କରୋନା କାଳରେ ଚାକିରୀ ହରାଇଥିବା ଲୋକଙ୍କୁ ରୋଜଗାର ସୁଯୋଗ ଦେବେ ସୋନୁ ସୁଦ୍
14/12/2020 at 12:20 PM

ମୁମ୍ବାଇ ୧୪/୧୨ : କରୋନା କାଳରେ ଲକଡାଉନ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ଦେଶର ହଜାର ହଜାର ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଯିବାକୁ ସାହାଯ୍ୟ କରିଥିଲେ। ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଅନ୍ୟ ଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ଦେଶକୁ ଫେରିଆ ଆଣିବା, ଆବଶ୍ୟକୀୟଙ୍କୁ ସାହାଯ୍ୟ କରିବା, ଅଭାବୀ ଲୋକଙ୍କୁ କାମ ଯୋଗାଇଦେବା ଭଳି ଅନେକ ମହତ କାର୍ଯ୍ୟ କରିଛନ୍ତି। ଲୋକଙ୍କୁ ସାହାଯ୍ୟ କରିବା ଏବେ ମଧ୍ୟ ଜାରି ରଖିଛନ୍ତି ଅଭିନେତା। ଲକ୍ଷ ଲକ୍ଷ ଲୋକ ତାଙ୍କ ଦ୍ୱାରା ଉପକୃତ ହୋଇଛନ୍ତି। ଲୋକଙ୍କୁ ସାହାଯ୍ୟ କରି ସେ ଦେଶବାସୀଙ୍କ ହୃଦୟ ଜିଣିଛନ୍ତି। ଲୋକଙ୍କୁ ଅନେକ ପ୍ରକାରେ ସାହାଯ୍ୟ କରିଥିବାରୁ ସୋନୁ ସୁଦଙ୍କ ସମ୍ମାନ ବହୁ ଗୁଣ ବୃଦ୍ଧି ପାଇଛି। ଲୋକେ ତାଙ୍କୁ ଭଗବାନଙ୍କ ଭଳି ପୂଜା କରୁଛନ୍ତି।
ସେ ଲଗାତାର ଗରିବ ଅଭାବୀଙ୍କୁ ସାହାଯ୍ୟ କରିଚାଲିଛନ୍ତି। ବର୍ତ୍ତମାନ ସେ କରୋନା କାଳରେ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଇ-ରିକ୍ସା ଯୋଗାଇବାକୁ ଯୋଜନା କରୁଛନ୍ତି। ‘ନିଜେ ରୋଜଗାର କର ଘର ଚଳାଅ’ ନାମକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଜନା ଜରିଆରେ ଆବଶ୍ୟକୀୟ ଲୋକ ଇ-ରିକ୍ସା ପାଇପାରିବେ। ଏହି ଯୋଜନା ଜରିଆରେ ସେ ଚାକିରୀ ହରେଇଥିବା ଲୋକଙ୍କୁ ଆତ୍ମନିର୍ଭର କରିବାକୁ ଚାହୁଁଛନ୍ତି।
ନିଜର ଏହି ନୂଆ ଯୋଜନା ସମ୍ବନ୍ଧରେ ସେ ଏକ ଟ୍ୱିଟ କରତିଛନ୍ତି। ଟ୍ୱିଟ୍ ମାଧ୍ୟମରେ ସେ ଲୋକଙ୍କୁ ଯୋଜନା ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଆସନ୍ତକାଲିର ଏକ ଭଲ ଭବିଷ୍ୟତ ପାଇଁ ଆଜି ଏକ ଛୋଟ ପଦକ୍ଷେପ, ଏମିତି ଲୋକଙ୍କୁ ଇ-ରିକ୍ସା ଉପଲବ୍ଧ କରାଇବା ଯେଉଁମାନେ ଇ-ରିକ୍ସା ମାଧ୍ୟମରେ ନିଜର ଏକ ଛୋଟ ବ୍ୟବସାୟ ଆରମ୍ଭ କରିପାରିବେ, ରୋଜଗାର କରିପାରିବେ। ଲୋକଙ୍କୁ ଆତ୍ମନିର୍ଭର କରି ଗଢିବା ଦିଗରେ ଏକ ଛୋଟ ସହଯୋଗ।’