ସମାଜ ପ୍ରତି ସୋନୁ ସୁଦଙ୍କ ଆଉ ଏକ ପଦକ୍ଷେପ: ବ୍ଲଡ୍ କ୍ୟାନ୍ସର୍ ରୋଗୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଅଭିନେତା
24/01/2021 at 4:16 PM

ମୁମ୍ବାଇ ୨୪/୦୧ : ବଲିଉଡ ଅଭିନେତା ସୋନୁ ସୁଦ ପୁଣିଥରେ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ବ୍ଲଡ଼ ସ୍ଟେମ ସେଲ ରେଜିଷ୍ଟ୍ରେସନ ଓ ଡୋନେସନ ପ୍ରତି ସଚେତନତା ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସେ ଡିକେଏମଏସ୍ ବିଏମଏସଟି ଫାଉଣ୍ଡେସନ୍ ଇଣ୍ଡିଆ ସହ ହାତ ମିଳାଇଛନ୍ତି। ଏହି ଫାଉଣ୍ଡେସନ୍ ବ୍ଲଡ୍ କ୍ୟାନ୍ସର୍ ଓ ରକ୍ତ ସମ୍ବନ୍ଧୀୟ ଅନ୍ୟ ରୋଗ ଯେପରିକି ଥାଲାସେମିଆ ଓ ଏପ୍ଲାସ୍ଟିକ୍ ଏନିମିଆ ବିରୋଧରେ ଲଢ଼ିବାକୁ ସମର୍ପିତ। ସୋନୁ ସୁଦ୍ ଏକ ପଦକ୍ଷେପ ଆରମ୍ଭ କରିଛନ୍ତି ଯାହାଦ୍ୱାରା ସମ୍ଭବତଃ ୧୦ ହଜାର ଭାରତୀୟ ବ୍ଲଡ୍ ସ୍ଟେମ୍ ସେଲ୍ ଦାତା ଭାବେ ପଞ୍ଜିକୃତ ହେବେ।
ଦୁନିଆରେ ହେମାଟୋଲୋଜିକାଲ୍ କ୍ୟାନ୍ସର୍ ମାମଲାରେ ଭାରତ ତୃତୀୟ ସ୍ଥାନରେ ଅଛି। ପିଲାମାନଙ୍କ ଥରେ କ୍ୟାନ୍ସର୍ ଜନିତ ମୃତ୍ୟୁର ଏହା ଏକ ମୁଖ୍ୟ କାରଣ। ଦେଶରେ ବ୍ଲଡ୍ କ୍ୟାନ୍ସର୍ ମାମଲାକୁ ଦୃଷ୍ଟିରେ ରଖି ବ୍ଲଡ୍ କ୍ୟାନ୍ସର ରୋଗୀଙ୍କୁ ସମର୍ଥନ କରିବା ବହୁତ ଜରୁରୀ। ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ, ରାହୁଲ ଦ୍ରାବିଡ଼ଙ୍କ ଭଳି ସେଲିବ୍ରିଟିଙ୍କ ପରେ ବର୍ତ୍ତମାନ ସୋନୁ ସୁଦ୍ ଲୋକଙ୍କୁ ସଚେତନ କରିବାକୁ ଏକ ଭିଡିଓ ମାଧ୍ୟମରେ ଅପିଲ କରିଛନ୍ତି। ଭିଡିଓରେ ସେ ଦେଶବାସୀଙ୍କୁ ବ୍ଲଡ୍ ସ୍ଟେମ୍ ସେଲ୍ ଡୋନର୍ସ ଭାବେ ପଞ୍ଜିକୃତ ହୋଇ ବ୍ଲଡ୍ କ୍ୟାନ୍ସର ଓ ବ୍ଲଡ୍ ଡ଼ିସଅର୍ଡର ରୋଗୀଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।
ସୋନୁ ସୁଦ୍ କହିଛନ୍ତି, “ସମାଜ ପ୍ରତି କାମ କରିବାକୁ ମୁଁ ନିଜେ ନିଷ୍ପତ୍ତି ନେଇଛି। ଏହାର କିଛି ଖାସ କାରଣ ନାହିଁ। କିନ୍ତୁ ଆବଶ୍ୟକୀୟଙ୍କ ପାଖକୁ ପହଞ୍ଚିବାକୁ ମୁଁ ସବୁବେଳେ ପ୍ରୟାସ କରିଛି, ସେ ପ୍ରବାସୀ ଶ୍ରମିକ ହୁଅନ୍ତୁ, ବିଦ୍ୟାର୍ଥୀ ହୁଅନ୍ତୁ ବା କୋଉ ରୋଗୀ।”
ଆଗକୁ ସେ କହିଛନ୍ତି, ଜଣେ ସମ୍ଭାବିତ ବ୍ଲଡ୍ ସେଲ୍ ଡୋନାର୍ ଭାବେ ପଞ୍ଜିକୃତ ହୋଇ ଆମେ ସେମାନଙ୍କ ଜୀବନରେ ଆଶାର ଏକ କିରଣ ଆଣିପାରିବ। ଏହି ଭାବନାକୁ ମୁଁ ଏକ ଦାୟିତ୍ୱ ଭାବେ ଗ୍ରହଣ କରିଛି ସମ୍ଭାବିତ ୧୦ ହଜାର ସ୍ଟେମ୍ ସେଲ୍ ଡୋନର୍ସଙ୍କୁ ଯୋଡି ଏହି ଅଭିଯାନକୁ ଆଗକୁ ବଢାଇବାକୁ ଅନୁରୋଧ କରୁଛି। ଏହିଭଳି କାମ ପ୍ରତି ସମର୍ପିତ ହେବାକୁ ଡିକେଏମଏସ୍ ବିଏମଏସଟି ଭଳି ଏନଜିଓକୁ ସେ ଧନ୍ୟବାଦ ଜଣାଇଛନ୍ତି।
ଡିକେଏମଏସ୍ ବିଏମଏସଟି ଫାଉଣ୍ଡେସନର ସିଇଓ ପ୍ୟାଟ୍ରିକ୍ ପଲ୍ କହିଛନ୍ତି ଯେ, ପ୍ରତ୍ୟେକ ପଞ୍ଜିକରଣ ଦ୍ୱାରା ବ୍ଲଡ଼ କ୍ୟାନ୍ସର ଓ ବ୍ଲଡ୍ ଡ଼ିସଅର୍ଡର ରୋଗୀଙ୍କ ମଧ୍ୟରେ ପୁଣିଥରେ ଜୀବନ ଜିଇଁବାର ଆଶା ଜାଗ୍ରତ ହେବ ଏବଂ ଡୋନର୍ସଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ମ୍ୟାଚ ବ୍ଲଡ଼ ଖୋଜୁଥିବା ରୋଗୀଙ୍କ ମନରେ ଆଶା ସୃଷ୍ଟି ହେବ। ସୋନୁ ସୁଦଙ୍କ ଏହି ଯୋଗଦାନକୁ ସେ ସଲାମ ଜଣାଇଛନ୍ତି। ସମ୍ଭାବିତ ଜୀବନ ରକ୍ଷକ ଭାବେ ପଞ୍ଜିକୃତ କରିବାକୁ ଅଧିକରୁ ଅଧିକ ଭାରତୀୟ ଆଗକୁ ଆସିବେ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି।