ଦ୍ରାବିଡଙ୍କୁ କାହିଁକି ଏତେ ପ୍ରଶଂସା କଲେ ଦାଦା ? ଅଷ୍ଟ୍ରେଲିଆ ବିରୋଧରେ ଐତିହାସିକ ବିଜୟର କ'ଣ କାରଣ ରଖିଲେ ଗାଙ୍ଗୁଲି...

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୦୯।୦୩: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ରାହୁଲ ଦ୍ରାବିଡ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ‌। ପ୍ରତିଭାବାନ ଯୁବ ଖେଳାଳିଙ୍କୁ ଚିହ୍ନଟ କରିବାରେ ରାହୁଲ ସିଦ୍ଧହସ୍ତ। ତାଙ୍କର କୋଚିଂ ଦକ୍ଷତା ବଳରେ ଆଜି ଭାରତୀୟ କ୍ରିକେଟ୍‌ ଦଳକୁ ଅନେକ ଅନ୍ତର୍ଜାତୀୟସ୍ତରର ଯୁବ ପ୍ରତିଭାବାନ ବ୍ୟାଟସମ୍ୟାନ ଓ ବୋଲର ମିଳି ପାରିଛନ୍ତି। ବିସିସିଆଇ ସଭାପତି ଗାଙ୍ଗୁଲି ଦ୍ରାବିଡଙ୍କ ପ୍ରଶଂସା କରି କହିଛନ୍ତି , ଭାରତୀୟ ବେଞ୍ଚକୁ ମଜବୁତ କରିବାରେ ରାହୁଲଙ୍କ ଯୋଗଦାନ ଗୁରୁତ୍ଵପୂର୍ଣ୍ଣ ।

ନିକଟରେ ଭାରତୀୟ ପ୍ଲେଇଙ୍ଗ ଇଲେଭେନରେ ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର, ଶୁବମାନ ଗିଲ ଓ ଶାର୍ଦ୍ଦୁଳ ଠାକୁରଙ୍କ ପରି ଖେଳାଳି ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ହରାଇଛନ୍ତି। ଅଷ୍ଟ୍ରେଲିଆରେ ସେହି ଦଳ ବିପକ୍ଷରେ ଭାରତକୁ ଐତିହାସିକ ଟେଷ୍ଟ ବିଜୟ ଦେଇ ଭାରତୀୟ ୟଙ୍ଗ ପ୍ଲେୟାର ମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ମୁଁ ସର୍ବଦା କହି ଆସିଛି ରାହୁଲ ଏନସିଏ ପାଇଁ ମହାନ କାମ କରିଛନ୍ତି। ସେ ଦ୍ଵିତୀୟ ଧାଡିର ଖେଳାଳିଙ୍କୁ ପ୍ରସ୍ତୁତ କରୁଛନ୍ତି। ସିରାଜ ବହୁତ ପ୍ରତିଭାବାନ  ବୋଲର। ଶାର୍ଦ୍ଦୁଳଙ୍କୁ ଯେବେ ବି ସୁଯୋଗ ମିଳିଛି ସେ ଭଲ ପ୍ରଦର୍ଶନ କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ଯେଉଁଭଳି ଏହି ଯୁବ ଖେଳାଳି ଅଷ୍ଟ୍ରେଲିଆ ମାଟିରେ ନିଜ ପ୍ରତିଭା ଦେଖାଇଛନ୍ତି ତାହା ବାସ୍ତବରେ ଅନନ୍ୟ।

ସେ କହିଛନ୍ତି, ଆମେ ପୁରା ବର୍ଷଟି ଯଶପ୍ରୀତ ବୁମରାଙ୍କ ବିଷୟରେ ଆଲୋଚନା କରୁଛେ। କିନ୍ତୁ ଦଳ ତାଙ୍କ ବିନା ମ୍ୟାଚ୍ ଜିତିଲା। ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ଅନୁଭବୀ ବୋଲର ଇଶାନ୍ତ ଶର୍ମାଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆକୁ ହରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସିରାଜ ଇଂଲଣ୍ଡ ବିପକ୍ଷ  ନିକଟ ଶୃଙ୍ଖଳାରେ ମଧ୍ୟ ସଭିଙ୍କୁ ପ୍ରଭାବିତ କରିଥିବା କହିଛନ୍ତି ଗାଙ୍ଗୁଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.