ସୋନିଆ ଗାନ୍ଧୀ କହିଲେ: ଲକ୍ ଡାଉନ୍ ଜରୁରୀ, କିନ୍ତୁ ଭୁଲ୍ ତରିକାରେ ଲାଗୁ ହେଲା

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ ୨।୪: କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ‘ଲକ୍ ଡାଉନ୍ ଜରୁରୀ ହୋଇପାରେ କିନ୍ତୁ ଯେଉଁଭଳି ଏହାକୁ କାର୍ଯ୍ୟକାରୀ କରାଯାଇଥିଲା, ଯାହାକି କିଛି ଘଣ୍ଟା ନୋଟିସରେ, ଏହା ସାଧାରଣ ଜନତାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି ।’

ସୋନିଆ ଗାନ୍ଧୀ କହିଛନ୍ତି ଯେ, କରୋନା ଲକ୍ ଡାଉନ୍ ରୁ ଉତ୍ପନ୍ନ ଏହି ସଙ୍କଟକୁ ଦୂର କରିବା ପାଇଁ ସରକାର ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ। ଆଜି ଆମେ ବହୁତ ବଡ ଏବଂ ଭୟଙ୍କର ସଙ୍କଟ ଦେଇ ଗତି କରୁଛୁ ।ଏହା ଏକ କଠିନ ଆହ୍ବାନ, କିନ୍ତୁ ଏହାକୁ ହରାଇବାକୁ ଆମର ସଂକଳ୍ପ ଆହୁରି ଶକ୍ତିଶାଳୀ ହେବା ଉଚିତ୍।

କରୋନା ଭାଇରସର ନିରନ୍ତର ପରୀକ୍ଷା ବ୍ୟତୀତ ସଂକ୍ରମଣକୁ ରୋକିବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ । ଆମର ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ସମସ୍ତଙ୍କୁ ସହାୟତା ଯୋଗାଇଦେବା ଆବଶ୍ୟକ । ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯେପରି କି ହଜମତ୍ ସୁଟ୍, N-95 ମାସ୍କ ସେମାନଙ୍କୁ ପ୍ରଦାନ କରାଯିବା ଉଚିତ୍ । ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଡାକ୍ତରଖାନା, ଶଯ୍ୟା ସଂଖ୍ୟା, କ୍ବାରେଣ୍ଟିନ୍ ଟେଷ୍ଟିଂର ସୁବିଧା ଏବଂ ଚିକିତ୍ସା ସାମଗ୍ରୀ ବିଷୟରେ ସୂଚନା ପ୍ରଦାନ କରି ଜନସାଧାରଣଙ୍କ ନିକଟରେ ପହଞ୍ଚାନ୍ତୁ ।

ସୋନିଆ ଗାନ୍ଧୀ କହିଛନ୍ତି କୋଭିଡ-୧୯ ମହାମାରୀ ରାଜନୈତିକ ନୀତି, ଧର୍ମ, ଜାତି, ବୟସ କିମ୍ବା ମହିଳା-ପୁରୁଷ ମଧ୍ୟରେ ପାର୍ଥକ୍ୟ କରେନାହିଁ । ଆଜି ଆମେ ଯେଉଁ ରାସ୍ତା ବାଛିବା ତାହା ଆମ ପରିବାର, ପଡୋଶୀ, ସମାଜ ଏବଂ ଦେଶର ଭବିଷ୍ୟତ ସ୍ଥିର କରିବ । ଆମେ ଏବି ