ସୋନୁ ସୁଦ୍ଙ୍କ ଟ୍ୱିଟ୍-‘ଇଜ୍ଜତ କମାଇବାକୁ ସାମ୍ନାକୁ ଆସ, ପ୍ରସିଦ୍ଧ ହେବାକୁ ନୁହେଁ’: ଲୋକେ ପଚାରିଲେ, କଙ୍ଗନାଙ୍କୁ କହୁଛନ୍ତି କି ?
17/09/2020 at 1:01 PM

ମୁମ୍ବାଇ ୧୭/୦୯ : କରୋନା ମହାମାରୀ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଭିଟାମାଟିକୁ ଯିବାକୁ ସାହାଯ୍ୟ କରି ବଲିଉଡ ଅଭିନେତା ସୋନୁ ସୁଦ୍ କୋଟି କୋଟି ଭାରତୀୟଙ୍କ ମନ ଜିତିଛନ୍ତି । ସାହାଯ୍ୟର ଯେଉଁ ହାତ ସେ ବଢାଇଥିଲେ ତାହା ଆଜି ଯାଏଁ ଜାରି ରହିଛି । ଅନେକ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ସେ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି । ଅଭାବୀ ଓ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରୁଥିବାରୁ ସବୁବେଳେ ତାଙ୍କୁ ନେଇ ଚର୍ଚ୍ଚା । ଚର୍ଚ୍ଚାରେ ରହୁଥିବା ସୋନୁ ସୁଦ ଏମିତି ଏକ ଟ୍ୱିଟ୍ କରିଛନ୍ତି ଯାହାକୁ ନେଇ ଲୋକେ ବର୍ତ୍ତମାନ ତାଙ୍କୁ ପ୍ରଶ୍ନ କରିଛନ୍ତି ଏହା କଙ୍ଗନାଙ୍କ ଆକ୍ଷେପରେ ନୁହେଁ ତ ?

ଗତ କିଛି ମାସ ହେଲା ସୋନୁ ସୁଦ୍ ସୋସିଆଲ୍ ମିଡ଼ିଆରେ ଖୁବ ଆକ୍ଟିଭ ଅଛନ୍ତି । ବଲିଉଡ୍ ସବୁଠାରୁ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଜଣେ ହେଲେ ସୋନୁ ସୁଦ୍ । ନିକଟରେ ସେ ଦୁଇଟି ଟ୍ୱିଟ୍ କରିଛନ୍ତି । ତାଙ୍କ ଟ୍ୱିଟକୁ ଦେଖି ଲୋକେ ଅନୁମାନ କରୁଛନ୍ତି ଯେ ପଙ୍ଗା ଗାର୍ଲ କଙ୍ଗନା ରଣାୱତଙ୍କ ନାଁ ନ ନେଇ ସୋନୁ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ଟ୍ୱିଟରେ ସୋନୁ ଲେଖିଛନ୍ତି, ‘ଲୋକେ ନିଜ ଜୀବନରେ ଯେତେକି ଶକ୍ତି ଅନ୍ୟମାନଙ୍କୁ ନୀଚା ଦେଖାଇବାରେ, ତଳେ ପକାଇବାରେ ଲଗାନ୍ତି, ସେତିକି ଶକ୍ତି ଯଦି ତାଙ୍କୁ ଉଠାଇବାରେ ଲଗାଇବେ ତାହେଲେ ଦେଶ ରାତାରାତି ବଦଳିଯିବ ।’
ଏହା ପୂର୍ବରୁ ବୁଧବାର ରାତିରେ ମଧ୍ୟ ସେ ଏକ ଟ୍ୱିଟ କରିଥିଲେ । ଏହି ଟ୍ୱିଟରେ ସେ ଲେଖିଛନ୍ତି, ‘ଇଜ୍ଜତ କମାଇବାକୁ ସାମ୍ନାକୁ ଆସ, କେବଳ ପ୍ରସିଦ୍ଧି ପାଇଁ ନୁହେଁ, ଏମିତି ବହୁତ ପ୍ରସିଦ୍ଧ ଲୋକ ଅଛନ୍ତି ଯେଉଁମାନେ କେବେ ଇଜ୍ଜତ ପାଇନାହାନ୍ତି ।’
ଗତ କିଛି ଦିନ ହେଲା କଙ୍ଗନାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଯେତେବେଳେ କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ, ସେତେବେଳେ ମଧ୍ୟ ସୋନୁ ସୁଦ ତାଙ୍କୁ ସମାଲୋଚନା କରିଥିଲେ । ସେତେବେଳେ ସୋନୁ କହିଥିଲେ, ‘ମୁମ୍ବାଇ…ଏ ସହର ଭାଗ୍ୟ ବଦଳାଇ ଦିଏ, ସଲାମ କଲେ ସଲାମି ମିଳିଥାଏ ।’