ଉଦ୍ଧବ ଠାକରେଙ୍କୁ ସୋନିଆଙ୍କ ଚିଠି, ପ୍ରସଙ୍ଗ ସଂଖ୍ୟାଲଘୁ, କିନ୍ତୁ ଏପଟେ ମେଣ୍ଟ ରାଜନୀତି ସରଗରମ

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ,୨୦/୧୨:  ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଏବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାମାଜିକ ପଛୁଆ ବର୍ଗର ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି । କିନ୍ତୁ ଏହି ଚିଠିକୁ ନେଇ ମହାରାଷ୍ଟ୍ର ସରକାରରେ ସହଯୋଗୀ ଥିବା ଏନସିପି ପସନ୍ଦ କରିନାହିଁ । ଏହାକୁ ନେଇ ସରକାର ଠିକ୍ ଭାବେ ଚାଲିନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।

ଆସନ୍ତା ଜାନୁଆରୀରେ ମହାରାଷ୍ଟ୍ରରେ ଗ୍ରାମ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ କଂଗ୍ରେସ, ଏନସିପି ଓ ଶିବସେନା ପୃଥକ ପୃଥକ ଭାବେ ଲଢିବେ ବୋଲି ଘୋଷଣା କରି ସାରିଛନ୍ତି । କିନ୍ତୁ ଏହା ପୂର୍ବରୁ ସମସ୍ତ ନିର୍ବାଚନ ମିଳିତ ଭାବେ ଲଢାଯିବ ବୋଲି ଉଦ୍ଧବ ଘୋଷଣା କରିଥିଲେ ।

ମେଣ୍ଟରେ ବିବାଦ ସୃଷ୍ଟି କରିଥିବା ଏହି ଚିଠି ସେହି ସମୟରେ ଲେଖାଯାଇଛି ଯେତେବେଳେ ରାଜ୍ୟର କଂଗ୍ରେସ ନେତା ନାନାଦି ଅଭିଯୋଗ ଆଣିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ କହିବାନୁସାରେ, ସରକାର କେବଳ ଉଦ୍ଧବ ଠାକରେ ଓ ଶରଦ ପାଓ୍ୱାର ଚଳାଉଛନ୍ତି । ଏଥିରେ କଂଗ୍ରେସର କୌଣସି ଭୂମିକା ନାହିଁ । ଏହାପୂର୍ବରୁ ଅନେକ କଂଗ୍ରେସ ନେତା ଫଣ୍ଡ୍ ମିଳୁନଥିବା ନେଇ ଅଭିଯୋଗ କରିଥିଲେ ।

ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଅନୁସାରେ, ଗତ କିଛି ଦିନ ତଳେ ଅଶୋକ ଚୌହ୍ୱାନ, ବିଜୟ ବଡେତିବାରଙ୍କ ଭଳି ଅନେକ ନେତା ଖୋଲୋଖୋଲି ଭାବେ କିଛି ଯୋଜନାରେ ଅର୍ଥ ମିଳୁନଥିବା ବାବଦରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରକି ଅର୍ଥ ବିଭାଗ ଏନସିପି ନେତା ଅଜିତ ପାଓ୍ୱାରଙ୍କ ହାତରେ ରହିଛି । ଏହାକୁ ନେଇ ଏନସିପି ପ୍ରବକ୍ତା ନବାବ ମଲିକ କହିଛନ୍ତି ଯେ, ଚିଠି ପଛରେ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଦାୟୀ । ମହାମାରୀ ଓ କରୋନା ପାଇଁ ଅନେକ ଯୋଜନା ଉପରେ ପ୍ରଭାବ ପଡିଛି । ଆଦିବାସୀ କଲ୍ୟାଣ ବିଭାଗ କଂଗ୍ରେସ ନେତାଙ୍କ ଅଧିନରେ ରହିଛି । ଦଳର ନେତା ସତ କଣ କଂଗ୍ରେସ ମନ୍ତ୍ରୀଙ୍କୁ ପଚାରନ୍ତୁ ।

ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରାଟ କହିଛନ୍ତି ଯେ, ମହାମେଣ୍ଟରେ କୌଣସି ଅସୁବିଧା ନାହିଁ । ଚିଠି ଆଲୋଚନା ପାଇଁ ଲେଖାଯାଇଛି କୌଣସି ଅସନ୍ତୋଷ ପାଇଁ ନୁହେଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.