୨୩ରେ ଦିଲ୍ଲୀ ମିଟିଂରେ ଯୋଗ ଦେବାପାଇଁ ନବୀନଙ୍କୁ ସୋନିଆଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ, ହୁଲୁସ୍ତୁଲୁ ରାଜ୍ୟ ରାଜନୀତି

Published By : Prameya-News7 Bureau | May 15, 2019 IST

ଭୁବନେଶ୍ବର ୧୫|୫: ଗୋଟିଏ ପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନବୀନଙ୍କ ପ୍ରଶଂସାରେ ଶତମୁଖ ଅନ୍ୟପଟେ ସୋନିଆ ବି ପକାଇଛନ୍ତି ଥୋପ  । ୨୩ ଯେତିକି ପାଖଉଛି ସବୁ ରାଜନୈତିକ ଦଳଙ୍କ ଆଶା ଆଶଙ୍କା ବଢିବାରେ ଲାଗିଛି । ସମସ୍ତେ ମନେମନେ ଧରିନେଇଛନ୍ତି ସେମାନେ କାଳେ ସରକାର ଘଢିବା ସ୍ଥିତିକୁ ଆସିଯିବେ । ଫନୀ ବାତ୍ୟାପରେ ମୋଦି-ନବୀନ ପରସ୍ପରର ପିଠି ଥାପୁଡାଇବା ପରେ ଏବଂ କଂଗ୍ରେସ ନବୀନଙ୍କୁ କୋଳେଇବାକୁ ଭରପୁର ପ୍ରୟାସ କରୁଛି । ସୋନିଆ ଗାନ୍ଧି ନବୀନଙ୍କୁ ଚିଠି ଲେଖି ମେ ୨୩ ଦିଲ୍ଲୀ ମିଟିଙ୍ଗରେ ଯୋଗଦେବାକୁ ବ୍ୟକ୍ତିଗତ ଅନୁରୋଧ କରିବା ପରେ ରାଜ୍ୟ ରାଜନୀତି ଉଠୁଛି ପଡୁଛି ।

ଏକ ଅନାର ସୌ ବିମାର। ଏବେ ଜାତୀୟ ରାଜନୀତିରେ ବିଜେଡିର ଡିମାଣ୍ଡ କାହିଁରେ କଣ । ଯଦି ଝୁଲା ବହୁମତ ମିଳେ ତେବେ କାଳେ ନବୀନ ହେବେ ତ୍ରାଣକର୍ତ୍ତା ଏମିତି ନଜର । ନବୀନଙ୍କୁ ସୋନିଆ ଗାନ୍ଧିଙ୍କ ନିମନ୍ତ୍ରଣ ପତ୍ର । ମେ ୨୩ରେ ଉପା ଓ ନନ୍ ଏନଡିଏ ଦଳଙ୍କୁ ନେଇ ଦିଲ୍ଲୀରେ ଆୟୋଜିତ ହେବାକୁଥିବା ବୈଠକରେ ଯୋଗଦେବାକୁ ନବୀନଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

କେବଳ ସେତିକି ନୁହେଁ ନବୀନଙ୍କ ଡୁନସ୍କୁଲ ଫ୍ରେଣ୍ଡ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ବି ଫୋନ୍ କରି ଅନୁରୋଧ କରିଛନ୍ତି ଦିଲ୍ଲୀ ମିଟିଙ୍ଗରେ ଯୋଗଦେବାକୁ । କଂଗ୍ରେସଆଡୁ ନବୀନଙ୍କୁ ଏଭଳି ଘନଘନ ଅନୁରୋଧ ସାଙ୍ଗକୁ ଆଦର ସତ୍କାର ନେଇ ରାଜ୍ୟ ରାଜନୀତି ହୁଲସ୍ତୁଲ । କେତେବେଳେ ମୋଦି- ନବୀନ ପରସ୍ପରର ପ୍ରସଂସାରେ ଗଦ୍‌ଗଦ୍‌ ହେଉଛନ୍ତି ତ ଆଉକେତେବେଳେ କଂଗ୍ରେସ –ନବୀନଙ୍କ ଭିତରେ ହଟଲାଇନ୍ କନେକ୍ସନ ପୁରା ରାଜନୈତିକ ପାଣିପାଗକୁ ରୋଚକ ସ୍ଥିତିକୁ ଆଣିଛି । ବିଜେଡି ସମେତ ଓାଇଏସଆରସି, ଟିଆରଏସ୍ ଏବଂ ଟିଡିପି ଆଦି ନନ୍ ଏନଡିଏ ଦଳଙ୍କୁ ୟୁପିଏ ମିଟିଙ୍ଗରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ସୋନିଆ।

ଏଣେ ମେଣ୍ଚ କରିବାକୁ କସରତ ତେଣେ ବହୁମତ ପାଇବାକୁ ବାହାସ୍ପୋଟ । ବିଜେଡି ଓ ବିଜେପି ନିଜନିଜ ଢଙ୍ଗରେ କ୍ଷମତାକୁ ଆସୁଛନ୍ତି ବୋଲି ମନେମନେ ହିସାବ କରିସାରିଲେଣି । ବିଜେପି କହୁଛି ୮୦ରୁ ଅଧିକ ସିଟ୍ ନେଇ ସରକାର ଗଢିବୁ ।  ଖାଲି ସେତିକି ନୁହେ ବିଜେଡି ବିଜେପିକୁ ହିଁ ସମର୍ଥନ ଦେବ। ତେଣେ ବିଜେଡି କହୁଛି ଦୁଇ ତୃତୀୟାଂସ ସଂଖ୍ୟା ଜିତି ସରକାରକୁ ୫ମଥର ଆସିବୁ । କଂଗ୍ରେସ ଆଶାବାଦି ଯେ ୨୦୧୪ଠୁ ଦଳ ଏଥର ଭଲ କରିବ

ସମସ୍ତେ କହୁଛନ୍ତି ଅଣ୍ଡର କରେଣ୍ଟ ସେମାନଙ୍କ ସମର୍ଥନରେ ଥିଲା। କିନ୍ତୁ ଅଣ୍ଡର କରେଣ୍ଟ ହିଁ ଏଥର ନେତାଙ୍କ ଆଶାକୁ ଓଲଟ ପାଲଟ କରିବ। ସଂଖ୍ୟା କାହା ପଟକୁ ଢଳିବ ତାହା କେହି କହିପାରୁ ନାହାଁନ୍ତି । ସେଥିପାଇଁ ସବୁ ଦଳ ଏବେ ଗେସିଙ୍ଗ ଗେମ୍ ରେ ମାତିଛନ୍ତି । ଆଉ ବଡବଡ ଦାବି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.