ନୂଆ ସିପି ଭାବେ ଦାୟିତ୍ଵ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ, କହିଲେ- ଅପରାଧ ନିୟନ୍ତ୍ରଣ ପ୍ରଥମ ପ୍ରାଥମିକତା

Published By : Prameya-News7 Bureau | March 09, 2021 IST

ଭୁବନେଶ୍ୱର ୦୯।୦୩ : କଟକ-ଭୁବନେଶ୍ଵର ଦ୍ଵୈତ ନଗରୀର ପୋଲିସ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ସୌମେନ୍ଦ୍ର ପ୍ରିୟଦର୍ଶୀ। ମଙ୍ଗଳବାର ଭୁବନେଶ୍ଵର ପୋଲିସ କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ୧୯୯୫ ଆଇପିଏସ୍ ବ୍ୟାଚର ଏହି ଅଫିସର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି।

ପୋଲିସ କମିଶନର ଭାବେ ଦାୟିତ୍ଵ ନେବା ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ସିପି ଭାବେ ଦକ୍ଷତା ଓ  ନିଷ୍ଠାର ସହ କାମ କରିବି। ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଉପରେ କାର୍ଯ୍ୟ କରିବି। ଏହି ଦୁଇଟି ଦିଗ ଉପରେ ମୋର ପ୍ରଥମ ପ୍ରାଥମିକତା ରହିବ। ଏହି ସମୟରେ ଟ୍ଵିନ୍ ସିଟିର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଲୋଡିଛନ୍ତି ସିପି। ଲୋକଙ୍କ ଧନ ଜୀବନ ସୁରକ୍ଷାକୁ ପ୍ରାଥମିକତା ଦେବି ବୋଲି କହିଛନ୍ତି। ଦକ୍ଷ ଅଫିସରଙ୍କ ଉତ୍ତରାଧିକାରୀ ଭାବେ କାର୍ଯ୍ୟ କରିବା ବଡ ଚ୍ୟାଲେଞ୍ଜିଂ ରହିବ। ପୋଲିସ କମିଶନରେଟ୍‌ର ଅସମାପ୍ତ କାର୍ଯ୍ୟକୁ ପୂରଣ କରିବା ଦିଗରେ ଧ୍ୟାନ ଦେବି ବୋଲି ପ୍ରିୟଦର୍ଶୀ କହିଛନ୍ତି।

{"id":420180,"sizeSlug":"large","linkDestination":"none"}

ଦାୟିତ୍ୱ ଗ୍ରହଣ ପରେ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି  କମିଶନର ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ କଟକ ଓ ଭୁବନେଶ୍ବର ଟୁଇନ୍‌ ସିଟିରେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ , ଏବଂ ପୋଲିସ ଓ ପବ୍ଲିକ ମଧ୍ୟରେ କେମିତି ସୁସମ୍ପର୍କ ସ୍ଥାପନ ହୋଇପାରିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ସୂଚନାଯୋଗ୍ୟ, ସୋମବାର କଟକ-ଭୁବନେଶ୍ଵର ପୋଲିସ କମିଶନରଙ୍କ ବଦଳି କରିଥିଲେ ରାଜ୍ୟ ସରକାର। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କମିଶନରେଟ୍‌ ପୋଲିସର ନୂତନ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ୧୯୯୫ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ ଏବେ କ୍ରାଇମବ୍ରାଞ୍ଚର ଏଡିଜି ଅଛନ୍ତି। ପ୍ରିୟଦର୍ଶୀ ବର୍ତ୍ତମାନ ଟ୍ଵିନ୍ ସିଟିର କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନ ନେଇଛନ୍ତି। ସୁଧାଂଶୁ ଷଡଙ୍ଗୀଙ୍କୁ ଓଡିଶା ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.