କୋଲକାତା ୦୪/୦୧: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ୍ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ସେ ଏବେ ସୁସ୍ଥ ଥିବା ବେଳେ ତାଙ୍କୁ ବୁଧବାର ଡିସଚାର୍ଜ କରାଯିବ। କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରୁ ବୁଧବାର ଡିସ୍ଚାର୍ଜ କରାଯିବ ବୋଲି ହସ୍ପିଟାଲର ଏମଡି ଓ ସିଇଓ ଡାକ୍ତର ରୂପାଲୀ ବାସୁ କହିଛନ୍ତି। ହୃଦଘାତ ଯୋଗୁ ଗତ ଶନିବାର ଗାଙ୍ଗୁଲି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ହସ୍ପିଟାଲରେ ଗାଙ୍ଗୁଲି ଭର୍ତ୍ତି ହେବା ପରେ ଧମନୀ ବ୍ଲକେଜ୍ ପାଇଁ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ପରେ ପରେ ସେ ସୁସ୍ଥ ହୋଇଥିଲେ। କିନ୍ତୁ ତାଙ୍କର ଆଉ ଦୁଇଟି ଧମନୀ ବ୍ଲକେଜ୍ ଥିବା ଜଣାପଡ଼ିଥିଲା। ତେଣୁ ଦ୍ବିତୀୟ ଥର ଆଞ୍ଜିଓପ୍ଲାଷ୍ଟି କରାଯିବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ ହେଁ ଏବେ ନୁହେଁ ବରଂ ଗାଙ୍ଗୁଲିଙ୍କ ପରିବାର ସହ ଆଲୋଚନା ପରେ କରାଯିବ ବୋଲି ଡାକ୍ତର ବାସୁ କହିଛନ୍ତି।
ଦ୍ବିତୀୟ ଥର ଆଞ୍ଜିଓପ୍ଳାଷ୍ଟି କରାଯିବାକୁ ନେଇ ୯ ଜଣିଆ ଡାକ୍ତରୀ ଟିମ୍ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ସୋମାବାର ସକାଳ ୧୧.୩୦ରେ ଏନେଇ ଆଲୋଚନା ହୋଇଛି। ଏବେ ଗାଙ୍ଗୁଲି ସୁସ୍ଥ ଥିବା ବେଳେ ଆଞ୍ଜିଓପ୍ଲାଷ୍ଟି ନକେଲ ଭଲ ହେବ ବୋଲି ଟିମ୍ ନିଷ୍ପତ୍ତି ନେଇଛି। ଏବେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରୁନାହାନ୍ତି। ଯଦି ପରେ ପୁଣି କିଛି ଅସୁବିଧା ଜଣାପଡ଼େ ତେବେ ଆଞ୍ଜିଓପ୍ଲାଷ୍ଟି ପାଇଁ ଚିନ୍ତା କରାଯିବା ନେଇ ଡାକ୍ତରୀ ଟିମ୍ କହିଥିବା ରୂପାଲୀ ବାସୁ ମିଡିଆକୁ ସୂଚନା ଦେଇଛନ୍ତି।
ଗାଙ୍ଗୁଲିଙ୍କୁ ବୁଧବାର ଡିସ୍ଚାର୍ଜ କରିବା ଉପରେ ପୁଣି ଥରେ ଡାକ୍ତର ଦେବୀ ସେଠୀଙ୍କ ସହ ଆଲୋଚନା ହେବ। ମଙ୍ଗଳବାର ଆଲୋଚନା ହେବା ପରେ ବୁଧବାର ଦିନ ସୌରଭ ଗାଙ୍ଗୁଲିଙ୍କୁ ଡିସ୍ଚାର୍ଜ କରାଯାଇପାରେ ବୋଲି ରୂପାଲୀ ବାସୁ କହିଛନ୍ତି।