ବର୍ଷର ଶେଷ ସୁଦ୍ଧା ସମାପ୍ତ ହେବ ନାହିଁ କରୋନା, ଅନ୍ୟ ଦେଶରେ ହୋଇପାରେ IPL: ଗାଙ୍ଗୁଲି

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୦୬।୦୭: କରୋନା କାରଣରୁ ଚଳିତ ବର୍ଷ କ୍ରିକେଟ୍‌ରେ ବିଶ୍ଵର ସବୁଠୁ ଧର୍ଣ୍ଣାଢ୍ୟ ଟୂର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ହେବ କି ନାହିଁ କଳ୍ପନା ଜଳ୍ପନା ଲାଗି ରହିଛି। ଏହା ମଧ୍ୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୋମବାର କହିଛନ୍ତି, ଦେଶକୁ ଚଳିତ ବର୍ଷ କିମ୍ବା ଆସନ୍ତା ବର୍ଷ ଆରମ୍ଭ ପର୍ଯ୍ୟନ୍ତ କୋଭିଡ-୧୯ ମହାମାରୀ ସହ ସଂଘର୍ଷ କରିବାକୁ ପଡିପାରେ। ଗାଙ୍ଗୁଲିଙ୍କ ଏହି ବୟାନରୁ ସ୍ପଷ୍ଟ ହୋଇଛି ଯେ, ଆଇପିଏଲ ଚଳିତ ବର୍ଷ ଭାରତରେ ଆୟୋଜନ ହେବ ନାହିଁ। ଟେଷ୍ଟ ଦଳର ଓପନିଂ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରଓ୍ଵାଲଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଗାଙ୍ଗୁଲି।

ଗାଙ୍ଗୁଲି କହିଛନ୍ତି ଯେ, ମୋତେ ଲାଗୁଛି ଆଗାମୀ ତିନି ଚାରି ମାସ କଠିନ ହେବ। ଆମକୁ ଏହି ପରିସ୍ଥିତିକୁ ସହିବାକୁ ପଡିବ। ଆଶା କରୁଛୁ, ବର୍ଷର ଶେଷ ଆଡକୁ କିମ୍ବା ଆସନ୍ତା ବର୍ଷ ଆରମ୍ଭ ପର୍ଯ୍ୟନ୍ତ ଜନଜୀବନ ସ୍ଵାଭାବିକ ହୋଇଯିବ। ବିସିସିଆଇ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆଇପିଏଲ ଆୟୋଜନ କରିବାକୁ ଯୋଜନା ରଖିଛି। ଦେଶରେ ଟୂର୍ଣ୍ଣାମେଣ୍ଟ ଆୟୋଜନ କରିବା ବିସିସିଆଇର ପ୍ରଥମ ପସନ୍ଦ। ମାତ୍ର କରୋନାର  ବଢୁଥିବା ସଂକ୍ରମଣ କାରଣରୁ ଏହା ମୁସ୍କିଲ ଲାଗୁଛି। ତେଣୁ ଏଥର ଆଇପିଏଲ ବାହାର ଦେଶରେ ହୋଇପାରେ ବୋଲି ଗାଙ୍ଗୁଲି କହିଛନ୍ତି।

କରୋନା ସଂକ୍ରମିତ ମାମଲାରେ ଆମେରିକା ଓ ବ୍ରାଜିଲ୍ ପରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ୟୁଏଇ  ଓ ଶ୍ରୀଲଙ୍କା ପରେ ସୋମବାର ନ୍ୟୁଜିଲାଣ୍ଡ ମଧ୍ୟ ଟୂର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଛି। ଦାଦା ଓପନ ଓ୍ଵିଥ ମୟଙ୍କ କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି ଯେ, ଆମେ ଭ୍ୟାକସିନ ଆସିବାର ଅପେକ୍ଷା କରିବୁ। ସେ ପର୍ଯ୍ୟନ୍ତ ଆମକୁ କିଛିଟା ସାବଧାନ ସହ ରହିବାକୁ ପଡିବ। ଆମେ  ଜାଣି ପାରୁଛୁ ଯେ, କଣ ହେଉଛି ଏବଂ ଆମକୁ ଅସୁସ୍ଥ ହେବାର ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.