ପ୍ରବାସୀ ଶ୍ରମିକଙ୍କ ବେଦନାଭରା କାହାଣୀ ଓ ନିଜ ଜୀବନ ସଂଘର୍ଷ ଉପରେ ବହି ଲେଖୁଛନ୍ତି ରିୟଲ୍ ଲାଇଫ୍ ହିରୋ ସୋନୁ ସୁଦ୍

Published By : Prameya-News7 Bureau | July 15, 2020 IST

ମୁମ୍ବାଇ ୧୫/୦୭ : କରୋନା ଭାଇରସ ଯୋଗୁ ଦେଶରେ ହଠାତ ଲକଡାଉନ ଜାରି ହେବାପରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକ ଫସି ରହିଥିଲେ | ନାନା ସମସ୍ୟାର ସମ୍ମୁଖୀନ ହୋଇ ପ୍ରବାସୀ ଶ୍ରମିକ ନିଜ ନିଜ ଭିଟାମାଟି ଫେରିବାକୁ ଚେଷ୍ଟା କରିଥିଲେ | ବାସ, ଟ୍ରେନ ସବୁ ବନ୍ଦ ଥିବାରୁ ପ୍ରବାସୀ ଶ୍ରମିକ ସାଇକଲ, ଠେଲା, ରିକ୍ସା, ଅଥବା ଚାଲି ଚାଲି ନିଜ ଘରକୁ ଫେରିବାକୁ ଚେଷ୍ଟା କରିଥିଲେ | ଏତିକିବେଳେ ପ୍ରବାସୀଙ୍କ ପାଇଁ ଭଗବାନ ସାଜିଥିଲେ ବଲିଉଡ୍ର ରିଲ ଭିଲେନ ସୋନୁ ସୁଦ ଯିଏ ଶ୍ରମିକଙ୍କୁ ସାହାଯ୍ୟ କରି ସାଜିଗଲେ ରିୟଲ ଲାଇଫ ହିରୋ | ଶ୍ରମିକଙ୍କୁ ନିଜ ଘରକୁ ଫେରିବାରେ ସାହାଯ୍ୟ କରିଥିବା ସୋନୁ ସୁଦ ନିଜର ତମାମ ଅନୁଭୂତି ନେଇ ଖୁବ ଶୀଘ୍ର ଏକ ବହି ଲେଖିବାକୁ ଯାଉଛନ୍ତି | 

ଉଲ୍ଲେଖନୀୟ, ପେଙ୍ଗୁଇନ ରେଣ୍ଡମ ହାଉସ ଇଣ୍ଡିଆ ଦ୍ୱାରା ପ୍ରକାଶିତ ହେବାକୁ ଥିବା ଏହି ବହିରେ ସୋନୁ ସୁଦ ନିଜ ପିଲାଦିନୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ତାଙ୍କ ଜୀବନରେ ଘଟିଥିବା ସମସ୍ତ ଘଟଣାକୁ ବିସ୍ତାର ଭାବେ ଲେଖିବେ | ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସେମାଙ୍କ ଘରକୁ ପଠାଇବା ଅନୁଭୂତି ଉପରେ ବିଶେଷ ଭାବେ ପ୍ରକାଶ କରିବେ | ସୋନୁ କହିଛନ୍ତି, 'ବହିରେ ପଞ୍ଜାବରୁ ମୁମ୍ବାଇ ପର୍ଯ୍ୟନ୍ତର ଜୀବନଯାତ୍ରା, ମୁମ୍ବାଇ ଆସିବା ପରେ ମୁଁ କେଉଁ ସବୁ ସମସ୍ୟା ଦେଇ ଗତି କରିଛି, କେଉଁମାନଙ୍କ ସହିତ ମୋର ସାକ୍ଷାତ ହୋଇଥିଲା, ଅଭିନେତା ହେବା ପାଇଁ ମୁଁ କିଭଳି ସଂଘର୍ଷ କରିଛି, ଜୀବନକୁ କିଭଳି ବଞ୍ଚିଛି, ଦକ୍ଷିଣ ଭାରତୀୟ ଫିଲ୍ମରେ ପ୍ରବେଶ ଆଦି ତମାମ ଦିଗ ପ୍ରତି ଦୃଷ୍ଟି ଦେଇଛି |'

