ବିଏମସି ଯୋଗୁଁ ଚିନ୍ତିତ ସୋନୁ ସୁଦ୍: ସୋସିଆଲ୍ ମିଡ଼ିଆରେ ଦୁଃଖ ପ୍ରକାଶ କରି କହିଲେ…
13/01/2021 at 5:05 PM

ମୁମ୍ବାଇ ୧୩/୦୧ : କରୋନା ଲକଡାଉନ୍ ସମୟରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିବା ବଲିଉଡ ଅଭିନେତା ସୋନୁ ସୁଦ ବର୍ତ୍ତମାନ ବିଏମସି ଯୋଗୁଁ ନାନା ହଇରାଣ ହରକତ ହେଉଛନ୍ତି। ବିଏମସି ସୋନୁ ସୁଦଙ୍କ ଉପରେ ଅବୈଧ ନିର୍ମାଣ ଆରୋପ ଲାଗିଛି। ଏହାକୁ ନେଇ ସୋନୁ ସୁଦ୍ ସୋସିଆଲ୍ ମିଡ଼ିଆରେ ପରୋକ୍ଷ ଭାବେ ଚିନ୍ତା ଜାହିର କରିଛନ୍ତି। ସୋନୁ ସୁଦ୍ ଟ୍ୱିଟରରେ ଲେଖିଛନ୍ତି, “ଦୁନିଆର ସମସ୍ୟା ହେଲା…ଯଦି ଜଣେ ଭଲ ତାହେଲେ ସେ କାହିଁକି ଭଲ ?”
ଗତକାଲି ମଧ୍ୟ ସୋନୁ ସୁଦ ଏକ ଟ୍ୱିଟ କରିଥିଲେ ଯେ “କାହାକୁ ସାହାଯ୍ୟ କରିବାକୁ ଶୁଭ ମୁହୂର୍ତ୍ତ ନା କେବେ ଥିଲା ନା କେବେ ହେବ..ଏବେ ନାଇଁ ତ କେବେ ବି ନାଇଁ”
ବିଏମସି ଆରୋପ ଲାଗିଛି ଯେ ସୋନୁ ସୁଦ୍ ବିନା ଅନୁମତିରେ ୬ ମହଲା କୋଠାକୁ ହୋଟେଲରେ ପରିଣତ କରିଛନ୍ତି। ଏହି ମାମଲାକୁ ନେଇ ବିଏମସି ଜାନୁଆରୀ ୭ ତାରିଖରେ ଥାନାରେ ମାମଲା ରୁଜ୍ଜୁ କରିଥିଲା। ଗତ ବର୍ଷ ଅକ୍ଟୋବରରେ ବିଏମସି ଏହି ମାମଲାରେ ସୋନୁ ସୁଦଙ୍କୁ ନୋଟିସ୍ ଜାରି କରିଥିଲା। ସେହି ନୋଟିସକୁ ନେଇ ସୋନୁ ସୁଦ୍ ଡିସେମ୍ବରରେ ଦିବାନି ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ତାଙ୍କ ଆବେଦନ ଖାରଜ୍ କରିଦେଇଥିଲେ।
ଏହାପରେ ସୋନୁ ସୁଦ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବମ୍ବେ ହାଇକୋର୍ଟ ମାମଲାର ଶୁଣାଣି କରି ଜାନୁଆରୀ ୧୩ ତାରିଖ ଯାଏଁ ସୋନୁ ସୁଦଙ୍କ କୋଠାରେ ବିଏମସି ଦ୍ୱାରା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି।
ହାଇକୋର୍ଟ ଏହି ମାମଲାରେ ବିଏମସିକୁ ଆଫିଡେଭିଟ୍ ଦାଖଲ କରିବାକୁ କହିଛନ୍ତି। ବିଏମସି ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ଆଫିଡେଭିଟ୍ ରେ କହିଥିଲା ଯେ ସୋନୁ ସୁଦ୍ ‘ଅଭ୍ୟାସଗତ ଅପରାଧୀ’।
ବୁଧବାର ଦିନ ସୋନୁ ସୁଦ୍ ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାରକୁ ମଧ୍ୟ ବିଏମସି ନୋଟିସ ସହ ଯୋଡାଯାଉଛି।