କୋଭିଡ୍-୧୯ ପାଇଁ କଂଗ୍ରେସର ଟିମ୍, ରାହୁଲ ସଦସ୍ୟ, ମନମୋହନ ସିଂହ ଅଧ୍ୟକ୍ଷ

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ ୧୮।୦୪: କରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସମନ୍ଵୟରେ ରଣନୀତି ଆଧାରରେ ପ୍ରୟାସ ଜାରି ରହିଛି। ଏଥିରେ ବିରୋଧୀ ଦଳଙ୍କ ସହଯୋଗ ମଧ୍ୟ ମହତ୍ଵପୂର୍ଣ୍ଣ ରହିଛି। ବିଶେଷ କରି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦଳ କରୋନା ମୁକାବିଲାରେ କରୋନା ନେଇ କେନ୍ଦ୍ର ସରକାରଙ୍କୁ ଦୃଢ ସମର୍ଥନ ଦେବା ସହିତ ପରାମର୍ଶ ଓ ପ୍ରସ୍ତାବ ମଧ୍ୟ ଦେଉଛନ୍ତି। ଏହା ମଧ୍ୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ କରୋନା ନେଇ ଏକ ପରାମର୍ଶଦାତା କମିଟି ଗଠନ କରିଛନ୍ତି। କମିଟିରେ ଦେଶର ସାଂପ୍ରତିକ ସ୍ଥିତି ନେଇ ବିଚାର ବିମର୍ଶ କରାଯାଇଛି। ଏଥିରେ କରୋନା ଭାଇରସ୍ ପ୍ରକୋପ ମୁକାବିଲା ସମ୍ବନ୍ଧ ସହିତ  ବିଭିନ୍ନ ପ୍ରସଙ୍ଗରେ ପାର୍ଟିର ବିଚାର ପ୍ରସ୍ତୁତ କରାଯାଇଛି।

୧୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି କମିଟିରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ପାର୍ଟିର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା, ମହାସଚିବ ପ୍ରଭାରୀ ସଂଗଠନ କେସି ବେଣୁଗୋପାଳ ଓ ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ, ମନୀଷ ତିଓ୍ଵାରୀ ଓ ଜୟରାମ ରମେଶ ସାମିଲ।

{"id":256269,"sizeSlug":"large"}

ପ୍ରେସ୍ ବିଜ୍ଞପ୍ତିରେ ପାର୍ଟି କହିଛି ଯେ, କମିଟି ସଂପ୍ରତି ପ୍ରସଙ୍ଗରେ ଆଲୋଚନା କରିବା ଏବଂ ତାହା ଉପରେ ପାର୍ଟିର ରାୟ ଏବଂ ଆଭିମୁଖ୍ୟ ପ୍ରସ୍ତୁତ କରିବା ପାଇଁ ପ୍ରତ୍ୟେକ ଦିନ ବୈଠକ କରିବ। ସମୂହରେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପ୍ରବୀଣ ଚକ୍ରବର୍ତ୍ତୀ, ଗୌରବ ବଲ୍ଲଭ, ସୁପ୍ରିୟା ଶ୍ରୀନେଟ୍ ଓ ରୋହନ ଗୁପ୍ତା ସାମିଲ।

କଂଗ୍ରେସର ହାଇ କମାଣ୍ଡ ଭିଡିଓ କନଫରେନ୍ସିଂ ଜରିଆରେ ସମଗ୍ର ଦେଶରେ ପାର୍ଟିର ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ପାର୍ଟିର ସର୍ବୋଚ୍ଚ ନିର୍ଣ୍ଣୟ ନେଉଥିବା କଂଗ୍ରେସର କାର୍ଯ୍ୟ ସମିତି(CWC)ର ବୈଠକ ମଧ୍ୟ ଏପ୍ରିଲ ୨ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।

ବିରୋଧୀ ଦଳ ବାରମ୍ବାର କରୋନା ନମୂନା ପରୀକ୍ଷଣ ବୃଦ୍ଧି କରିବା, ଡାକ୍ତର, ନର୍ସ ଓ ସ୍ଵାସ୍ଥ୍ୟ କର୍ମୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ(PPE) ଯୋଗାଇ ଦେବାକୁ ସରକାରଙ୍କଠାରେ ଦାବି କରି ଆସିଛି। ଏହା ସହିତ କଂଗ୍ରେସ ସରକାରଙ୍କୁ ବିଭିନ୍ନ ରାଜ୍ୟର ସୀମାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଏବଂ ଫସଲ କାଟିବା ପାଇଁ ଅପେକ୍ଷା କରିଥିବା ଚାଷୀଙ୍କ ସଙ୍କଟ କମ କରିବା ପାଇଁ ପଦକ୍ଷେପ ଉଠାଇବାକୁ ଅନୁରୋଧ କରିଛି।

ଏହା ସହିତ କଂଗ୍ରେସ ରାଜ୍ୟକୁ ବିଶେଷ ପ୍ୟାକେଜ୍ ଦେବାକୁ ଦାବି କରିଛି। ଦଳ କହିଛି ଯେ, କେନ୍ଦ୍ର ସରକାର ସଂପ୍ରତି ସ୍ଥିତିକୁ ଧ୍ୟାନରେ ରଖି ଜିଏସଟି ସହିତ ବାକି ବକେୟକୁ ଛାଡ କରନ୍ତୁ। ଯଦ୍ଵାରା ରାଜ୍ୟକୁ ମହାମାରୀ ଲଢିବାରେ ସକ୍ଷମ କରାଯାଇ ପାରିବ।

ଏହା ମଧ୍ୟ କୁହାଯାଇଛି ଯେ, ସରକାର ଲକ୍‌ଡାଉନ୍‌କୁ ପର୍ଯ୍ୟାୟକ୍ରମେ ହଟାଇବାକୁ ସୁନିଶ୍ଚିତ କରିବା ଉଚିତ୍। ଗରିବଙ୍କ କଷ୍ଟକୁ କମ କରିବା ଲାଗି ରାଜ୍ୟଙ୍କ ସହିତ ସମନ୍ଵୟ ରଖିବା ଉଚିତ୍। ଏହା ପୂର୍ବରୁ ଏହି ସମ୍ବନ୍ଧରେ କଂଗ୍ରେସ ପ୍ରମୁଖ ମାର୍ଚ୍ଚ ୨୩ରୁ କରୋନା ଭାଇରସ୍ ମହାମାରୀ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଛଅଟି ଚିଠି ଲେଖି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.