ଗାଙ୍ଗୁଲିଙ୍କ ମାଆ ଓ ଭାଉଜ କରୋନା ପଜିଟିଭ୍ ଚିହ୍ନଟ
19/06/2020 at 9:26 PM

କୋଲକାତା, ୧୯|୦୬: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଉଜ ଓ ମାଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ପଶ୍ଚିମବଙ୍ଗ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ସୂଚନା ଅନୁସାରେ, ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଶ ଗାଙ୍ଗୁଲିଙ୍କ ପତ୍ନୀ କରୋନା ପଜିଟିଭ୍ ଜଣା ପଡିଛନ୍ତି । ଏହା ପରେ ତାଙ୍କ ମାଆଙ୍କର ମଧ୍ୟ ଯାଞ୍ଚ ହେବା ପରେ ସେ ମଧ୍ୟ କରୋନା ପଜିଟିଭ୍ ଥିବା ରିପୋର୍ଟରେ ଜଣାପଡିଥିଲା । ପ୍ରଥମେ ଉଭୟଙ୍କ ଥଣ୍ଡା, କାଶ ଓ ଜ୍ୱର ଲାଗି ରହିଥିଲା । ପରେ ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇଥିଲା । ଏହା ପରେ ଶୁକ୍ରବାର ସକାଳେ ସେମାନଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା ।
ତେବେ ସାବଧାନତା ଅବଲମ୍ବନ କରି ଗାଙ୍ଗୁଲି ମଧ୍ୟ କ୍ୱାରଣ୍ଟାଇନରେ ନିଜକୁ ରଖିଛନ୍ତି । ତାଙ୍କ ପରିବାରର ସବୁ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ ମାଆ ଓ ଭାଉଜଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ସାଙ୍ଗ ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ଏମାନଙ୍କ ସମ୍ପର୍କରେ ଆସିଥିବା ନେଇ ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପାଇଁ କୁହାଯାଇଛି । ସୌରଭ ଗାଙ୍ଗୁଲିଙ୍କ ମାଆଙ୍କୁ ୮୦ ବର୍ଷ ହୋଇଥିବାରୁ ପରିବାରର ଚିନ୍ତା ବଢିଯାଇଛି ।