କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ

Published By : Prameya-News7 Bureau | March 06, 2021 IST

ସୋର ୬।୩: ମୃତ୍ୟୁର ୪ ଦିନ ପରେ ଘରକୁ ଫେରିଲା ମୃତଦେହ । ଗୁଜୁରାଟରେ କାମ କରୁଥିବା ଓଡ଼ିଆ ଶ୍ରମିକ ଗାଧୋଉଥିବା ବେଳେ କେନାଲରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ସୋର ଥାନା ବର୍ତ୍ତନା ଗାଁର ଶମ୍ଭୁନାଥ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଦୀର୍ଘ ବର୍ଷ ଧରି ଗୁଜୁରାଟର ମୁରବି ଜିଲ୍ଲା ଲଗଜିପୁର ରୋଡ଼ର ଏକ ଟାଇଲସ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ୨ ତାରିଖ ଦିନ ପ୍ରାୟ ୨ଟା ସମୟରେ କମ୍ପାନୀ ନିକଟରେ ଥିବା କେନାଲକୁ ଗାଧୋଇବା ପାଇଁ ଯାଇଥିଲେ । ସେଠାରେ ଗାଧୋଉଥିବା ସମୟରେ ହଠାତ୍ ପୂର୍ଣ୍ଣଚନ୍ଦ୍ରଙ୍କର ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ । ଗଭୀର କେନାଲରେ ପାଣିର ସ୍ରୋତ ଅଧିକ ଥିବାରୁ ସ୍ଥାନୀୟ ଲୋକେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।

ଏହାପରେ କମ୍ପାନୀ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ । କେନାଲରୁ ପାଣି ଶୁଖାଇ ୩ ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଅପରାହ୍ନ ୩ଟା ସମୟରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଘରକୁ ପଠାଇଦିଆଯାଇଥିଲା । ଶନିବାର ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ପୁଅର ମୃତ୍ୟୁପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ସରକାରୀସ୍ତରରେ କ୍ଷତିପୂରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.