କୁଖ୍ୟାତ ସୋନୁ ପଞ୍ଜାବନକୁ ୨୪ ବର୍ଷ ଜେଲ୍ ସଜା, ଚଲାଉଥିଲା ସବୁଠୁ ବଡ ଦେହ ବ୍ୟବସାୟ
22/07/2020 at 8:33 PM

ନୂଆଦିଲ୍ଲୀ ୨୨।୦୭: ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ସବୁଠୁ ସେକ୍ସ ରାକେଟ୍ ଚଲାଉଥିବା କୁଖ୍ୟାତ ରାଣୀ ମହୁମାଛି ଗୀତା ଓରଫ ସୋନୁ ପଞ୍ଜାବନକୁ ଦିଲ୍ଲୀର ଦ୍ଵାରକା କୋର୍ଟ ୨୪ ବର୍ଷର ଜେଲ୍ ସଜା ଶୁଣାଇଛନ୍ତି। ତାଙ୍କ ସହଯୋଗୀ ସନ୍ଦୀପକୁ କୋର୍ଟ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ନାବାଳିକା ଯୁବତୀଙ୍କୁ ବଳପୂର୍ବକ ଦେହ ବ୍ୟବସାୟରେ ଲିପ୍ତ କରାଇବା ଅଭିଯୋଗରେ ସୋନୁ ପଞ୍ଜାବକୁ କୋର୍ଟ ଏହି ଦଣ୍ଡ ଦେଇଛନ୍ତି। ଅନ୍ୟପଟେ ସହଯୋଗୀ ସନ୍ଦୀପକୁ ନାବାଳିକାଙ୍କ ଦୁଷ୍କର୍ମ କରିବା ସହିତ ଦେହ ବ୍ୟବସାୟରେ ବଳପୂର୍ବକ ନିୟୋଜିତ କରିବା ପରି ସଙ୍ଗୀନ ଅଭିଯୋଗରେ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି।
ଦିଲ୍ଲୀର ଦ୍ଵାରକା କୋର୍ଟ ନିକଟରେ ସୋନୁ ପଞ୍ଜାବନ ଓ ସନ୍ଦୀପକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦୋଷୀ ସାବ୍ୟସ୍ତ ହେବାର ଦୁଇ ଦିନ ପରେ ତିହାର ଜେଲ୍ରେ ସୋନୁ ପଞ୍ଜାବନ ମେଡିସିନ ଖାଇ ଆତ୍ମହତ୍ୟାର ଡ୍ରାମା କରିଥିଲା। ମାତ୍ର ହସ୍ପିଟାଲରେ ତାର ଚିକିତ୍ସା କରାଯାଇଥିଲା ଏବଂ ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଅଛି।
ସୂଚନା ଅନୁଯାୟୀ, ୨୦୧୪ରେ ଦିଲ୍ଲୀର ନଜଫଗଡ ଥାନାରେ ଏକ କେସ୍ ରୁଜୁ ହୋଇଥିଲା। ନାବାଳିକା ଯୁବତୀଙ୍କୁ ବଳପୂର୍ବକ ଦେହ ବ୍ୟବସାୟ କାମରେ ଲଗାଇବା ଅଭିଯୋଗରେ ସୋନୁ ପଞ୍ଜାବନ ଓ ତାର ୬ ସାଥୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ପୁଲିସ ଘଟଣାର ଛାନବିନ୍ ଆରମ୍ଭ କରିଥିଲା। ମାତ୍ର ପରେ ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।
ଏହି ସମୟରେ ନାବାଳିକ ପୀଡିତ ଯୁବତୀ ଭୟ କାରଣରୁ ଗାଏବ ହୋଇ ଯାଇଥିଲା। ଏହା ପରେ କ୍ରାଇମବ୍ରାଞ୍ଚ ପୀଡିତା ଯୁବତୀଙ୍କୁ ଟ୍ରେସ୍ କରି ସୁରକ୍ଷିତ ସ୍ଥାନକୁ ଆଣିଥିଲା। ୨୦୧୭ରେ ଯାଇ କ୍ରାଇମବ୍ରାଞ୍ଚକୁ ବଡ ସଫଳତା ମିଳିଥିଲା। କ୍ରାଇମବ୍ରାଞ୍ଚ ସୋନୁ ପଞ୍ଜାବନ ଓ ତାର ସହଯୋଗୀ ସନ୍ଦୀପକୁ ଗିରଫ କରିଥିଲା।