ସୋନୁ ସୁଦ ଏବେ ଅନେକଙ୍କ ଭରସା,ନିଜ ଆଡ଼ୁ ଫୋନ୍ କରି ଖେଳାଳିଙ୍କୁ ବଢ଼ାଇଲେ ସହାୟତାର ହାତ

Published By : Prameya-News7 Bureau | September 01, 2020 IST

ମୁମ୍ବାଇ ୧/୯: ଅଭିନେତା ସୋନୁ ସୁଦ ଏବେ ରିୟଲ ଲାଇଫ ହୀରୋ ହୋଇ ଯାଇଛନ୍ତି ଯାହାକୁ ଲୋକେ ସାହାଯ୍ୟ ଆଶାରେ ଦେଖୁଛନ୍ତି। ସୋନୁ ବି ନିଜ ଟିମ୍ ସହ ଯଥାସମ୍ଭବ ସମସ୍ତଙ୍କୁ ସାହାଯ୍ୟ ପାଇଁ ଉଦ୍ୟମ କରୁଛନ୍ତି। ଜୟପୁରର ଜଣେ ଆଥଲେଟ ମନୋଜ ଜାଙ୍ଗିଡ଼ ସୋନୁ ସୁଦଙ୍କଠୁ ମିଳୁଥିବା ସାହାଯ୍ୟର ପ୍ରଶଂସା କରିବାକୁ ଥକୁ ନାହାନ୍ତି।

ଜାଙ୍ଗିଡ଼ ଜଣେ ରେସ୍ ଓ୍ବାକର। ସେ ଏପରି ପରିବାରରୁ ଆସିଛନ୍ତି ଯାହାଙ୍କ ସୀମିତ ସମ୍ବଳ ଯୋଗୁଁ କଷ୍ଟରେ ଜୀବନ ଅତିବାହିତ ହୋଇଥାଏ। ତାଙ୍କ ବାପା ବଢ଼େଇ। ଯାଙ୍ଗିଡ଼ ନିଜ ତରଫରୁ ନ୍ୟାସନାଲ୍ ରେସ୍ ଓ୍ବାକର ହେବାର ସ୍ବପ୍ନକୁ ପୂରଣ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି।

ଜାଙ୍ଗିଡ଼ ୨୦୧୯ମସିହାରେ,ଜାତୀୟ ସ୍ତରରେ ରେସ୍ ଓ୍ବାକିଂ ଇଭେଣ୍ଟରେ ୫ମ ସ୍ଥାନ ପାଇବାରେ ସଫଳତା ହାସଲ କରିଥିଲେ। ସେ ସୋସିଆଲ୍ ନେଟଓ୍ବାର୍କିଂ ସାଇଟ,ଟ୍ବିଟରର ସାହାଯ୍ୟ ନେଇଥିଲେ ଏବଂ ନିଜ ପରିବାରର ଆର୍ଥିକ ସ୍ଥିତି କଥା କହି ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ସୋନୁ ସୁଦଙ୍କ ଉତ୍ତର ଦେଖି ଜାଙ୍ଗିଡ଼ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଜାଙ୍ଗିଡ଼ଙ୍କ ଟ୍ବିଟ୍ ପରେ ଅଭିନେତା ସୋନୁ ସୁଦଙ୍କ ମ୍ୟାନେଜର ​ଫୋନରେ ସମସ୍ତ ସୂଚନା ଦେବାକୁ କହିଥିଲେ। ପରେ ସୋନୁ ନିଜେ ମଧ୍ୟ ଜାଙ୍ଗିଡ଼ଙ୍କୁ ଫୋନ୍ କରିଥିଲେ। ଯୁବ ଆଥଲେଟଙ୍କୁ ସୋନୁଙ୍କ ଟିମ୍ ତରଫରୁ କୁହାଯାଇଥିଲା ଯେ ତାଙ୍କୁ ସେହି ସ୍ପେଶାଲ୍ ଜୋତା ମିଳିବ ଯାହା ଟ୍ରେନିଂ ପାଇଁ ଜରୁରୀ। ଏହା ବ୍ୟତୀତ ଔଷଧ ଆଦି ପାଇଁ ମଧ୍ୟ ଜାଙ୍ଗିଡ଼ଙ୍କୁ ସାହାଯ୍ୟର ଭରସା ଦିଆଯାଇଥିଲା।

ଜାଙ୍ଗିଡ଼ ସୋନୁଙ୍କୁ ଲେଖିଥିଲେ ଯେ ସେ ଟ୍ରେନିଂରେ ଫଟା ଜୋତା ପିନ୍ଧି ଭାଗ ନେଉଛନ୍ତି ଏବଂ ତାଙ୍କୁ ନୂଆ ଧରଣର ଭଲ ଜୋତାର ଆବଶ୍ୟକତା ରହିଛି। ରେସ୍ ଓ୍ବାକିଂ ପାଇଁ ଉପଯୁକ୍ତ ଟ୍ରେନିଂର ଆବଶ୍ୟକତା ରହିଛି। ଜାଙ୍ଗିଡ଼ ଏହା ମଧ୍ୟ କହିଥିଲେ ଯେ ସେ ପ୍ରାକ୍ଟିସ୍ ପାଇଁ ସବୁ ଦିନ ୪୦କିଲୋମିଟର ଚାଲିଥାନ୍ତି। ଜାଙ୍ଗିଡ଼ କିଛି ଔଷଧ ପାଇଁ ମଧ୍ୟ ସାହାଯ୍ୟ ମାଗିଥିଲେ। ଏହା ପରେ ସୋନୁ ଜାଙ୍ଗିଡ଼ଙ୍କୁ ଫୋନରେ କହିଥିଲେ ଯେ ଜୋତା ଏବଂ ଔଷଧ ଖୁବ୍ ଶୀଘ୍ର ତାଙ୍କ ନିକଟକୁ ପହଞ୍ଚିଯିବ। ଏହା ସବୁ ଜାଙ୍ଗିଡ଼ଙ୍କୁ ସ୍ବପ୍ନ ଭଳି ଲାଗୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.