ଭାରତରେ ପହଁଚିବା ପରେ ଆରଟି-ପିସିଆର ଟେଷ୍ଟ୍ ଓ ୧୪ ଦିନିଆ କ୍ୱାରେଣ୍ଚାଇନ ବାଧ୍ୟତାମୂଳକ : ବ୍ରିଟେନ ଫେରନ୍ତାଙ୍କ ପାଇଁ ସରକାର ଜାରି କଲେ ଏସଓପି

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ,୦୨/୦୧:  ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହାମଧ୍ୟରେ ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ବ୍ରିଟେନରୁ ଭାରତ ଆସୁଥିବା ସବୁ ବିମାନ ଉପରେ ରୋକ୍ ଲଗାଇଥିଲେ । ଜାନୁଆରୀ ୮ରୁ ପୁଣି ବିମାନ ଚଳାଚଳ କରିବ । ଏବେ ସରକାର ବ୍ରିଟେନ ଫେରନ୍ତାଙ୍କ ପାଇଁ ଏସଓପି ଜାରି କରିଛନ୍ତି ।

ସରକାର କହିଛନ୍ତି ଯେ, ଯେଉଁ ଯାତ୍ରୀମାନେ ବ୍ରିଟେନରୁ ଭାରତ ଆସିବେ ସେମାନେ ସେଠାରୁ ନେଗେଟିଭ୍ ରିପୋର୍ଟ ଆଣିବାକୁ ହେବ । ତେବେ ଯାତ୍ରୀମାନେ ଆରଟି ପିସିଆର ଟେଷ୍ଚ କରିବେ । ନେଗେଟିଭ୍ ରିପୋର୍ଟକୁ ଭାରତରେ ପହଁଚିବା ପରେ ବିମାନ ବନ୍ଦରରେ ଦେଖାଇବାକୁ ହେବ । ଭାରତରେ ପହଁଚିବା ପରେ ୧୪ ଦିନ ପାଇଁ ଯାତ୍ରୀମାନେ କ୍ୱାରେଣ୍ଟାଇନରେ ରହିବେ ।

ଜାରି ହୋଇଥିବା ଏହି ଏସଓପି ଜାନୁଆରୀ ୩୦ ଯାଏଁ ବୈଧ ରହିବ । ଏହାସହ ଯାତ୍ରୀମାନେ ନିଜର ଟ୍ରାଭେଲ ହିଷ୍ଟ୍ରୀ ମଧ୍ୟ ସରକାରଙ୍କୁ ପ୍ରଦାନ କରିବେ । ଜାନୁଆରୀ ୮ରୁ ୩୦ ମଧ୍ୟରେ ଭାରତ ଆସିବାକୁ ଥିବା ଯାତ୍ରୀମାନେ  ଅନଲାଇନ୍ ପୋର୍ଟାଲରେ ଫର୍ମ ଫିଲଅପ୍ କରି ସମସ୍ତ ତଥ୍ୟ ପ୍ରଦାନ କରିବେ ।

ଏହାସହ ଭାରତରେ ପହଁଚିବା ପରେ ଯାତ୍ରୀମାନେ ନିଜସ୍ୱ ଅର୍ଥରେ ଆଉ ଥରେ ଆରଟି ପିସିଆର ଟେଷ୍ଟ କରିବେ । ଦେଶର ସବୁ ବିମାନବନ୍ଦରରେ ଏହି ସୁବିଧା ଉପଲବ୍ଧ ପାଇଁ ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଯାତ୍ରୀ ପଜିଟିଭ୍ ଚିହ୍ନଟ ହୁଅନ୍ତି ତାହାଲେ ସେମାନଙ୍କ ପାଇଁ ପୃଥକ ଆଇସୋଲେସନ ବ୍ୟବସ୍ଥା କରାଯିବ । ଏହାପରେ ତାଙ୍କର ନମୂନା ନୂଆ ଷ୍ଟ୍ରେନ୍ ନା ନାହଁ ଜାଣିବା ପାଇଁ ଲ୍ୟାବକୁ ପଠାଯିବ । ଯଦି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୁଏ ତେବେ ନେଗେଟିଭ୍ ରିପୋର୍ଟ ନ ଆସିଲା ଯାଏଁ ଆଇସୋଲେସନରେ ରହିବାକୁ ହେବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.