ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ ୨୭/୦୧: ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି । ଦଳର ବହୁ ହେଭିଓ୍ବେଟ୍‌ ଇସ୍ତଫା ଦେଇ ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଗତକାଲି ଅର୍ଥାତ ବୁଧବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆର୍‌ପିଏନ୍‌ ସିଂହ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । କଂଗ୍ରେସ ତାଙ୍କୁ ଚଳିତ ନିର୍ବାଚନରେ ଷ୍ଟାର ପ୍ରଚାରକ କରିଥିଲା । ଏହା ପରେ ମଧ୍ୟ ସେ ଦଳ ଛାଡି ବିଜେପିରେ ମିଶିଛନ୍ତି । ନିର୍ବାଚନୀ ରଣନୀତି ସହ ଆସନ୍ତା ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ କଂଗ୍ରେସ ଅଧ୍ୟକ୍ଷା ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ।

ବୈଠକରେ ସଂସଦୀୟ ରଣନୀତି ପ୍ରସ୍ତୁତ କର୍ତ୍ତାଙ୍କ ସମେତ ବରିଷ୍ଠ ନେତାମାନେ ସାମିଲ ହେବେ । ଆସନ୍ତାକାଲି ବୈଠକ ହେବାକୁ ଥିବା ବେଳେ ଏଥିରେ ଆଗାମୀ ବଜେଟ୍‌ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବ ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ହେବାକୁ ଥିବା ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏକେ ଆଣ୍ଟୋନୀ, କେସୀ ବେଣୁଗୋପାଳ, ମଲ୍ଲିକାର୍ଜୁନ ଖଡ୍‌ଗେ, ଅଧୀର ରଞ୍ଜନ ଚୌଧୁରୀ, ଆନନ୍ଦ ଶର୍ମା, ଗୌରବ ଗୋଗୋଇ, କେ. ସୁରେଶ, ଜୟରାମ ରମେଶ ପ୍ରମୁଖ ସାମିଲ ହେବେ ।

ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୩୧ ତାରିଖରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ବଜେଟ୍‌ ଅଧିବେଶନ । ଏହାର ଗୋଟିଏ ଦିନ ପରେ ଅର୍ଥାତ ଫେବୃଆରୀ ୧ ତାରିଖରେ ଦେଶର ସାଧାରଣ ବଜେଟ୍‌ ଉପସ୍ଥାପନ ହେବ । କେନ୍ଦ୍ର ସରକାରଙ୍କୁ ବିଭିନ୍ନ ​‌କ୍ଷେତ୍ରରେ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ ।

ବୈଠକରେ ୟୁପି ସମେତ ପଞ୍ଜାବ ଏବଂ ଅନ୍ୟ ୩ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ । ଏହା ସହିତ ୟୁପି ନିର୍ବାଚନ ଫୋକସ୍‌ରେ ଥିବାରୁ ଦଳ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବ । କେବଳ ସେତିକି ନୁହେଁ ପଞ୍ଜାବରେ କଂଗ୍ରେସ କ୍ଷମତାରେ ଅଛି । ତେବେ ପୁଣି ଥରେ ଦଳ ସରକାର ଗଢିବା ପାଇଁ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ବାଧା ସାଜିଛି ଆପ୍‌ । ପଞ୍ଜାବରେ ଏଥର ବହୁମୁଖୀ ଲଢେଇ ହେବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.