ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଛେଦ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପାଇଁ କ୍ୟାପଟେନ୍ସି କରିବେନି ଦାଦା

Published By : Prameya-News7 Bureau | November 03, 2020 IST

କୋଲକାତା ୦୩/୧୧ : ପଶ୍ଚିମବଙ୍ଗରେ ୨୦୨୧ରେ ବିଧାନସଭା ନିର୍ବାଚନ ହେବାର ଅଛି। ଏଥର ନିର୍ବାଚନରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡା ଟକ୍କର ହେବ। ବହୁ ଦିନ ହେଲା ଚର୍ଚ୍ଚା ହେଉଛି ଯେ ପଶ୍ଚିମବଙ୍ଗରେ ବିଜେପି ପୂର୍ବତନ କ୍ରିକେଟ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ। ରିପୋର୍ଟ ଅନୁସାରେ, ସୌରଭ ଗାଙ୍ଗୁଲି ବର୍ତ୍ତମାନ ନିର୍ବାଚନ ଲଢ଼ିବା ମୁଡ଼ରେ ନାହାନ୍ତି। ଗାଙ୍ଗୁଲି ବିଜେପିକୁ କହିଛନ୍ତି ଯେ ସେ ରାଜନୀତି କରିବାକୁ ଚାହୁଁ ନାହାନ୍ତି କି ବିଧାନସଭ ନିର୍ବାଚନରେ ଦଳ ପାଇଁ ପ୍ରଚାର ମଧ୍ୟ କରିବେନାହିଁ। ତେବେ ଗାଙ୍ଗୁଲିଙ୍କ ତରଫରୁ ଏବେ ସୁଦ୍ଧା କୌଣସି ବୟାନ ଆସିନାହିଁ।

ଇଂରାଜୀ ଖବରକାଗଜ 'ଦି ଟେଲିଗ୍ରାଫ'ର ଅନଲାଇନ ଏଡିସନ ଅନ୍ୟ ସୂତ୍ର ଉଦ୍ଦେଶ୍ୟରେ ଏହି ସୂଚନା ଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ସୌରଭ ଗାଙ୍ଗୁଲି ଗତ ମାସରେ ବିଜେପିକୁ ସ୍ପଷ୍ଟ କରିଦେଇଥିଲେ ଯେ ସେ ରାଜନୀତିରେ ସାମିଲ ହେବାକୁ ଚାହୁଁନାହାନ୍ତି। ବିସିସିଆଇ ମୁଖ୍ୟ ଭାବେ ସେ ବହୁତ ଖୁସି। ତେବେ ଗାଙ୍ଗୁଲି ମନା କରିବା ପରେ ଦଳ ତାଙ୍କ ଉପରେ କୌଣସି ଚାପ ପକାଇନଥିବା ମଧ୍ୟ ସୂତ୍ରରୁ ଜଣାପଡିଛି।

{"id":355428,"sizeSlug":"large"}

ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ଅଦ୍ଭୂତପୂର୍ବ ପ୍ରଦର୍ଶନ କରି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସକୁ ଟକ୍କର ଦେଇଥିବା ବିଜେପି ଏଥର ବହୁମତ ପାଇଁ ଜୋର ଦେଉଛି। ଦଳ ଏମିତି ଏକ ମୁହଁ ଖୋଜୁଛି ଯିଏ ମମତାଙ୍କୁ ଟକ୍କର ଦେଇପାରିବ। ସେଥିପାଇଁ ବିଜେପି ଗାଙ୍ଗୁଲିଙ୍କୁ ଟିକେଟ ଦେବାକୁ ଯୋଜନା କରିଥିଲା। ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଗାଙ୍ଗୁଲି ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେତେବେଳେ ସେ ନିଜେ ବୟାନ ଦେଇ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଥିଲେ।

ରିପୋର୍ଟ ଅନୁଯାୟୀ, ସୌରଭ ଗାଙ୍ଗୁଲି ଓ ମମତା ବାନାର୍ଜୀଙ୍କ ମଧ୍ୟରେ ରାଜନୈତିକ ସମ୍ଭନ୍ଧ ଭଲ ରହିଛି। ଗାଙ୍ଗୁଲିଙ୍କୁ ବିସିସିଆଇ ଅଧ୍ୟକ୍ଷ କରିବାରେ ମମତାଙ୍କର ମଧ୍ୟ ସହଯୋଗ ରହିଛି ବୋଲି କୁହାଯାଏ। ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ଅଛି। ୨୦୧୯ ଅକ୍ଟୋବର ମାସରେ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ କରିବାରେ ଅମିତ ଶାହଙ୍କର ମଧ୍ୟ ଭୂମିକା ରହିଛି। ସେହିଦିନ ଠାରୁ ଚର୍ଚ୍ଚା ହେଉଛି ଯେ ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଗାଙ୍ଗୁଲି ବିଜେପି ପ୍ରାର୍ଥୀ ହୋଇପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.