙ୍ଗ୍ ଉନ୍, ବୁଡାଜାହାଜରୁ ନିକ୍ଷେପିତ କ୍ଷେପଣାସ୍ତ୍ର ପ୍ରଦର୍ଶନ କଲା ଉତ୍ତର କୋରିଆ

Published By : Prameya-News7 Bureau | January 15, 2021 IST

ପ୍ୟୋଙ୍ଗଓ୍ୱନ,୧୫/୦୧:  ଉତ୍ତର କୋରିଆରୁ ସାମ୍ନାକୁ ଆସିଥିବା ଚିତ୍ର ସାରା ବିଶ୍ୱକୁ ଚିନ୍ତାରେ ପକାଇଦେଇଛି । ଆମେରିକା ସମେତ ଅନେକ ଶକ୍ତିଶାଳୀ ଦେଶ ଏବେ ମୁଣ୍ଡରେ ହାତ ଦେଲେଣି । କାରଣ ଉତ୍ତର କୋରିଆର ସୈନ୍ୟ ପରେଡରେ ବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ନଜର ଆସିଛି । ଏଥିରେ ବୁଡାଜାହାଜରୁ ଲଞ୍ଚ୍ ହୋଇପାରୁଥିବା  ସବୁଠାରୁ ମାରାତ୍ମକ ନୂଆ ବାଲିଷ୍ଟିକ୍ ମିସାଇଲ୍ ବା ଏସଏଲବିଏମ ରହିଛି ।

ଏଠାକାର ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ ଉନ୍ ଏହି ପରେଡ ଜରିଆରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ପଷ୍ଟ ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି । ଉତ୍ତର କୋରିଆକୁ ନେଇ ଆମେରିକାର ଆଭିମୁଖ୍ୟରେ ପରିବର୍ତ୍ତନ ନହେଲେ ସ୍ଥିତି ଭୟାବହ ହେବ ବୋଲି ଏହା ଚେତାବନୀ ସଦୃଶ ।

କୋରିଆନ ସେଣ୍ଟ୍ରାଲ୍ ନ୍ୟୁଜଏଜେନ୍ସି ଅନୁସାରେ, ଓ୍ୱର୍କର୍ସ ପାର୍ଟିର ବୈଠକ ପରେ ଏହି ପରେଡ୍ ଅନୁଷ୍ଠିତ ହୋଇଥିଲା । ଏଠାରେ ହିଁ ସୈନ୍ୟର ଶକ୍ତିପ୍ରଦର୍ଶନ ହୋଇଛି । ଏହି ସମୟରେ ରାଷ୍ଚ୍ରମୁଖ୍ୟ କିମ୍ ଜଙ୍ଗ୍ ବୁଡାଜାହାଜରୁ ଉତକ୍ଷେପଣ ହୋଇପାରୁଥିବା କିଲର୍ ମିସାଇଲ୍ ସହ ବିଭିନ୍ନ ମାରାତ୍ମକ ଓ ଘାତକ ଅସ୍ତ୍ରକୁ ସାରା ବିଶ୍ୱ ସମ୍ମୁଖରେ ରଖିଥିଲେ । ପରେଡ୍ ଶେଷରେ ସଲିଡ୍ ଫୁଏଲରୁ ଚାଲୁଥିବା କମ୍ ଦୂର ଲକ୍ଷ୍ୟଭେଦ କ୍ଷମତା ଥିବା ନୂଆ ମିସାଇଲକୁ ପ୍ରଦର୍ଶନ କରାଯାଇଥିଲା । ଏହି ମିସାଇଲ ଆଖି ପିଛୁଳାକେ ଏକ ସହରକୁ ଧ୍ୱଂସ କରିବାରେ ସକ୍ଷମ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.