ଦିନ ମଜୁରିଆଙ୍କ ନବଜାତ ଶିଶୁର ହାର୍ଟ ଅପରେସନ କରାଇବେ ସୋନୁ ସୁଦ, ଖର୍ଚ୍ଚ ହେବ ୮ ଲକ୍ଷ ଟଙ୍କା

Published By : Prameya-News7 Bureau | June 11, 2021 IST

ଜାଲୋର ୧୧/୦୬ : ସାରା ଦେଶରେ ସହାୟତାର ହାତ ବଢ଼ୁଥିବା ଅଭିନେତା ସୋନୁ ସୁଦ ରାଜସ୍ଥାନ ଜାଲୋରର ଜଣେ ଦିନ ମଜୁରିଆଙ୍କ ନବଜାତ ଶିଶୁର ହାର୍ଟ ଅପରେସନ କରାଇବେ । ଜାଲୋରର ଭାଗରାମଙ୍କ ଘରେ ଜୁନ ୧ ତାରିଖରେ ଶିଶୁ କନ୍ୟା ଜନ୍ମ ହୋଇଥିଲା । କିନ୍ତୁ ଜନ୍ମ ହେବାପରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା ।

ଯାଞ୍ଚ ପରେ ଡାକ୍ତର ଜାଣିବାକୁ ପାଇଲେ ଯେ ଶିଶୁର ହାର୍ଟରେ ହୋଲ ଅଛି ଓ ହାର୍ଟର ଶିରା ମଧ୍ୟ ଏପଟ ସେପଟ ଅଛି । ଡାକ୍ତର ଅପରେସନ କରିବାକୁ କହିଥିଲେ । ଏହି ଅପରେସନ ଯୋଧପୁର ଭଳି ବଡ ସହରରେ ହୋଇପାରିବ । ଭାଗରାମ ଝିଅକୁ ନେଇ ଯୋଧପୁର ଆସିଥିଲେ । ଡାକ୍ତର ଅପରେସନ ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ।ଜଣେ ଦିନ ମଜୁରିଆ ପିତା ପାଇଁ ଏତେ ଟଙ୍କା ଯୋଗାଡ କରିବା ଅସମ୍ଭବ ଥିଲା । ଡାକ୍ତରଙ୍କ କଥା ଶୁଣି ସେ ନିରାଶ ହୋଇ ବସିପଡ଼ିଲେ ।

{"id":464701,"sizeSlug":"large","linkDestination":"none"}

ଇତି ମଧ୍ୟରେ ପଡୋଶୀରେ ରହୁଥିବା ଜଣେ ଯୁବକ ଏ ସମ୍ବନ୍ଧରେ ଜାଣିବା ପରେ ସଂଚୌରରେ ରହୁଥିବା ଜଣେ ସମାଜସେବୀଙ୍କୁ ଯୋଗାଯୋଗ କରିଥିଲେ । ସେ ଶିଶୁ ସମ୍ପର୍କରେ ସୋନୁ ସୁଦଙ୍କୁ ଟ୍ୱିଟ କରି ଜଣାଇଥିଲେ । କିଛି ସମୟ ପରେ ସୋନୁ ସୁଦ ଟ୍ୱିଟରରେ ତାଙ୍କୁ ଯୋଗାଯୋଗ କରିଥିଲେ । ଶିଶୁର ପରିବାର ସମ୍ପର୍କରେ ପଚାରି ବୁଝିଥିଲେ ଓ ମୁମ୍ବାଇର ବଡ ଡାକ୍ତରଙ୍କ ଦ୍ୱାରା ଶିଶୁର ଅପରେସନ କରାଇବେ ବୋଲି ସେ ତାଙ୍କୁ ଆଶ୍ୱାସନା ଦେଇଥିଲେ । ଅପରେସନର ସବୁ ଖର୍ଚ୍ଚ ସୋନୁ ସୁଦଙ୍କ ଫାଉଣ୍ଡେସନ ଉଠାଇବ ।

ଶିଶୁକୁ ସ୍ଥାନାନ୍ତର କରିବାକୁ ଯୋଧପୁରରୁ ସୋନୁ ସୁଦଙ୍କ ଟିମ ହିତେଶ ଜୈନ ପହଞ୍ଚିଛନ୍ତି । ଶିଶୁର ପରିବାର ସୋନୁ ସୁଦଙ୍କ ସହ କଥା ହୋଇଛନ୍ତି । ପରିବାର ହାତ ଯୋଡି ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋନୁ କହିଥିଲେ ଧନ୍ୟବାଦର କିଛି ଆବଶ୍ୟକତା ନାହିଁ । ଶିଶୁକୁ ସୁସ୍ଥ କରି ଶୀଘ୍ର ଘରକୁ ପଠାଇଦେବେ । ଝିଅ ସୁସ୍ଥ ହେବାପରେ ଥରେ ଆପଣଙ୍କ ଘରକୁ ନିଶ୍ଚୟ ଆସିବି ଓ ରାଜସ୍ଥାନୀ ଭୋଜନ କରିବି ବୋଲି କହିଛନ୍ତି ଅଭିନେତା ।

ପରିବାର ଲୋକ ଶିଶୁର ନାଁ ସୋନୁ ରଖିଛନ୍ତି । ଶିଶୁର ପିତା କହିଛନ୍ତି ଝିଅର ଅପରେସନ କରିବା ତାଙ୍କ ପାଇଁ ସମ୍ଭବ ନଥିଲା । ସୋନୁ ସୁଦ ତାଙ୍କ ପାଇଁ ଭଗବାନ । ସେଥିପାଇଁ ସେ ଝିଅର ନାଁ ସୋନୁ ରଖିଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.