ଫର୍ଚୁନ ‘ହେଲ୍ଦି’ ଅଏଲ୍ ବିଜ୍ଞାପନର ପ୍ରସାରଣ ବନ୍ଦ କଲା ଅଦାନୀ ଓ୍ୱିଲମାର କମ୍ପାନୀ: ଗାଙ୍ଗୁଲିଙ୍କ ହୃଦଘାତ ପରେ ହୋଇଥିଲା ବିବାଦ
6/01/2021 at 3:02 PM

ନୂଆଦିଲ୍ଲୀ,୦୬/୦୧: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ସେ ଅତିଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି କୁହାଯାଉଛି । ତେବେ ଗାଙ୍ଗୁଲି ଏକ ରୋଷେଇ ତେଲର ବିଜ୍ଞାପନ କରୁଥିଲେ । ଏହି ବିଜ୍ଞାପନକୁ କମ୍ପାନୀ ହଟାଇ ଦେଇଛି ।
ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀଙ୍କ କମ୍ପାନୀ ଅଦାନୀ ଓ୍ୱିଲମାର ଏକ ରନ୍ଧନ ତୈଳ ଫର୍ଚୁନକୁ ବଜାର ପ୍ରବେଶ କରିଥିଲା । ଏହାର ବିଜ୍ଞାପନ ଗାଙ୍ଗୁଲି କରୁଥିଲେ । ତେବେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ବିଭିନ୍ନ ଦିଗରୁ ତାଙ୍କୁ ସମାଲୋଚନା କରାଯାଇଥିଲା । ଏପରିକି କଂଗ୍ରେସ ନେତା କୀର୍ତ୍ତି ଆଜାଦ ଗାଙ୍ଗୁଲି ଭଲ ଜିନିଷର ବିଜ୍ଞାପନ କରନ୍ତୁ ଓ ନିଜେ ଠିକ୍ ରୁହନ୍ତୁ ବୋଲି କହିଥିଲେ । କୀର୍ତ୍ତି କହିଥିଲେ ଯେ, ଦାଦା ଅତିଶୀଘ୍ର ଠିକ୍ ହୋଇଯିବେ । ସର୍ବଦା ଏପରି ସାମଗ୍ରୀ ବ୍ୟବହାର ଓ ପ୍ରଚାର କରିବା ଦରକାର ଯାହା ଭରସାଯୋଗ୍ୟ । ନିଜ ବାବଦରେ ଭାବନ୍ତୁ ଓ ଭଲ ରୁହନ୍ତୁ । ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହୁ । ଏହି ଟ୍ୱିଟ୍ ସହ ସେ ଗାଙ୍ଗୁଲିଙ୍କର କିଛି ଫଟୋ ସେୟାର କରିଥିଲେ ।
Dada @SGanguly99 get well soon. Always promote tested and tried products. Be Self conscious and careful. God bless.#SouravGanguly pic.twitter.com/pB9oUtTh0r
— Kirti Azad (@KirtiAzaad) January 3, 2021
ତେବେ ବିଜ୍ଞାପନ ହଟାଇବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କିଛି ଦିନ ପାଇଁ ଟିଭି ବିଜ୍ଞାପନକୁ ସ୍ଥଗିତ ରଖାଯାଇଛି । ତେବେ ଗାଙ୍ଗୁଲି ବ୍ରାଣ୍ଡ୍ ଆମ୍ବାସଡର ଭାବେ ଆଗକୁ ମଧ୍ୟ ରହିବେ । ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ଖରାପକୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କମ୍ପାନୀ କହିଛି ।
ଏହାପୂର୍ବରୁ ମଧ୍ୟ ଭାରତୀୟ ଦଳର ଅଲରାଉଣ୍ଡର ଯୁବରାଜ ସିଂ ରିଭାଇଟାଲର ବିଜ୍ଞାପନ କରୁଥିଲେ । ଏହାପରେ ସେ କ୍ୟାନସରରେ ପୀଡିତ ହୋଇଥିଲେ । ପରେ ଯୁବରାଜଙ୍କୁ ନେଇ ଥିବା ବିଜ୍ଞାପନ ଆଉ ପ୍ରସାରିତ ହୋଇନଥିଲା ।
ସେହିପରି କେରଳରେ ଅଭିନେତା ଅନୁପ ମେନନ କେଶ ଝଡିବା ବନ୍ଦ ପାଇଁ ଏକ ତେଲର ବିଜ୍ଞାପନ କରି ଅଡୁଆରେ ପଶିଛନ୍ତି । ଖାଉଟି ଅଦାଲତ ଅନୁପଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି । କାରଣ ବିଜ୍ଞାପନରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କାମ କରିନଥିଲା । ତେଣୁ ବିଜ୍ଞାପନ କରୁଥିବା ଅଭିନେତା ଅନୁପଙ୍କୁ ଅଦାଲତ ଏହି ଦଣ୍ଡ ବିଧାନ କରିଥିଲେ ।