ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍, ରାହୁଲଙ୍କ ନେତୃତ୍ଵରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

Published By : Prameya-News7 Bureau | January 19, 2022 IST

ନୂଆଦିଲ୍ଲୀ ୧୯/୦୧: ବୁଧବାର ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଟେଷ୍ଟ ସିରିଜ ପରାଜିତ ହେବା ପରେ ଭାରତୀୟ ଦଳର ନଜର ଏବେ ଦିନିକିଆ ସିରିଜ ଉପରେ । ଏହି ସିରିଜ ଜିତି ଭାରତ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଘରୋଇ ଦଳ ଟେଷ୍ଟ ପ୍ରଦର୍ଶନକୁ ଦିନିକିଆ ସିରିଜରେ ଦୋହରାଇବାକୁ ଯୋଜନା କରିଛି ।

ଲୋକେଶ ରାହୁଲ ଦିନିକିଆ ଦଳର ନେତୃତ୍ୱ ନେବେ । ତାଙ୍କ ଅଧିନରେ ଖେଳିବେ ବିରାଟ କୋହଲି । ଟେଷ୍ଟ ନେତୃତ୍ୱ ଛାଡ଼ିବା ପରେ କୋହଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଏଥର ସବୁ ବିବାଦ ଓ ଚାପରୁ ମୁକୁଳି କୋହଲି ବଡ ଇନିଂସ ଖେଳିବେ ବୋଲି ଆଶା କରାଯାଇପାରେ । ରୋହିତ ଶର୍ମା ଦଳରେ ନଥିବାରୁ ତାଙ୍କ ସ୍ଥାନରେ ରାହୁଲ ପାଳି ଆରମ୍ଭ କରିବା ନିଶ୍ଚିତ ।

ଭେଟେରାନ ଶିଖର ଧାୱନ ଦ୍ୱିତୀୟ ଓପନର ଭାବେ ଖେଳିବେ । ଫଳରେ ଯୁବ ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକୱାଡ୍‌ଙ୍କୁ ସୁଯୋଗ ମିଳିବ ନାହିଁ । ମଧ୍ୟ ଭାଗରେ ଶ୍ରେୟାସ ଆୟରଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ । ବିରାଟ କୋହଲି ୩ ଓ ସୂର୍ଯ୍ୟକୁମାର ଯାଦବ ୪ ନଂ ସ୍ଥାନରେ ଖେଳିବା ନିଶ୍ଚିତ । ଯୁବ ଅଲ୍‌ରାଉଣ୍ଡର ଭେଙ୍କଟେଶ ଆୟର ବୁଧବାର ଦିନିକିଆ ପଦାର୍ପଣ କରିବା ନିଶ୍ଚିତ ।

ଫଳରେ ଏକାଦଶ ମଧ୍ୟରେ ଆୟରଙ୍କ ପାଇଁ ସ୍ଥାନ ନାହିଁ । ବୁଧବାର ଭାରତ ୨ଜଣ ସ୍ପିନର ନେଇ ଖେଳିପାରେ । ରବି ଚନ୍ଦ୍ରନ ଅଶ୍ୱିନଙ୍କ ସହ ୟୁଝବେନ୍ଦ୍ର ଚହଲଙ୍କୁ ଏକାଦଶରେ ସ୍ଥାନ ମିଳିବ । ଚହଲ ଆସନ୍ତା କାଲି ୩ଟି ୱିକେଟ ନେଲେ ଭାରତର ୨୩ତମ ବୋଲର ଭାବେ ୧୦୦ ୱିକେଟ୍‌ ପୂରଣ କରିପାରିବେ ।ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ ରହିଛି । ଟେଷ୍ଟ ସିରିଜ ବିଜୟ ପରେ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି ।

ଟେଷ୍ଟରୁ ଅବସର ନେଇଥିବା କ୍ୱିଣ୍ଟନ ଡି କକ ପରିବାର ସହ ସମୟ କଟାଇବା ପରେ ଦଳକୁ ଫେରିଛନ୍ତି । ସେହିପରି ଡେଭିଡ୍‌ ମିଲର ମଧ୍ୟ ଦିନିକିଆ ଦଳରେ ରହିଛନ୍ତି । ଡି କକ୍‌ଙ୍କ ସହ ଜାନେମନ ମଲାନ ପାଳି ଆରମ୍ଭ କରିବେ । ବଭୁମା, ଡୁସେନ, ମାରକ୍ରମ ପ୍ରମୁଖ ମଧ୍ୟଭାଗ ସମ୍ଭାଳିବେ । ଫର୍ମରେ ରହିଥିବା କାଗିସୋ ରାବାଡାଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦେବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି । ଫଳରେ ତାଙ୍କ ସ୍ଥାନରେ ମାର୍କୋ ଜାନସେନଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ଆଗକୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ରହିଥିବାରୁ ରାବାଡାଙ୍କୁ ବିଶ୍ରାମ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.