Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋନୁ ସୁଦଙ୍କ ମହାନତା: ବସ୍ ଓ ଫ୍ଲାଇଟ୍ ପରେ ଟ୍ରେନରେ ପ୍ରବାସୀ ଶ୍ରମଜୀବୀଙ୍କୁ ଘରକୁ ପଠାଇଲେ, ଦେଖନ୍ତୁ ଭିଡିଓ

2/06/2020 at 12:06 PM

ମୁମ୍ବାଇ, ୦୨|୦୬:  କରୋନା ଭାଇରସ ଏବ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଭାରତ ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ତେବେ କରୋନା ଭାଇରସ୍ ପାଇଁ ବିଭିନ୍ନ ରାଜ୍ୟରେ ହଜାର ହଜାର ଶ୍ରମିକ ଫସିରହିଛନ୍ତି । ଲକଡାଉନ୍ ଓ ଅର୍ଥାଭାବ ପାଇଁ ସେମାନେ ନିଜ ନିଜ ଘରକୁ ଫେରିପାରୁ ନାହାଁନ୍ତି । ବହୁ ଅସୁବିଧାର ସାମ୍ନା କରୁଛନ୍ତି । ତେବେ ଶ୍ରମିକଙ୍କ ଏହି ଅସୁବିଧାକୁ ନଜରରେ ରଖି ଅଭିନେତା ସୋନୁ ସୁଦ୍ ଅନେକ ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗେ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏପରିକି ସମସ୍ତ ପ୍ରକାରର ସହାୟତା ଓ ସହଯୋଗ ଯୋଗାଇ ଦେଇଥିଲେ । ସୋନୁଙ୍କୁ ସାରା ଦେଶ ପ୍ରଶଂସା କରିଥିଲା ।  ବସ୍ ଓ ଫ୍ଲାଇଟ୍ ପରେ ଏବେ ଟ୍ରେନରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଉଛନ୍ତି ଏହି ଅଭିନେତା ।

ସୋନୁ ପ୍ରବାସୀ ଶ୍ରମିକଙ୍କୁ ମୁମ୍ବାଇର ଠାଣେ ରେଳ ଷ୍ଟେସନରୁ ଉତ୍ତର ପ୍ରଦେଶ ଓ ବିହାର ଯାଉଥିବା ଟ୍ରେନରେ ସେମାନଙ୍କ ଘରକୁ ପଠାଇଛନ୍ତି । ସେ ଦୈନିକ ପ୍ରାୟ ୧୮ ଘଣ୍ଟା କାମ କରି ଶ୍ରମିକଙ୍କୁ ଲଗାତାର ଭାବେ ସାହାଯ୍ୟ କରୁଛନ୍ତି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ଟିମ୍ ମଧ୍ୟ ଆଗକୁ ଆସିଛି । ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସୋନୁ ସୋମବାର ମୁମ୍ବାଇରୁ ଯାଉଥିବା ଏକ ସ୍ୱତନ୍ତ୍ର ଟ୍ରେନରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଉଥିବା ଦେଖିବାକୁ ମିଳିଛି । ଏପରିକି ସେ ଷ୍ଟେସନରେ ପହଁଚି ଟ୍ରେନରେ ଥିବା ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ ତଦାରଖ କରିଥିଲେ । ଏହାସହ ଯାତ୍ରୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ କହିଥିଲେ । ଆହୁରି ମଧ୍ୟ ଶିଶୁ ଓ ମହିଳାଙ୍କୁ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ ପଚାରି ବୁଝିଥିଲେ ।

ଏହି ଭିଡିଓରେ ସୋନୁ ନିଜେ ଲୋକଙ୍କୁ ଭେଟିବା ସହ ବିଦାୟ ଦେଉଥିବା ନଜର ଆସିଛି । ସେ ଲୋକଙ୍କୁ ଜଲଦି ଘରକୁ ଯାଇ ଫେରିଆସିବାକୁ ମଧ୍ୟ କହୁଛନ୍ତି । ଲୋକମାନେ ମଧ୍ୟ ସୋନୁଙ୍କୁ ଧନ୍ୟବାଦ ଦେଉଥିବା ନଜର ଆସିଛି ।

   Related Posts