ବସ, ଟ୍ରେନ ଓ ଫ୍ଲାଇଟ ଜରିଆରେ ଦେଶର ହଜାର ହଜାର ଶ୍ରମିକଙ୍କୁ ଘରକୁ ପହଞ୍ଚାଇବା ପ୍ରୟାସ ପରେ ସାରା ଦୁନିଆରେ ସୋନୁ ସୁଦଙ୍କ ଖୁବ ପ୍ରଶଂସା ହୋଇଛି | ଲକଡାଉନ ସମୟରେ ସମସ୍ୟା ସମ୍ମୁଖୀନ ହୋଇଥିବା ଶ୍ରମିକଙ୍କ କାହାଣୀ ମଧ୍ୟ ବିସ୍ତାର ଭାବେ ଲେଖିଛନ୍ତି | ସେ କହିଛନ୍ତି, କୋଭିଡ-୧୯ ଆସିବା ପରେ ମୋ ଜୀବନରେ ବହୁତ ବଡ ପରିବର୍ତ୍ତନ ଦେଖାଦେଇଛି | ଯେତେବେଳ ଲୋକେ ଭାଇରସ ଭୟରେ ଘରେ ବସିଥିଲେ, ସେତେବେଳେ ମୁଁ ଘରୁ ବାହାରି ଲୋକଙ୍କୁ ସାହାଯ୍ୟ କରିବାକୁ ନିଶ୍ଚୟ କରିଥିଲି | ସେତେବେଳେ ଲୋକଙ୍କୁ ସେମାନଙ୍କ ଘରକୁ ପଠାଇବାକୁ ମୋତେ କିଭଳି ସମସ୍ୟାର ସାମ୍ନା କରିବାକୁ ପଡିଥିଲା, ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ କିଭଳି ଚେଷ୍ଟା କରିଥିଲି ସେହିସବୁ ମୋ ବହିର ମହତ୍ଵପୁର୍ଣ ଅଂଶ | ଲକଡାଉନ ସମୟରେ ଲୋକେ ନିଜ ଘରକୁ ଯିବାକୁ ଅସ୍ତବ୍ୟସ୍ତ ହୋଇପଡିଥିଲେ | କାହାର ବାପାଙ୍କ ଆକ୍ସିଡେଣ୍ଟ ହୋଇଯାଇଥିଲା, କାହାର ମା ରୋଗରେ ପୀଡିତ ଥିଲେ, କାହାର ସ୍ତ୍ରୀ ଗର୍ଭବତୀ ଥିଲେ...ଏହିଭଳି ନାନା କାହାଣୀକୁ ମୁଁ ମୋ ବହିରେ ରଖାଙ୍କିତ କରିବି |' ଏମିତି ଅନେକ ପ୍ରବାସୀ ଅଛନ୍ତି ଯେଉଁମାନେ ନିଜ ଘରକୁ ସୁରକ୍ଷିତ ଭାବେ ପହଞ୍ଚିବା ପରେ ମଧ୍ୟ ତାଙ୍କ ସହିତ ସମ୍ପର୍କରେ ଅଛନ୍ତି | ଏହିଭଳି ସମସ୍ତ ସମ୍ପର୍କ ଓ ଅନୁଭୂତିକୁ ସେ ଶବ୍ଦରେ ପ୍ରକାଶ କରି ସେ ନିଜ ବହିରେ ଲେଖିଛନ୍ତି ବୋଲି କହିଛନ୍ତି |

ବହିର ନାଁ ଓ ପ୍ରକାଶନ ତାରିଖ କୁହାଯାଇନାହିଁ | କିନ୍ତୁ ବହିକୁ ନେଇ ସୋନୁ ବହୁତ ଉତ୍ସାହିତ | ତେବେ ସୋନୁ ସୁଦଙ୍କ ଦ୍ୱାରା ଲେଖା ଯାଉଥିବା ଏହି ବହି ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ପ୍ରକାଶ ପାଇବାର ସମ୍ଭାବନା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.