ବୈଜ୍ଞାନିକଙ୍କ ଚାଞ୍ଚଲ୍ୟ କର ବୟାନ : ବ୍ରିଟେନର କରୋନା ଷ୍ଟ୍ରେନ୍ ଠାରୁ ମଧ୍ୟ ଭୟଙ୍କର ଦକ୍ଷିଣ ଆଫ୍ରିକା ଭାଇରସ୍, କାମ କରିବ ତ ଭ୍ୟାକସିନ୍ ?

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫/୦୧ : ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ବୈଜ୍ଞାନିକଙ୍କ ସମେତ ବିଶ୍ବବାସୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ ଆଉ ଏକ ବଡ ଖବର ଆସି ପହଞ୍ଚିଛି । ବ୍ରିଟେନ୍ ସ୍ବାସ୍ଥ୍ୟ ସଚିବ ମ୍ୟାଟ୍‌ ହାନକକ୍‌ ସୋମବାର କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା କରୋନାର ନୂଆ ମ୍ୟୁଟେସନ୍‌ ବ୍ରିଟେନ୍‌ର ନୂଆ ମ୍ୟୁଟେସନ୍‌ ଠାରୁ ମଧ୍ୟ ବେଶୀ ପ୍ରଭାବଶାଳୀ ।

ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା​‌ ଉଭୟ ଦେଶରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ବିଶେଷକରି ବ୍ରିଟେନ୍‌ରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଦକ୍ଷିଣ ଆଫ୍ରିକାରେ ଦେଖା ଦେଇଥିବା ନୂଆ ଷ୍ଟ୍ରେନ୍‌କୁ ଆଖିଆଗରେ ରଖି ବ୍ରିଟେନ୍‌ ଏବଂ ଦକ୍ଷିଣ ଆଫ୍ରିକାକୁ ସମସ୍ତ ବିମାନ ସେବା ବାତିଲ କରାଯାଇଛି ।

କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପ୍ରଥମେ ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ-ନାଟାଲ ଏବଂ ଓ୍ବେଷ୍ଟର୍ଣ୍ଣ କେପ୍‌ରେ ଦେଖାଯାଇଥିଲା । ଏହି ନୂଆ କରୋନା ଷ୍ଟ୍ରେନ୍ 501.V2 ଏବେ ସାରା ବିଶ୍ବରେ ଆତଙ୍କ ଖେଳାଇଛି । ତେବେ ଦକ୍ଷିଣ ଆଫ୍ରିକାରେ ଦେଖା ଦେଇଥିବା ନୂଆ ଷ୍ଟ୍ରେନ୍ର ଭାଇରସକୁ ପ୍ରତିହତ କରିବା ପାଇଁ ବୈଜ୍ଞାନିକ ମାନେ ବିକଶିତ ହୋଇଥିବା ଭ୍ୟାକସିନକୁ ନେଇ ସମ୍ପୂର୍ଣ୍ଣ ଭାବେ ଦୃଢୋକ୍ତି ପ୍ରକାଶ କରିନାହାନ୍ତି । ସେମାନେ କହିଛନ୍ତି କରୋନାର ନୂଆ ଷ୍ଟ୍ରେନ୍ ଅଧିକ ଭୟଙ୍କର ।

ଅନ୍ୟ ପଟେ ଫାର୍ମା କମ୍ପାନୀ ବାୟୋଟେକ୍‌ର ସିଇଓ ଉଗୁର ସାହୀନ୍‌ ଏବଂ ଜନ୍‌ ବେଲ କହିଛନ୍ତି, କରୋନା ଭାଇରସର ନୂଆ ଷ୍ଟ୍ରେନ୍‌କୁ ପ୍ରତିହତ କରିବା ପାଇଁ ମାତ୍ର ୬ ସପ୍ତାହ ମଧ୍ୟରେ ଭ୍ୟାକସିନ୍ ପ୍ରସ୍ତୁତ ହେବ । ତେବେ ବର୍ତ୍ତମାନ ଯାଏଁ ବିକଶିତ ହୋଇଥିବା ଭ୍ୟାକସିନ୍‌ କରୋନାର ନୂଆ ଷ୍ଟ୍ରେନ୍‌କୁ ପ୍ରତିହତ କରିବ କି ନାହିଁ ତାହା ମଧ୍ୟ ପରୀକ୍ଷା ହୋଇନାହିଁ ।

ଜନ୍ ବେଲ ଗତ ରବିବାର କହିଛନ୍ତି ଯେ, ବ୍ରିଟେନ୍‌ରେ ଦେଖାଯାଇଥିବା ନୂଆ ଭାଇରସ ବିରୁଦ୍ଧରେ ଭ୍ୟାକସିନ୍ କାର୍ଯ୍ୟ କରିପାରେ କିନ୍ତୁ ଏହା ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ବିରୁଦ୍ଧରେ ସଫଳ ହୋଇପାରିବ କି ନାହିଁ ତାହା ଏକ ବିରାଟ ପ୍ରଶ୍ନବାଚୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.