କଂଗ୍ରେସର ସଭାପତି ପଦ ଛାଡିବେ ସୋନିଆ ଗାନ୍ଧୀ, ଦଳକୁ ଚୟନ କରିବାକୁ ପଡିବ ନୂତନ ମୁଖିଆ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩।୦୮: କଂଗ୍ରେସର ସାଙ୍ଗଠନିକ ସ୍ତରରେ ଆମୁଳଚୂଳ ପରିବର୍ତ୍ତନ ପାଇଁ ଆଜି ଦଳର ୨୩ ଜଣ ବରିଷ୍ଠ ନେତା ପାର୍ଟି ହାଇକମାଣ୍ଡକୁ ପତ୍ର ଦେଇଥିଲେ। ଏବେ ଖବର ଆସିଛି ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ସଭାପତି ପଦ ଛାଡିବେ। ଦୀର୍ଘ ଦିନରୁ କଂଗ୍ରେସରେ ପୂର୍ଣ୍ଣକାଳୀନ ସଭାପତି ପଦ ପାଇଁ ଦାବି ହୋଇ ଆସିଛି। ଇଣ୍ଡିଆ ଟୁଡେର ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀ ପାର୍ଟି ସହଯୋଗୀଙ୍କୁ କହିଛନ୍ତ ସେ ଅନ୍ତରୀଣ ସଭାପତି ଭାବେ ନିଜର ଏକ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ତାଙ୍କୁ ପାର୍ଟିର ସଭାପତି ପଦରୁ ହଟିବା ଉଚିତ୍ ଏବଂ ପାର୍ଟିକୁ ନୂତନ ସଭାପତି ଚୟନ କରିବା ଉଚିତ୍ ବୋଲି ସୋନିଆ ଗାନ୍ଧୀ ପରାମର୍ଶ ଦେଇଛନ୍ତି।

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି)ର ବୈଠକ ସୋମବାର ହେବାକୁ ଯାଉଛି। ସୂତ୍ର ଅନୁଯାୟୀ ଏହି ବୈଠକକୁ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ପାଇଁ ଡକାଯାଇଛି। ଆଶା କରାଯାଉଛି ବୈଠକରେ ସୋନିଆ ପଦ ଛାଡିବା ନେଇ ନିଜର ଇଚ୍ଛାକୁ ପୁଣି ଥରେ ଦୋହରାଇବେ ଏବଂ ସଦସ୍ୟଙ୍କୁ ପାର୍ଟି ପାଇଁ ନୂତନ ସଭାପତି ଚୟନ କରିବାକୁ କହିବେ।

ଦୀର୍ଘ ସମୟରୁ କଂଗ୍ରେସରେ ସାଂଗଠନିକସ୍ତରରେ ପରିବର୍ତ୍ତନ ନେଇ ଦାବି ହୋଇ ଆସୁଛି। ଦଳର ସଭାପତି ପଦକୁ ନେଇ ପାର୍ଟି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିବା ଦେଖିବାକୁ ମିଳିଛି। ଗୋଟିଏ ଗୋଷ୍ଠୀ ପାର୍ଟିର ଅଧ୍ୟକ୍ଷ ପଦ ସହିତ ସଂଗଠନରେ ବଡ ଧରଣର ପରିବର୍ତ୍ତନ ଦାବି କରୁଥିବା  ବେଳେ ଅନ୍ୟପଟେ ଆଉ ଏକ ଗୋଷ୍ଠୀ ସଭାପତି ପରିବର୍ତ୍ତନ ଦାବିକୁ ନାପସନ୍ଦ କରିଛନ୍ତି।

କଂଗ୍ରେସ ନେତା ସଞ୍ଜୟ ନିରୂପମଙ୍କ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗାନ୍ଧୀ ପରିବାରର ନେତୃତ୍ଵକୁ ଚ୍ୟାଲେଞ୍ଜ କରିବାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଏହି ସମୟ ସଭାପତି ପଦ ପରିବର୍ତ୍ତନ ପ୍ରସଙ୍ଗକୁ ଉଠାଇବା ଉଚିତ୍ ନୁହେଁ। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି(ବିଜେପି)ର ନେତୃତ୍ଵାଧୀନ ଏନଡିଏ ସରକାର ବିରୋଧରେ ମଜବୁତ ବିରୋଧୀର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.