ମାର୍ଚ୍ଚ ୭ରେ ପଦ୍ମ ଧରିବେ ଗାଙ୍ଗୁଲି, ମୋଦୀଙ୍କ ରାଲିରେ ବିଜେପିରେ ହେବେ ସାମିଲ ! ଚର୍ଚ୍ଚା ଜୋର୍ ଧରିବା ପରେ କ'ଣ କହୁଛି ଦଳ ?

Published By : Prameya-News7 Bureau | March 03, 2021 IST

କୋଲକାତା, ୦୩/ ୦୩:ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ହୋଇପାରନ୍ତି । ଏନେଇ ଚର୍ଚ୍ଚା ଜୋର୍ ଧରିଛି । କୁହାଯାଉଛି ୟେ, ମାର୍ଚ୍ଚ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ରାଲିରେ ସେ ଅଂଶ ଗ୍ରହଣ କରି ପଦ୍ମ ଧରିବେ । ତେବେ ଏନେଇ ବିଜେପି କିମ୍ବା ଗାଙ୍ଗୁଲିଙ୍କ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ଗାଙ୍ଗୁଲି ବିଜେପିରେ ସାମିଲ ହେବା ପ୍ରସଙ୍ଗରେ ଦଳ ତରଫରୁ କୁହାଯାଇଛି ଯେ, ସେ ବିଜେପିରେ ସାମିଲ ହେବେ ନା ନାହିଁ ଏହା ତାଙ୍କ ଉପରେ ନିର୍ଭର କରୁଛି । ବିଜେପି ପ୍ରବକ୍ତା ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଯଦି ଗାଙ୍ଗୁଲି ନିଜର ସ୍ୱାସ୍ଥ୍ୟକୁ ଦେଖି ରାଲିରେ ଭାଗ ନେବାକୁ ଇଚ୍ଛା କରନ୍ତି ତେବେ ତାଙ୍କୁ ସବୁଠାରୁ ଅଧିକ ସ୍ୱାଗତ କରାଯିବ ।

ବିଜେପି କହିଛି ଯେ, ଗାଙ୍ଗୁଲି ଏବେ ଘରେ ଆରାମ କରୁଛନ୍ତି । ଯଦି ସେ ରାଲିରେ ନିଜର ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ସାମିଲ ହୁଅନ୍ତି ତେବେ ତାଙ୍କୁ ସ୍ୱାଗତ କରାଯିବ । ସେ ରାଲିରେ ଉପସ୍ଥିତ ରହିଲେ ସେ ଲୋକଙ୍କୁ ପସନ୍ଦ କରିବେ ଓ ଲୋକମାନେ ମଧ୍ୟ ତାଙ୍କୁ ପସନ୍ଦ କରିବେ । କିନ୍ତୁ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ଗାଙ୍ଗୁଲିଙ୍କର ନିକଟରେ ଆଉ ଏକ ଏ଼ଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ସେ ୩ ଦିନ ହସ୍ପିଟାଲରେ ରହି ଜାନୁଆରୀ ୩୧ ତାରିଖରେ ଡିସଚାର୍ଜ ହୋଇଥିଲେ । ଅପରେସନ ପରେ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.