କୃଷି ଆନ୍ଦୋଳନକୁ ନେଇ ଦୁଃଖ ପ୍ରକାଶ କଲେ ସୋନୁ ସୁଦ୍: କହିଲେ-'କୃଷକଙ୍କ ବିରୋଧ ପ୍ରଦର୍ଶନର ଏହି ଦୃଶ୍ୟ କେବେ ଭୁଲି ହେବନି'

Published By : Prameya-News7 Bureau | December 19, 2020 IST

ମୁମ୍ବାଇ ୧୯/୧୨ : ଲୋକପ୍ରିୟ ବଲିଉଡ ଅଭିନେତା ସୋନୁ ସୁଦ୍ ଶୁକ୍ରବାର ଦିନ ତିନିଟି ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରିଛନ୍ତି। କୃଷକଙ୍କ ସମସ୍ୟାର ସମାଧାନ ଶୀଘ୍ର ହେବା ଦରକାର ବୋଲି ଆଶା ପ୍ରକାଶ କରିଛନ୍ତି। ହରିୟାଣା, ପଞ୍ଜାବ ଓ ଅନ୍ୟାନ୍ୟ ରାଜ୍ୟମାନଙ୍କର ହଜାର ହଜାର ଚଷୁ ଦିଲ୍ଲୀ ସୀମାରେ ନୂଆ କୃଷି ଆଇନ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଚାଷୀ ନିଜ ହକ ପାଇଁ ଆନ୍ଦୋଳନରେ ବସିଛନ୍ତି। ନୂଆ କୃଷି ଆଇନ ଯୋଗୁଁ ସର୍ବନିମ୍ନ ସମର୍ଥନ ମୂଲ୍ୟ ପ୍ରଣାଳୀ ସମାପ୍ତ ହୋଇଯିବ ଏବଂ ବଡ ବଡ ବ୍ୟବସାୟୀଙ୍କ ନିୟନ୍ତ୍ରଣ ତାଙ୍କ ଉପରେ ରହିବ ବୋଲି କୃଷକଙ୍କ ମନରେ ଭୟ ରହିଛି। 

ଚଳିତ ବର୍ଷ କରୋନା ମହାମାରୀ ଓ ଲକଡାଉନ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରି ପ୍ରଶଂସାର ପତ୍ର ହୋଇଛନ୍ତି ସୋନୁ ସୁଦ୍। କେବଳ ଦେଶରେ ନୁହେଁ ବରଂ ଦେଶରେ ମଧ୍ୟ ଲୋକଙ୍କ ମନ ଜିଣିଛନ୍ତି ଏହି ରିୟଲ ଲାଇଫ ହିରୋ। ରିଲରେ ଭିଲେନ ଚରିତ୍ରରେ ଅଭିନୟ କରୁଥିବା ସୋନୁ ସୁଦ କରୋନା ମହାମାରୀ ସମୟରେ ପ୍ରକୃତ ମାନବିକତାର ପରିଚୟ ଦେଇଛନ୍ତି। ଅସହାୟ ଓ ଅଭାବୀଙ୍କୁ ସେ ଲଗାତାର ସାହାଯ୍ୟ କରିଚାଲିଛନ୍ତି। 

କୃଷକ ଆନ୍ଦୋଳନକୁ ନେଇ ସୋନୁ କହିଛନ୍ତି, କିଏ ଠିକ୍ କିଏ ଭୁଲ ତା ମଝିରେ ସେ ପଡ଼ିବାକୁ ଚାହୁଁ ନାହାନ୍ତି। ସେ କେବଳ କୃଷକଙ୍କ ସମସ୍ୟା ସମାଧାନ ଶୀଘ୍ର ହେଉ ବୋଲି ଚାହୁଁଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ଦୁଖଦ ଘଟଣା, ଶୀତରେ ଥଣ୍ଡା ପାଗରେ ଖୋଲା ଆକାଶ ତଳେ ହଜାର ହଜାର ଚାଷୀ ନିଜ ହକ ପାଇଁ ଲଢ଼ୁଛନ୍ତି। ସେମାନଙ୍କ ସମସ୍ୟା ସମାଧାନ ପାଇଁ ବାଟ ବାହାର କରାଯିବ ଉଚିତ। ସେ କହିଛନ୍ତି, 'ମୁଁ ଜାଣିଛି ସବୁ ସମସ୍ୟାର ସମାଧାନ ଅଛି। ମୁଁ ପଞ୍ଜାବରେ ଜନ୍ମ ହୋଇଛି, ପଞ୍ଜାବରେ ବଢିଛି। ମୁଁ ଚାଷୀଙ୍କ ସହ ସମୟ ବିତାଇଛି। ମୁଁ ଭାବୁଛି ଆମେ ତାଙ୍କୁ ସମୟ ଦେବା ତାହେଲେ ପଞ୍ଜାବୀ ସମ୍ପ୍ରଦାୟକୁ ସ୍ନେହରେ ମନାଇ ହେବ।'

ସୋନୁ ସୁଦ 'ୱି ଦ ୱିମେନ୍' ନାମକ ଏକ ଅନଲାଇନ କାର୍ଯ୍ୟକ୍ରମ ସମୟରେ କୃଷି ଆନ୍ଦୋଳନ ସମ୍ପର୍କରେ ନିଜର ମତାମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ସାମ୍ବାଦିକ ବରଖା ଦତ୍ତଙ୍କ ସହ କଥାବାର୍ତ୍ତା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.