ଭାରତୀୟ କ୍ରିକେଟକୁ କରିଥିଲେ ଫିକ୍ସିଂ ମୁକ୍ତ, ଲେଖିଥିଲେ ନୂଆ ଅଧ୍ୟାୟ : ଲର୍ଡସରେ ଦୁନିଆ ଦେଖିଥିଲା ଗାଙ୍ଗୁଲିଙ୍କ 'ଦାଦାଗିରି'

Published By : Prameya-News7 Bureau | July 08, 2021 IST

ନୂଆଦିଲ୍ଲୀ ୮/୭ : ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ବେଶ୍ ଜଣାଶୁଣା । ଭାରତୀୟ କ୍ରିକେଟକୁ କରିଥିଲେ ଫିକ୍ସିଂ ମୁକ୍ତ । ଲେଖିଥିଲେ ନୂଆ କାହାଣୀ । କେବଳ ଅଧିନାୟକ ନୁହେଁ ଭଲ ଖେଳାଳି ବି ଥିଲେ । ପିଚରେ ରହୁଥିଲା ତାଙ୍କର ଅଲଗା ଦବଦବା । ପଡିଆକୁ ଓହ୍ଲାଇଲେ ଦାଦା ଦାଦା ବୋଲି କମ୍ପିଉଠୁଥିଲା ପୂରା ଷ୍ଟାଡିୟମ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଆଜି ସେ ୪୯ ବର୍ଷରେ ପଦାର୍ପଣ କରିଛନ୍ତି ।

୧୪୬ ଟି ଦିନିକିଆ ଏବଂ ୪୯ଟି ଟେଷ୍ଟ ମ୍ୟାଚ ଖେଳି ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆର ଦାୟିତ୍ୱ ନେଇଥିଲେ ।  ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୭୬ ଟି ଦିନିକିଆ ଏବଂ ୨୧ଟି ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇଥିବାବେଳେ ୧୫ଟି ଟେଷ୍ଟ ଡ୍ର ରହିଥିଲା । ୨୦୦୧ରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ଦାଦା କେବଳ ଐତିହାସିକ ବିଜୟ ଦେଇନାହାଁନ୍ତି, ବରଂ ଟିମ୍ ଇଣ୍ଡିଆକୁ ବିଦେଶୀ ମାଟିରେ ମ୍ୟାଚ୍ ଜିତିବାର ସ୍ୱାଦ ଚଖାଇଥିଲେ ।

ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳ ନାଟୱେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା । ୨୦୦୩ ମସିହାରେ ହୋଇଥିବା ଏକଦିବସୀୟ ବିଶ୍ୱକପ୍‌ରେ ବହୁତ ଖରାପ ଆରମ୍ଭ ସତ୍ତ୍ୱେ ଟିମ୍ ଇଣ୍ଡିଆ ଏହାକୁ ସେମିଫାଇନାଲରେ ପ୍ରବେଶ କରିଥିଲା । ତାଙ୍କ ଅଧିନାୟକତ୍ୱରେ ଯୁବ ଖେଳାଳିଙ୍କ ପାଇଁ ସୌରଭ ଖୋଲିଥିଲେ ରାସ୍ତା ।

ତାଙ୍କ ଅଧିନାୟକତ୍ୱରେ ହରଭଜନ ସିଂ, ବିରେନ୍ଦ୍ର ସେହୱାଗ, ଇରଫାନ ପଠାନ, ଯୁବରାଜ ସିଂ, ଜାହିର ଖାନ, ଏମଏସ ଧୋନି, ମହମ୍ମଦ କୈଫ ଏବଂ ଆଶିଷ ନେହେରାଙ୍କ ଭଳି ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ମିଳିଥିଲା ଚାନ୍ସ । ପରେ ଏହି ଖେଳାଳିମାନେ ଭାରତରେ ୨୦୦୭ରେ ଟି -20 ବିଶ୍ୱ ଏବଂ ୨୦୧୧ରେ ODI ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସୌରଭ ଗାଙ୍ଗୁଲିଙ୍କ ପାଇଁ କିନ୍ତୁ ଭାରତ ଖେଳିବା ଏବଂ ଅଧିନାୟକ ହେବା ଯାତ୍ରା ସହଜ ନଥିଲା । ୧୯୯୨ ରେ ନିଜେ ସୌରଭ ଗାଙ୍ଗୁଲି ନିଜର ODI ଡେବ୍ୟୁ କରିଥିଲେ । ମାତ୍ର ଗୋଟିଏ ମ୍ୟାଚ୍ ପରେ ତାଙ୍କୁ ଦଳରୁ ଓହରି ଯାଇଥିଲେ । ଚାରି ବର୍ଷ ପରେ, ୧୯୯୬ରେ, ଲର୍ଡସରେ ଶତକ କରି ପୁଣିଥରେ କମବ୍ୟାକ୍ କରିଥିଲେ । ପରେ ୧୦ ବର୍ଷ ପାଇଁ ସୌରଭ ଗାଙ୍ଗୁଲି ସଚିନ ତେନ୍ଦୁଲକରଙ୍କ ପରେ ଟିମ୍ ଇଣ୍ଡିଆର ସବୁଠାରୁ ବଡ ଖେଳାଳି ଭାବରେ ଉଭା ହୋଇଥିଲେ ।

୨୦୦୦ରେ, ଯେତେବେଳେ ଟିମ୍ ଇଣ୍ଡିଆ ଫିକ୍ସିଂର ଜାଲରେ ଫସିଥିଲା । ଆଉ ସେ ସମୟରେ ସଚିନ ତେନ୍ଦୁଲକର ମଧ୍ୟ ଦଳର ନେତୃତ୍ୱ ନେବାକୁ ମନା କରିଦେଇଥିଲେ ।  ଫଳରେ କ୍ୟାରଟେନ ଦାୟିତ୍ୱ ଗାଙ୍ଗୁଲିଙ୍କ ହାତରୁ ଆସିଥିଲା । ଏହାରି ପରଠୁ ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆ ପାଇଁ ଏକ ନୂଆ ଯୁଗର ଆରମ୍ଭ କରିଥିଲେ । ତେବେ ଏହାପରେ ଯେମିତି ଖରାପ ସମୟ ଗାଙ୍ଗୁଲିଙ୍କୁ ଅପେକ୍ଷା କରି ରହିଥିଲା ।

୨୦୦୪ ରୁ ସୌରଭ ଗାଙ୍ଗୁଲିଙ୍କ ଫର୍ମ ଖରାପ ହୋଇଯାଇଥିଲା । ୨୦୦୫ ରେ ଗ୍ରେଗ ଚାପେଲ କୋଚ୍ ହେବା ପରେ ସୌରଭ ଗାଙ୍ଗୁଲିଙ୍କୁ କେବଳ ଅଧିନାୟକତ୍ୱରୁ ହଟାଯାଇ ନଥିଲା । ବରଂ ଦଳରେ ବି ନିଜର ସ୍ଥାନ ହରାଇଥିଲେ । ଗାଙ୍ଗୁଲି କିନ୍ତୁ ୨୦୦୬ ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଏକ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ । ପରେ ୨୦୦୮ରେ ସେ ଦଳରୁ ବିଦାୟ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.