ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେନି ଦାଦା: ସୂଚନା ଦେଲେ ଗାଙ୍ଗୁଲିଙ୍କ ପରିବାର
6/01/2021 at 12:53 PM

କୋଲକାତା ୦୬/୦୧ : ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ବୁଧବାର ଦିନ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। କିନ୍ତୁ ଦାଦା ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେନାହିଁ। ଏନେଇ ଗାଙ୍ଗୁଲିଙ୍କ ପରିବାର ସୂଚନା ଦେଇଛନ୍ତି। ଗତକାଲି, ମଙ୍ଗଳବାର ଦିନ ହସ୍ପିଟାଲ ପ୍ରଶାସନ ବୁଧବାର ଦିନ ଗାଙ୍ଗୁଲିଙ୍କ ଡିସଚାର୍ଜ ହେବାକଥା କହିଥିଲେ। ତେବେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଛାତିରେ ଯନ୍ତ୍ରଣା ହେବାରୁ ଗାଙ୍ଗୁଲିଙ୍କୁ ଶନିବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲ ଏମଡି ଓ ସିଇଓ ରୁପାଲୀ ବାସୁ କହିଛନ୍ତି ଯେ, ଗାଙ୍ଗୁଲି କ୍ଲିନିକାଲି ଫିଟ୍ ଅଛନ୍ତି। ସେ ଆଉ ଦିନେ ହସ୍ପିଟାଲରେ ରହିବାକୁ ଚାହୁଁଛନ୍ତି। ସେଥିପାଇଁ ତାଙ୍କୁ ଗୁରୁବାର ଦିନ ଡିସଚାର୍ଜ କରାଯିବ। ଡିସଚାର୍ଜ ପରେ ଗାଙ୍ଗୁଲିଙ୍କୁ ଘରେ ଆରାମ କରିବାକୁ ହେବ ବୋଲି ସେ କହିଛନ୍ତି।

ରୁପାଲୀ ବାସୁ କହିଛନ୍ତି ଯେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ସେଥିପାଇଁ ତାଙ୍କର ଏଞ୍ଜିଓପ୍ଲାଷ୍ଟ କିଛି ଦିନ ପାଇଁ ସ୍ଥଗିତ ରଖାଯାଇପାରେ। ସୋମବାର ଦିନ ବରିଷ୍ଠ ଡାକ୍ତରଙ୍କ ୯ ସଦସ୍ୟ ବିଶିଷ୍ଟ ଟିମ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଡାକ୍ତରଙ୍କ ଟିମ୍ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖିଛନ୍ତି। ହୃଦଘାତ ପରେ ଗାଙ୍ଗୁଲିଙ୍କ ହୃଦୟର ଏକ ପ୍ରମୁଖ ଧମନୀରେ ଷ୍ଟେଣ୍ଟ ଲଗାଯାଇଥିଲା। ଆଗାମୀ ଦିନରେ ତାଙ୍କର ଏଞ୍ଜିଓପ୍ଲାଷ୍ଟ କରିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି।
ଗତ ସପ୍ତାହରେ ଶନିବାର ଦିନ ୪୮ ବର୍ଷ ବୟସ୍କ ଗାଙ୍ଗୁଲିଙ୍କୁ ହୃଦଘାତ ଯୋଗୁଁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏଞ୍ଜିଓପ୍ଲାଷ୍ଟ କରାଯାଇଥିଲା। ତାଙ୍କ ହୃଦୟର ୩ଟି ଧମନୀରେ ବ୍ଳକେଜ ଥିବା ଜଣାପଡିଥିଲା। ଏହାକୁ ଟ୍ରିପଲ ଭେସଲ ଡିଜିଜ ମଧ୍ୟ କୁହାଯାଏ।