କରୋନାରେ ମୃତ୍ୟୁ ପରେ ଶବକୁ ରଖି ଆକୁଳ ନିବେଦନ କଲେ ଦୁଇ ପୁଅ : PPE କିଟ୍ ପିନ୍ଧି ଚାଦରରେ ଘୋଡ଼ାଇଲେ

Published By : Prameya-News7 Bureau | July 23, 2020 IST

ପାଟନା ୨୩/୭: ବିହାରର ପାଟନାରୁ ଏକ ଏପରି ମାମଲା ସାମନାକୁ ଆସିଛି ଯେଉଁଠାରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯିବା ପରେ ରୋଗୀଙ୍କ ଦୁଇ ପୁଅ ନିଜେ PPE କିଟ୍ ପିନ୍ଧି ମୃତଦେହକୁ ଚାଦରରେ ଘୋଡ଼ାଇଛନ୍ତି। ଏହି ସମୟରେ ଗୁହାରୀ କରିବା ସତ୍ବେ ମଧ୍ୟ ତାଙ୍କ ପାଖକୁ ସ୍ବାସ୍ଥ୍ୟ ବିଭାଗର କୌଣସି କର୍ମଚାରୀ ପହଞ୍ଚିନଥିଲେ।

ଘଟଣାଟି ପାଟନା ସହରର ଚୌକ ଥାନା ଅନ୍ତର୍ଗତ ହରମନ୍ଦିର ଗଳି ଅଞ୍ଚଳର। ଏଠାରେ ଜଣେ ୫୦ବର୍ଷ ବୟସ୍କ କରୋନା ରୋଗୀଙ୍କୁ ତାଙ୍କ ଘରେ ହିଁ ଆଇସୋଲେଟ୍ କରାଯାଇଥିଲା। ତାଙ୍କର ଜୁଲାଇ ୨୨ତାରିଖ ସକାଳ ୪ଟାରେ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ସଂକ୍ରମଣ ନ ବ୍ୟାପୁ ଏଥିପାଇଁ ପୂରା ପରିବାର ଘର ବାହାରକୁ ଆସିଯାଇଥିଲା। ପରିବାର ଏବଂ ସ୍ଥାନୀୟ ଲୋକଙ୍କ ଦ୍ବାରା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେବା ପରେ ମଧ୍ୟ ବିଭାଗରୁ ଯେକୌଣସି ମତେ ଏକ ଆମ୍ବୁଲାନ୍ସ ପହଞ୍ଚିଥିଲା।

ଏହା ପରେ ମୃତକଙ୍କ ୨ପୁଅ ନିଜେ PPE କିଟ୍ ପିନ୍ଧି ନିଜ ମୃତ ବାପାଙ୍କୁ ଚାଦରରେ ଘୋଡ଼ାଇ ଆମ୍ବୁଲାନ୍ସ ଯାଏଁ ନେଇ ଯାଇଥିଲେ। ପୁଅମାନେ କହିଥିଲେ ଯେ ଆମକୁ ଏହା ମଧ୍ୟ ଜଣା ନାହିଁ ଯେ କରୋନାରେ ମୃତ୍ୟୁ ହେବା ପରେ ମୃତଦେହକୁ କିପରି ଦାହ ସଂସ୍କାର କରାଯାଇଥାଏ। ଦିନ ସାରା ବିଭାଗରୁ କୌଣସି କର୍ମଚାରୀ ଆସି ପହଞ୍ଚି ନଥିଲେ। ମୃତ୍ୟୁର ୧୪ଘଣ୍ଟା ପରେ ଜଣେ ଡ୍ରାଇଭରଙ୍କ ସହ କେବଳ ଆମ୍ବୁଲାନ୍ସ ପଠାଯାଇଥିଲା।

ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ କରୋନାର ରିପୋର୍ଟ ପଜିଟିଭ ଆସିବା ପରେ ଡାକ୍ତର ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ। ହଠାତ୍ ରାତିରେ ସ୍ବାସ୍ଥ୍ୟ ବିଗିଡ଼ିଥିଲା ଏବଂ ରାତି ପାଖାପାଖି ୪ଟାବେଳେ ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.