ଅମରିନ୍ଦର-ସିଦ୍ଧୁ କଳିରେ ମୁଣ୍ଡ ପୁରାଇଲେ ସୋନିଆ, କମିଟି କରିବ ଝଗଡ଼ାର ସମାଧାନ

Published By : Prameya-News7 Bureau | May 29, 2021 IST

ନୂଆଦିଲ୍ଲୀ ୨୯।୫: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ବିବାଦ ଏବେ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ କୋର୍ଟରେ ପହଞ୍ଚିଛି। ଉଭୟ ନେତାଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ କରି ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ନିମନ୍ତେ ସୋନିଆ ଶୁକ୍ରବାର ଏକ କମିଟି ଗଠନ କରିଛନ୍ତି। ୩ ସଦସୀୟ କମିଟି ଉଭୟ ନେତାଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିବେ ଓ ଉପୁଜିଥିବା ମତପାର୍ଥକ୍ୟ ଦୂର କରିବାକୁ ଉଦ୍ୟମ କରିବେ।

ଏଥିଲାଗି ସୋନିଆ ଗାନ୍ଧି ଗଠନ କରିଥିବା କମିଟିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଅଧ୍ୟକ୍ଷ କରିଥିବା ବେଳେ ଏଆଇସିସି ସାଧାରଣ ସମ୍ପାଦକ ହରିଶ ରାୱତ ଓ ଜେ.ପି.ଅଗ୍ରୱାଲ ସଦସ୍ୟ ନିଯୁକ୍ତ ହୋଇଛନ୍ତି। ଏହି କମିଟିର ପ୍ରଥମ ବୈଠକ ପାର୍ଟି ମୁଖ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ୨୦୨୨ରେ ପଞ୍ଜାବ ବିଧାନସଭା ନିର୍ବାଚନ। ଏଣୁ ରାଜ୍ୟରେ ଶାସକ କଂଗ୍ରେସ ପୁଣି କ୍ଷମତାକୁ ଫେରିବା ଲାଗି ଅଣ୍ଟା ଭିଡିବା ବଦଳେ ଦଳର ଦୁଇ ନେତା ପରସ୍ପର ବିରୋଧରେ ଲଢିବା ଆରମ୍ଭ କରିଦେଇଛନ୍ତି।

{"id":458689,"sizeSlug":"large","linkDestination":"none"}

ଉଭୟ ପକ୍ଷ ପରସ୍ପର ଉପରେ ଲଗାଉଥିବା ଆରୋପ ଓ ପ୍ରତ୍ୟାରୋପରେ ଏବେ ରାଜ୍ୟରେ ସରକାରଙ୍କ  ଛବି ମଧ୍ୟ ପ୍ରଭାବିତ ହେଲାଣି। ତେବେ ଦୁଇ ନେତାଙ୍କ ଏପରି ଲଢେଇରେ କେନ୍ଦ୍ରୀୟ ନେତା ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଥିଲା।  ବିଳମ୍ବରେ ହେଲେ ମଧ୍ୟ ମାମଲାରେ ସୋନିଆ ହସ୍ତକ୍ଷେପ କରିବା ସହ ଏଥିପାଇଁ କମିଟି ଗଠନ କରିଛନ୍ତି। ଏହି କମିଟି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବା ସହ ବିବାଦର ସମାଧାନ କରିବେ ବୋଲି ସୋନିଆ କହିଛନ୍ତି।

ଏଣୁ ହୁଏତ କମିଟି ନିକଟ ଭବିଷ୍ୟତରେ ପଞ୍ଜାବ ଗସ୍ତରେ ମଧ୍ୟ ଯାଇପାରନ୍ତି। ଯଦି କମିଟି ପଞ୍ଜାବ ଗସ୍ତ କରନ୍ତି ତେବେ କେବଳ ଅମରିନ୍ଦର ଓ ସିଦ୍ଧୁଙ୍କ ବିବାଦ ନୁହେଁ ରାଜ୍ୟରେ ସରକାରଙ୍କ କାମକୁ ନେଇ ଅସନ୍ତୁଷ୍ଟ ନେତାଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡିଛି। ତେବେ ସିଦ୍ଧୁ ଓ ଅମରିନ୍ଦର ସିଂହଙ୍କ ବିବାଦ ତୁଟିଲେ ରାଜ୍ୟରେ କଂଗ୍ରେସ ଆହୁରି ମଜଭୁତ ହେବ ବୋଲି କହିଛନ୍ତି ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.