Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ସାହାଯ୍ୟ ପାଇଁ ଆଗେଇ ଆସିଲେ ସୋନୁ ସୁଦ : ଆଦିବାସୀ ଯୁବତୀଙ୍କ ଲୁହ ଦେଖି କହିଲେ- ‘ବହି ବି ନୂଆ ମିଳିବ ଆଉ ଘର ବି…’

19/08/2020 at 9:13 PM

ବିଜାପୁର ୧୯/୦୮ : କରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରକୁ ଯିବାରେ ସାହାଯ୍ୟ କରି ବଲିଉଡ ଅଭିନେତା ସୋନୁ ସୁଦ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଛନ୍ତି | କେବଳ ପ୍ରବାସୀ ଶ୍ରମିକ ନୁହେଁ ବରଂ ଅନେକ ଆବଶ୍ୟକୀୟଙ୍କୁ ମଧ୍ୟ ସୋନୁ ସାହାଯ୍ୟ କରିଛନ୍ତି ଏବଂ ଏବେ ମଧ୍ୟ କରି ଚାଲିଛନ୍ତି | ପ୍ରାକୃତିକ ବିପର୍ଯୟ ସମୟରେ ମଧ୍ୟ ସେ ଲୋକଙ୍କୁ ସାହାଯ୍ୟ କରିଛନ୍ତି | ବର୍ତ୍ତମାନ ସୋନୁ ଛତିଶଗଡ଼ର ଜଣେ ଆଦିବାସୀ ଯୁବତୀଙ୍କ ଲୁହ ପୋଛିଛନ୍ତି | ଛତିଶଗଡ଼ ବିଜାପୁର ଜିଲ୍ଲାର ଏକ ଛୋଟ ଗାଁ କୋମଳାରେ ରହୁଥିବା ଆଦିବାସୀ ଛାତ୍ରୀ ଅଞ୍ଜଳି କୁଡିୟମଙ୍କୁ ସାହାଯ୍ୟ କରିବାକୁ ସୋନୁ ସୁଦ ଆଗେଇ ଆସିଛନ୍ତି | ଅଗଷ୍ଟ ୧୫-୧୬ ତାରିଖ ରାତିରେ ଅଞ୍ଜଳିଙ୍କ ଗାଁରେ ବନ୍ୟାଜଳ ପଶି ଯାଇଥିଲା | ପରିଜନ ଓ ଗ୍ରାମବାସୀଙ୍କ ସହ ବିଳମ୍ବିତ ରାତିରେ ଜୀବନ ବିକଳରେ ଗାଁ ଠାରୁ ୫ କିମି ଦୂର ଧାକଡପାରାରେ ଶରଣ ନେଇଥିଲେ |

ବର୍ଷା କାରଣରୁ ହୋଇଥିବା ବନ୍ୟା ଯୋଗୁଁ ଅଞ୍ଜଳି ନିଜ ପିତା, ଜେଜେମା, ପିଉସୀ ଓ ଭାଇ ସହ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ | କିନ୍ତୁ ପାଣି କମିଲା ପରେ ଯେତେବେଳେ ଗାଁକୁ ଫେରିଥିଲେ ନିଜ ଘର ଅବସ୍ଥା ଦେଖି କାନ୍ଦି ପକାଇଥିଲେ | ବନ୍ୟା ଜଳରେ ତାଙ୍କ ଘର ସମ୍ପୂର୍ଣ ଭୁଶୁଡି ଯାଇଥିଲା | ନିଜ ବହିଗୁଡିକୁ ଦେଖି ସେ କୋହ ରୋକି ପାରିନଥିଲେ | ଭୋ ଭୋ ହୋଇ କାନ୍ଦିଥିଲେ | ତାଙ୍କର ସବୁ ବହି ନଷ୍ଟ ହୋଇଯାଇଥିଲା | ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ନିଜ ମୋବାଇଲ କଏଦ କରିଥିଲେ | ପରେ ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ | ଭିଡିଓଟି କୌଣସି ପ୍ରକାରେ ରିଟ୍ୱିଟ ହୋଇ ସୋନୁ ସୁଦଙ୍କ ପାଖକୁ ପହଞ୍ଚିଥିଲା | ମାତ୍ର କିଛି ଘଣ୍ଟା ମଧ୍ୟରେ ଭିଡିଓ ସୋନୁଙ୍କ ପାଖକୁ ପହଞ୍ଚି ଯାଇଥିଲା | ଏହାପରେ ସୋନୁଙ୍କ ଟିମ ଭିଡିଓ ସେୟାର କରିଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲା | ସେଠାରୁ ଅଞ୍ଜଳିଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ମିଳିଥିଲା | ଏହାପରେ ସୋନୁ ସୁଦ ନିଜ ଟ୍ୱିଟର ଆକାଉଣ୍ଟରୁ ଅଞ୍ଜଳିଙ୍କ ଭିଡିଓ ପୋଷ୍ଟ କରି ତାଙ୍କ ପାଠ ପଢା ପାଇଁ ସମ୍ଭାବ୍ୟ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ |

କୋମଳା ଗାଁରେ ରହୁଥିବା ଅଞ୍ଜଳି ସରକାରୀ ସ୍କୁଲରେ ଦ୍ୱାଦଶ ପାସ କରି ବର୍ତ୍ତମାନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି | ତାଙ୍କ ଭାଇ ମଧ୍ୟ ଏକ ସରକାରୀ ସ୍କୁଲରେ ପଢେ | ତାଙ୍କ ବାପା ଜଣେ ଚାଷୀ | ୫ ଏକର ଜମିରେ ଚାଷ କରି ପରିବାର ଭରଣ ପୋଷଣ କରନ୍ତି | ବନ୍ୟା ଜଳରେ ଅଧାରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି | ଅଞ୍ଜଳିଙ୍କ ସ୍ବପ୍ନ ମଧ୍ୟ ଭାଙ୍ଗି ଯାଇଥିଲା | କିନ୍ତୁ ସୋନୁ ସୁଦଙ୍କ ପାଇଁ ତାଙ୍କ ଭବିଷ୍ୟତ ସୁଧୁରିବା ଭଳି ପ୍ରତୀତ ହେଉଛି |

   Related Posts