Defense expo 2020: ସେନାକୁ ମିଳିବ ଚାଳକ ବିହୀନ ବାହନ, ଖୋଜି ଖୋଜି କାଢିବ ଆତଙ୍କବାଦୀଙ୍କୁ
6/02/2020 at 8:31 PM

ଲକ୍ଷ୍ନୌ ୫।୨: ଏଠାରେ ଚାଲିଥିବା ଡିଫେନ୍ସ ଏକ୍ସପୋର ଗୁରୁବାର ଥିଲା ଦ୍ୱିତୀୟ ଦିନ। ଏଠାରେ ପ୍ରତିରକ୍ଷା ଗବେଷଣା ସଙ୍ଗଠନ (ଡିଆରଡିଓ)ଙ୍କ ନୂଆ ନୂଆ ଆବିଷ୍କାର ଲୋକଙ୍କୁ ଚମତ୍କୃତ କରିଛି। ତେବେ ଏଠାରେ ଲୋକଙ୍କୁ ଯାହା ସବୁଠୁ ଅଧିକ ଆକର୍ଷିତ କରୁଥିଲା ତାହା ଥିଲା ଏକ କାର। ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି।

ଡିଆରଡିଓଙ୍କ ଭେଇକଲ ରିସର୍ଚ୍ଚ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଭିଆରଡିଇ) ଏହି ବାହନକୁ ବିକଶିତ କରିଥିବା ବେଳେ ଏହାକୁ ଚଳାଇବା ଲାଗି ଚାଳକର ଆବଶ୍ୟକତା ପଡିବ ନାହିଁ। ଭିଆରଡିଆଇ ବଜାରରେ ମିଳୁଥିବା ଏକ ଏସୟୁଭିକୁ କନଭର୍ଟ କରିଛନ୍ତି। ଯାହା ବିନା ଚାଳକରେ ଚାଲିବା ସହ ଆତଙ୍କବାଦୀଙ୍କୁ ଖୋଜିଖୋଜି ବାହାର କରିବ। ଏଥିରେ ସେନାକୁ ରେକି କରିବାକୁ ବେସ ସହାୟତା ମିଳିବା ସହ ଶତ୍ରୁଙ୍କ ମୁକାବିଲାରେ ବି ସହାୟତା କରିବ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭିଆରଡିଇ ଏ ଦିଗରେ କାମ ଆରମ୍ଭ କରିଥିବା ବେଳେ ଏହା ଏବେ ସେନାର ସହାୟତା ଲାଗି ସମ୍ପୂର୍ଣ୍ଣ ସକ୍ଷମ। ଏହି କାରକୁ ଏୟୁଜିବି ନାମକରଣ କରାଯାଇଥିବା ବେଳେ ଏହା ନିଜର ପ୍ରତି ଆଗାମୀ ପଦକ୍ଷେପ ନିଜେ ନିର୍ଦ୍ଧାରଣ କରିପାରିବ। ଏହା ନିଜକୁ ନିଜେ କ୍ରୁଜ ନିୟନ୍ତ୍ରଣ କରିପାରୁଥିବା ବେଳେ ରାସ୍ତାରେ ଆସୁଥିବା ସମସ୍ତ ବାଧା ଓ ପ୍ରତିବନ୍ଧକ ଦୂର କରିପାରିବ। ପ୍ରତ୍ୟେକ ଚାଲେଞ୍ଜକୁ ଏହା ମୁକାବିଲା କରିବା ସହ ନିଜକୁ ନିଜେ ନେଭିଗେଟ୍ କରିବ। ଏଥିରେ ଥିବା ବିଶେଷ ସେନସର ରାସ୍ତାରେ ବିପଦକୁ ମାପି ନିଜକୁ ନିଜେ ଏହାର ମୁକାବିଲା ବି କରିବ ବୋଲି ଭିଆରଡିଇ ବିଭାଗର ବୈଷୟିକ ମୁଖ୍ୟ ଅଭିଷେକ ଦୁବେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଏକ୍ସପୋକୁ ବୁଧବାର ଉଦଘାଟନ କରିଥିଲେ। ଏହି ଅବସରରେ ଆଗାମୀ ୫ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନୀକୁ ୫ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ ଧାର୍ଯ୍ୟ କରିଥିଲେ। ଭାରତ ଏକ ଶାନ୍ତିକାମୀ ଦେଶ। ତେବେ ଏହା ନିଜର ଓ ନିଜ ମିତ୍ର ରାଷ୍ଟ୍ରଙ୍କ ସହଯୋଗ ଲାଗି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।