ବିଏମସି ନୋଟିସକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଲେ ସୋନୁ ସୁଦ୍, ଆସନ୍ତାକାଲି ହେବ ଶୁଣାଣି
10/01/2021 at 6:24 PM

ମୁମ୍ବାଇ ୧୦/୦୧ : ବଲିଉଡ ଅଭିନେତା ସୋନୁ ସୁଦ ଉପନଗର ଜୁହାଉ ସ୍ଥିତ ଆବାସିକ କୋଠାରେ ବିନା ଅନୁମତିରେ ଅବୈଧ ଭାବେ ଗଠନମୂଳକ ପରିବର୍ତ୍ତନ କରିଥିବା ଅଭିଯୋଗରେ ଵୃହନମୁମ୍ବାଇ ମହାନରପାଳିକା (ବିଏମସି) ଦ୍ୱାରା ଜାରି ନୋଟିସ୍ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୋନୁ ସୁଦ ଆଡଭୋକେଟ୍ ଡି.ପି ସିଂହଙ୍କ ଜରିଆରେ ଗତ ସପ୍ତାହରେ ଅଦାଲତରେ ଦାଏର କରିଥିବା ନିଜ ଆବେଦନରେ କହିଥିଲେ ଯେ ସେ ୬ ମହଲା ଶକ୍ତିସାଗର କୋଠାରେ କୌଣସି ଅବୈଧ ବା ଅନଧିକୃତ ନିର୍ମାଣ କରିନାହାନ୍ତି। ବମ୍ବେ ହାଇକୋର୍ଟର ବିଚାରପତି ପୃଥ୍ଵୀରାଜ ଚୌହାନ ଏକ ସଦସ୍ୟ ପୀଠ ସୋମବାର ଦିନ ଏହି ଆବେଦନର ଶୁଣାଣି କରିବେ।
ସିଂହ କହିଛନ୍ତି ଯେ, ଆବେଦନକାରୀ ସୋନୁ ସୁଦ୍ କୋଠାରେ କୌଣସି ଅବୈଧ ନିର୍ମାଣ କରିନାହାନ୍ତି ଯେଉଁଥିପାଇଁ ବିଏମସିର ଅନୁମତି ଆବଶ୍ୟକ। ମହାରାଷ୍ଟ୍ର କ୍ଷେତ୍ରୀୟ ଏବଂ ନଗର ଯୋଜନା ଅଧିନିୟମ ଅନୁସାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ଆବେଦନରେ ଗତ ବର୍ଷ ଅକ୍ଟୋବରରେ ବିଏମସି ଦ୍ୱାରା ଜାରି ନୋଟିସ ରଦ୍ଦ କରିବା ଏବଂ ଏହି ମାମଲାରେ ଅଭିନେତାଙ୍କ ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନରୁ ଆଶ୍ବସ୍ତି ଦେବାକୁ ଅନୁରୋଧ କରାଯାଇଛି। ଗତ ବର୍ଷ ବିଏମସିରୁ ନୋଟିସ ପାଇବା ପରେ ସୋନୁ ସୁଦ୍ ସିଭିଲ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଆଶ୍ବସ୍ତି ନ ମିଳିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗତ ସପ୍ତାହରେ ବିଏମସି ଜୁହୁ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲା ଯେ ବିନା ଅନୁମତିରେ ଆବାସିକ ଭବନକୁ ହୋଟେଲରେ ପରିଣତ କରିବା ଅଭିଯୋଗରେ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରିଥିଲା। ବିଲଡିଂ ଯାଞ୍ଚ କରିବା ପରେ ବିଏମସି ପୋଲିସକୁ ଏକ ଅଭିଯୋଗ ପତ୍ର ଜାରି କରିଥିଲା। ଯାଞ୍ଚରେ ବିଏମସି ଜାଣିବାକୁ ପାଇଥିଲା ଯେ ସୋନୁ ସୁଦ ନିର୍ଦ୍ଦେଶ ପାଳନ କରିନାହାଁନ୍ତି ଏବଂ ଗତ ବର୍ଷ ଅକ୍ଟୋବରରେ ନୋଟିସ ଦିଆଯିବା ସତ୍ତ୍ୱେ ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ତେବେ ପୋଲିସ ଏପର୍ଯ୍ୟନ୍ତ ଏଫ୍ଆଇଆର୍ ପଞ୍ଜୀକୃତ କରିନାହିଁ।