ଡିଏଫ୍‌ଓଙ୍କୁ କାହିଁକି ସୁରକ୍ଷା ? ସୌମ୍ୟଙ୍କ ମୃତ୍ୟୁର ତଦନ୍ତରେ ପୋଲିସର ଭୂମିକାକୁ ନେଇ ଅନେକ ପ୍ରଶ୍ନ

Published By : Prameya-News7 Bureau | July 29, 2021 IST

ଗଜପତି ୨୯।୦୭:  ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ।  ଏବେ ଯାଏଁ ମୃତ୍ୟୁ ଘଟଣା ଉପରୁ ରହସ୍ୟ ହଟିପାରୁନାହିଁ । ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହାକି ମାମଲାରେ  ତଦନ୍ତ କରୁଛି ପୁଲିସ, ସହାୟତା କରୁଛି କ୍ରାଇମବ୍ରାଞ୍ଚ୍‌। ଘଟଣାକୁ ୧୮ ଦିନ ବିତିସାରିଥିଲେ ମଧ୍ୟ ଘଟଣାର ରହସ୍ୟ ଉପରୁ ପରଦା ହଟିପାରିନାହିଁ । ସୌମ୍ୟଙ୍କ ମୃତ୍ୟୁର ତଦନ୍ତରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଓ ଆଇନଜୀବୀ । ଏପିରିକି ସୌମ୍ୟଙ୍କ ଘର ଚାବି ଡିଏଫଓଙ୍କ ଅଫିସର କଣ ପାଇଁ ଥିଲା ବୋଲି ପ୍ରଶ୍ନ ଉଠିଛି । ଘଟଟଣାରେ ଡିଏଫଓଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ଅଭିଯୋଗ ଆସିଛି । ସେପଟେ ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛି ।

ଏସବୁ ଭିତରେ ପାରଳା ପୋଲିସ ୪ଟି ଜିଲ୍ଲା ବୁଲି ତଦନ୍ତ କରିଛି । କିନ୍ତୁ କୌଣସି ଠାରୁ ମଧ୍ୟ ବିଶେଷ କିଛି ତଥ୍ୟ ପାଇନାହିଁ । ଏହି ପ୍ରରିପେକ୍ଷୀରେ ପାରଳାଖେମୁଣ୍ଡିର ଆଇନଜୀବୀ କୃଷ୍ଣମୋହନ ପଟ୍ଟନାୟକ କହିଛନ୍ତି ଯେ,  ପୁଲିସ ପ୍ରଥମ ଦିନରୁ ହିଁ ତଦନ୍ତରେ ଅବହେଳା କରିଛି । ଯେଉଁ ଘଟଣାରେ ଡିଏଫଓଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି । ସେହି ସମୟରେ ତାଙ୍କ କାର୍ଯ୍ୟାଳୟରେ ଘଟଣାସ୍ଥଳ କୁହାଯାଉଥିବା ସୌମ୍ୟଙ୍କ ସରକାରୀ ବାସଭବନର ଚାବି ରହିବା ନିଶ୍ଚିତ ସନ୍ଦେହଜନକ ଘଟଣା।

ସେହିପରି ତଦନ୍ତ ପକ୍ରିୟା ଉପରେ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ନିର୍ମଳ ଚନ୍ଦ୍ର ସାହୁ ପ୍ରଶ୍ନ ଉଠାଇଛନ୍ତି । ୩୦୨ ଓ ୧୨୦ (ବି) ଅଭିଯୋଗ ଥିବା ବ୍ୟକ୍ତିଙ୍କୁ ଜେରାରେ ବିଳମ୍ବ ହୋଇଛି ।  ସେମାନଙ୍କୁ ନିଜ କାର୍ଯ୍ୟାଳୟ ବା ଘରେ ପଚରାଉଚରା ନକରି ଥାନାରେ କରିବା ଉଚିତ ଥିଲା ବୋଲି କହି ଏନେଇ ସେ କ୍ରିମିନାଲ୍‌ ପ୍ରୋସିଡିଓର ସେକ୍ସନ୍‌ ୧୬୦ର ଉଦାହରଣ ଦେଇଛନ୍ତି । ବଲାଙ୍ଗୀର ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ହଷ୍ଟେଲ୍‌ରେ ବିଦ୍ୟାଭାରତୀଙ୍କ ରୁମ୍‌ ସିଲ୍‌ ହୋଇଥିବାବେଳେ ପାରଳାଖେମୁଣ୍ଡିରେ ତାଙ୍କ କ୍ୱାର୍ଟର୍ସ ଚାବି ଡିଏଫ୍‌ଓ କାର୍ଯ୍ୟାଳୟରେ ରହିବା ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଉଛି ।

ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଘଟଣାସ୍ଥଳ ଓ ତଦନ୍ତ ପ୍ରକ୍ରିୟା ସମୀକ୍ଷା ପରେ ତଦନ୍ତର ଅନେକ ଦିଗ ବାକି ଅଛି ବୋଲି କହିବାର ଦିନକ ପରେ ଏସ୍‌ପି ତପନ କୁମାର ପଟ୍ଟନାୟକ ତୁରନ୍ତ ଡିଏଫ୍‌ଓଙ୍କୁ ଏକ ପ୍ରକାର କ୍ଲିନ୍‌ ଚିଟ୍‌ ଦେବା, ପୁଣି ପରଦିନ ତଦନ୍ତ ଜାରି ରହିଥିବା ବୋଲି କହିଥିଲେ । ଯାହାକୁ ନେଇ ପୁଲିସ ତରବରିଆ ମନ୍ତବ୍ୟ ଦେଉଛି ବୋଲି କହିଛନ୍ତି ପୂର୍ବତନ ଆଇଜି ବିପ୍ରଚରଣ ଆଚାର୍ଯ୍ୟ । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଡିଏଫ୍‌ଓଙ୍କୁ ନିଜ କାର୍ଯ୍ୟାଳୟରେ ଜେରା ନକରି ପୁଲିସ ଥାନାକୁ ଡକାଯିବା ଉଚିତ ଥିଲା ବୋଲି ସେ କହିଛନ୍ତି ।

ସୌମ୍ୟଙ୍କ କ୍ୱାର୍ଟର୍ସ କ୍ରାଇମ୍‌ ସିନ୍‌ ବୋଲି ପୁଲିସ ସ୍ପଷ୍ଟ କରିଥିବାବେଳେ ଏ ନେଇ ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ଯଦି ସୌମ୍ୟ ଆତ୍ମହତ୍ୟା କରିବା ବି ବିଶ୍ୱାସ କରାଯାଏ ତେବେ ୯୫ ପ୍ରତିଶତ ପୋଡ଼ି ଯାଉଥିବାବେଳେ ଜଣେ କେବେ ସ୍ଥିର ହୋଇ ରହିପାରିବନାହିଁ ଏବଂ ସେ ସାହାଯ୍ୟ ପାଇଁ ଚିତ୍କାର କରିବ । ଫଳରେ ଘରର ଅନ୍ୟ ଆସବାବପତ୍ରରେ ବି ନିଆଁର ଚିହ୍ନ ରହିବା କଥା ବୋଲି ସେ କହିଛନ୍ତି ।

ଘଟଣାରେ ସିଡିଆର୍‌ (କଲ୍‌ ଡିଟେଲ୍‌ ରିପୋର୍ଟ) ଯାଞ୍ଚ କଥା କହୁଛି ପୁଲିସ । କେଉଁ ନମ୍ବରର ସିଡିଆର୍‌ ଯାଞ୍ଚ କରିଛି ପୁଲିସ ତାହା ପ୍ରଶ୍ନବାଚୀ । କାରଣ ଜଣେ ଅପରାଧୀ କେବେ ବି ନିୟମିତ ବ୍ୟବହାର କରୁଥିବା ମୋବାଇଲ୍‌ ଅପରାଧ ସମୟରେ ବ୍ୟବହାର କରିବା ସମ୍ଭାବନା ଖୁବ କମ୍‌ । ଏହି ଦିଗ ପ୍ରତି ପୁଲିସ ଦୃଷ୍ଟି ଦେଇଛି କି ନାହିଁ ତାହା ପ୍ରଶ୍ନବାଚୀ । ଉଭୟ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ ଅନେକ ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ସୌମ୍ୟ ଭଲପାଉଥିବା ଲେଖୁଥିବାବେଳେ ବିଦ୍ୟାଭାରତୀ କେବଳ ଘୃଣା କଥା ହିଁ ଲେଖୁଥିବା ନଜିର ରହିଛି । ଏସବୁ ଚିଠିକୁ ପୁଲିସ ଜବତ କରି ତଦନ୍ତ ପରିସରଭୁକ୍ତ କରିଛି କି ନାହିଁ ତାହା ଏଯାଏଁ ଅସ୍ପଷ୍ଟ । ତେଣୁ ପୁଲିସ ଏହି ଘଟଣାର ତଦନ୍ତ ଆଜିଯାଏଁ ସଠିକ ରାସ୍ତାରେ କରିନଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.