ଦକ୍ଷିଣ ଆଫ୍ରିକା: ଅପହରଣର ୩ ସପ୍ତାହ ପରେ ଘରକୁ ଫେରିଲେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀଙ୍କ ୪ ପୁଅ, କିଡ୍‌ନାପରଙ୍କୁ ଖୋଜୁଛି ପୋଲିସ

Published By : Prameya-News7 Bureau | November 11, 2021 IST

ଜୋହାନ୍ସବର୍ଗ ୧୧/୧୧: ଦକ୍ଷିଣ ଆଫ୍ରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀଙ୍କ ୪ ପୁଅ ୩ ସପ୍ତାହ ପରେ ଘରକୁ ଫେରିଛନ୍ତି। ସ୍କୁଲ୍‌ ଯାଉଥିବା ବେଳେ ସେମାନଙ୍କୁ ଅପହରଣ କରିନିଆଯାଇଥିଲା। ପୋଲିସର ସୂଚନା ଅନୁସାରେ, ପୋଲୋକଓ୍ବାନେରେ ରହୁଥିବା ବ୍ୟବସାୟୀ ନାଜିମ ମୋତିଙ୍କ ୪ ପୁଅ ଜିଦାନ(୭), ଜାୟଦ (୧୧), ଏଲନ (୧୩) ଏବଂ ଜିୟା (୧୫) ବୁଧବାର ସନ୍ଧ୍ୟାରେ ବାପା-ମାଙ୍କ ପାଖକୁ ଅକ୍ଷତ ଅବସ୍ଥାରେ ଫେରିଆସିଛନ୍ତି।

ଅକ୍ଟୋବର ୨୧ ତାରିଖରେ ସ୍କୁଲ ଯିବା ବାଟରେ ୪ ଭାଇଙ୍କୁ ୭ ଜଣ ବନ୍ଧୁକଧାରୀ ଦୁଇଟି ଗାଡ଼ିରେ ଅପହରଣ କରିନେଇଥିଲେ। ତେବେ ବୁଧବାର ସନ୍ଧ୍ୟାରେ ୪ ପୁଅଙ୍କୁ ଘର ପାଖ ରାସ୍ତାରେ କେହି ଛାଡ଼ିଦେଇ ଯାଇଥିବା ନେଇ ପୋଲିସକୁ ଫୋନ୍‌ ଆସିଥିଲା ବୋଲି ପୋଲିସ ପ୍ରବକ୍ତା ବିଶ ନାୟିଡୁ କହିଛନ୍ତି। ପିଲାମାନେ ଘରେ ପହଞ୍ଚିବା ପରେ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପିଲାମାନଙ୍କ ସ୍ବାସ୍ଥ୍ୟ ଠିକ୍‌ ଥିବା ନେଇ ଡାକ୍ତର କହିବା ପରେ ସେମାନଙ୍କୁ ବାପା-ମାଙ୍କ ପାଖକୁ ପଠାଯାଇଥିଲା।

୩ ସପ୍ତାହ ପରେ ବାପା-ମାଙ୍କୁ ପାଖରେ ପାଇ ୪ ପୁଅ ବେଶ ଖୁସି ଥିଲେ ବୋଲି ନାୟିଡୁ କହିଛନ୍ତି।  କୋଟିପତି ବ୍ୟବସାୟୀଙ୍କ ପୁଅଙ୍କୁ କିଏ ଓ କାହିଁକି ଅପହରଣ କରିଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଧନୀ ଲୋକଙ୍କ ପିଲାଙ୍କୁ କିଡନାପ୍‌ କରି ଅପହରଣକାରୀ ଟଙ୍କା ଦାବି କରିବା ସ୍ବାଭାବିକ୍‌ । କିନ୍ତୁ ଏହି ମାମଲାରେ ସେମିତି କିଛି ଘଟିନାହିଁ।

ପୋଲିସର ଅପାରଗତା ଯୋଗୁଁ ଏମିତି ହେଲା ବୋଲି ଅଭିଯୋଗକୁ ବିଶ ନାୟିଡୁ ଖଣ୍ଡନ କରିଛନ୍ତି। ପୂର୍ବରୁ ସୂଚନା ଥିଲା କିନ୍ତୁ ପିଲାମାନଙ୍କ ପ୍ରତି ବିପଦ ଆସିପାରେ ଭାବି ମାମଲାକୁ ପ୍ରଘଟ କରାଯାଇନଥିଲା। ଏବେ ପିଲାମାନଙ୍କ ସହାୟତାରେ ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଶ ନାୟିଡୁ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.