ପୁଣି ଯୁବକଙ୍କ ପାଇଁ ଦେବଦୂତ ପାଲଟିଲେ ସୋନୁ ସୁଦ : ୧୨ବର୍ଷ ପରେ ନିଜ ଗୋଡ଼ରେ ଛିଡ଼ା ହେଲେ ଅମନ
7/12/2020 at 12:28 PM

କରନାଲ ୭/୧୨: ଫିଲ୍ମଷ୍ଟାର ସୋନୁ ସୁଦ କରୋନା ଲକଡାଉନ୍ ପରଠୁ ଚର୍ଚ୍ଚାରେ ରହିଛନ୍ତି। ସୋନୁ ସୁଦଙ୍କୁ କରନାଲ ସ୍ଥିତ ଓ୍ବିର୍କ ହସ୍ପିଟାଲର ଯୁବ ନ୍ୟୁରୋ ସର୍ଜନ ଡାକ୍ତର ଅଶ୍ବନୀଙ୍କ ଭରପୂର ସହଯୋଗ ମିଳୁଛି। ସୋନୁ ସୁଦଙ୍କ ଯୋଗୁଁ ଗତ ୧୨ବର୍ଷ ହେବ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଛତିଶଗଡ଼ର ଅମନଙ୍କୁ ନୂଆ ଜୀବନ ମିଳିଛି।
ମେରୁଦଣ୍ଡ ହାଡ଼ରେ ସମସ୍ୟା ଭୋଗୁଥିବା ଅମନ ଗତ ୧୨ବର୍ଷରୁ ବିଛଣାରେ ପଡ଼ିଥିଲେ। ଅମନଙ୍କ ବାପା ଭଡ଼ାଘରେ ରହୁଥିଲେ ଏବଂ ଭଡ଼ା ଅଟୋ ଚଲାଉଥିଲେ। ଅର୍ଥ ସମସ୍ୟା ଏବଂ ମହଙ୍ଗା ଚିକିତ୍ସା କାରଣରୁ ନିଜ ପୁଅକୁ କଷ୍ଟ ପାଉଥିବା ଦେଖିବା ଛଡ଼ା ସେମାନଙ୍କ ପାଖରେ ଆଉ କୌଣସି ରାସ୍ତା ନଥିଲା। କିନ୍ତୁ ବିଛଣାରେ ପଡ଼ି ଅମନ ଏପରି ଏକ ରାସ୍ତା ବାହାର କରିଥିଲେ ଯାହା ଫଳରେ ତାଙ୍କ ନିଜ ଗୋଡ଼ରେ ଛିଡ଼ା ହେବାର ସ୍ବପ୍ନ ପୂରଣ ହୋଇପାରିଛି। ଏବେ ଅମନଙ୍କ ବାପା -ମାଆ ସୋନୁ ସୁଦ ଏବଂ ଡାକ୍ତର ଅଶ୍ବନୀଙ୍କ ପ୍ରଶଂସା କରି କରି ଥକୁ ନାହାନ୍ତି କାରଣ ଏହି ୨ଜଣଙ୍କ ଯୋଗୁଁ ଅମନଙ୍କ ଆଶା ପୂରଣ ହୋଇପାରିଛି।
ସୋନୁ ସୁଦଙ୍କ ସହାୟତାରେ ଅମନଙ୍କ କରନାଲର ଓ୍ବିର୍କ ହସ୍ପିଟାଲରେ ନ୍ୟୁରୋ ସର୍ଜନ ଡାକ୍ତର ଅଶ୍ବନୀଙ୍କ ଦେଖାଶୁଣାରେ ଚିକିତ୍ସା ହୋଇଥିଲା। ଅମନଙ୍କ ପାଟି ରାସ୍ତାରେ ମେରୁଦଣ୍ଡ ହାଡ଼ର ସର୍ଜରି ହୋଇଥିଲା ଯାହା ଦୀର୍ଘ ସମୟ ଧରି ଚାଲିଥିଲା। କିନ୍ତୁ ଏବେ ଅମନଙ୍କ ହସ ତାଙ୍କ ଭବିଷ୍ୟତ କହୁଛି। ଅମନଙ୍କୁ ନୂଆ ଜୀବନ ଦେଇଥିବା ଡାକ୍ତର ଅଶ୍ବନୀ ଏବେ ସୁଦ୍ଧା ପାଖାପାଖି ୧ହଜାର ମୁଣ୍ଡ ଏବଂ ମେରୁଦଣ୍ଡ ହାଡ଼ ସର୍ଜରି କରି ସାରିଛନ୍ତି। ସେ ନିଜକୁ ଭାଗ୍ୟଶାଳୀ ବୋଲି କହୁଛନ୍ତି କାରଣ ସୋନୁଙ୍କ ପାଇଁ ତାଙ୍କୁ ଏପରି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିଥିଲା।