ମୁହଁ ଖୋଲିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, କହିଲେ- କାହିଁକି ଦିନିକିଆ ଓ ଟି-୨୦ ଦଳରେ ରୋହିତଙ୍କୁ ଚୟନ କରାଗଲା ନାହିଁ

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩।୧୧: ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ପାଇଁ ଘୋଷିତ ଦଳରେ ଅଧିନାୟକ ରୋହିତ ଶର୍ମାଙ୍କୁ ଚୟନ କରାଯାଇ ନାହିଁ। ମୁମ୍ଵାଇ ଇଣ୍ଡିଆନ୍ସ ତରଫରୁ ଖେଳିବା ବେଳେ ଆଇପିଏଲର ୧୩ମ ସଂସ୍କରଣରେ ରୋହିତ ଶର୍ମା ଆହତ ହୋଇଥିଲେ। ଫିଟ୍‌ନେସ୍‌ କାରଣରୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ଦିଆଯାଇନଥିଲା। କିନ୍ତୁ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପୁଣି ଥରେ ପଡିଆକୁ ଫେରିଥିଲେ। ଏହା ପରେ ତାଙ୍କୁ ଦଳରେ ଚୟନ  କରାଯାଇନଥିବା ଯୋଗୁଁ ବହୁତ ବିତର୍କ ହୋଇଥିଲା। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପାଇଁ ରୋହିତଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ହେଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରୋହିତଙ୍କୁ ଦଳରେ ଚୟନ କରାଯିବା ନେଇ ମୁହଁ ଖୋଲିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଚମ ଥର ଆଇପିଏଲ ଚମ୍ପିଆନ  କରାଇଥିବା ରୋହିତ ଶର୍ମା ଫାଇନାଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୬୮ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। କିନ୍ତୁ ଗାଙ୍ଗୁଲିଙ୍କ କହିବା କଥା ରୋହିତ  କେବଳ ୭୦ ପ୍ରତିଶତ ଫିଟ୍ ଅଛନ୍ତି। ରୋହିତ ଅକ୍ଟୋବର ୧୮ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଏକ ରନ ନେବା ସମୟରେ ତାଙ୍କ ମାଂସପେଶୀ ଟାଣି ଧରିଥିଲା। ଏହା ପରେ ମୁମ୍ବାଇ ପକ୍ଷରୁ ପରବର୍ତ୍ତୀ ଚାରୋଟି ମ୍ୟାଚ୍‌ ଖେଳିନଥିଲେ। କିନ୍ତୁ ଶେଷ ଲିଗ୍ ମ୍ୟାଚ୍‌, ପ୍ରଥମ ଯୋଗ୍ୟତାପର୍ଯ୍ୟାୟ ଓ ଫାଇନାଲ ମ୍ୟାଚ୍ ଖେଳିଥିଲେ।

ଜାତୀୟ ଚୟନକର୍ତ୍ତା ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ, ଟି-୨୦ ଓ ଟେଷ୍ଟ ଦଳ ଘୋଷଣା କଲେ ତେବେ ରୋହିତଙ୍କୁ ଅନଫିଟ୍ ଦର୍ଶାଇ କୌଣସି ବି ଦଳରେ ସାମିଲ କରାଯାଇନଥିଲା। ଏହାକୁ ନେଇ ଚୟନକର୍ତ୍ତା ଏବଂ ବିସିସିଆଇକୁ ଖୁବ୍ ସମାଲୋଚନା କରାଯାଇଥିଲା। ଚୟନକର୍ତ୍ତା ଆଇପିଏଲ  ଫାଇନାଲର ଗୋଟିଏ ଦିନ ପୂର୍ବରୁ ରୋହିତଙ୍କ ସହ ବିଚାର ବିମର୍ଶ କରିବା ପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ଶୃଙ୍ଖଳାରେ ବିଶ୍ରାମ ଦେଇଛନ୍ତି। ଯଦ୍ଵାରା ରୋହିତ୍ ସଂପୂର୍ଣ୍ଣ ଫିଟ୍‌ନେସ୍‌ ହାସଲ କରି ପାରିବେ।

ରୋହିତଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ନିମନ୍ତେ ଦଳରେ ସାମିଲ କରାଯାଇଛି। ଭାରତର ଅଷ୍ଟ୍ରେଲିଆ ଗସ୍ତ ନଭେମ୍ବର ୨୭ରେ ଦିନିକିଆ ମ୍ୟାଚ୍‌ରୁ ଆରମ୍ଭ ହେବ। ଏହି ଗସ୍ତ ଜାନୁଆରୀ ୧୯ରେ ସମାପ୍ତ ହେବ। ରୋହିତ ଭାରତୀୟ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତ ନକରି ସ୍ଵଦେଶ ଫେରିଛନ୍ତି। ଗାଙ୍ଗୁଲି କହିଛନ୍ତି ରୋହିତ ୭୦ ପ୍ରତିଶତ ଫିଟ୍ ଅଛନ୍ତି। ଏହି କାରଣରୁ ଦିନିକିଆ ଓ ଟି-୨୦ ପାଇଁ ଦଳରେ ସାମିଲ କରାଯାଇ ନାହିଁ। କିନ୍ତୁ ତାଙ୍କୁ ଟେଷ୍ଟ ମ୍ୟାଚ୍‌ ଲାଗି ଦଳରେ ସାମିଲ କରାଯାଇଛି। ରୋହିତ ଆଇପିଏଲରେ ଶେଷ ତିନୋଟି ମ୍ୟାଚ୍ ଖେଳିବା ଉପରେ ଗାଙ୍ଗୁଲି କହିଛନ୍ତି ଯେ, ରୋହିତ ଏହି ବିଷୟରେ ନିଜେ ଭଲ ଭାବେ କହି ପାରିବେ।

ରୋହିତ ବର୍ତ୍ତମାନ ବେଙ୍ଗାଲୁରୁରେ ଜାତୀୟ କ୍ରିକେଟ୍ ଏକାଡେମୀରେ ରିହାବିଲିଟେସନରେ ରହିବେ। ଯେବେ ସେ ଫିଟ୍‌ନେସ୍‌ ପାସ୍ କରିବେ ତେବେ ଅଷ୍ଟ୍ରେଲିଆ ଗସ୍ତ କରିବେ। ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଡିସେମ୍ବର ୧୭ରେ ଆଡିଲେଡ୍‌ରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.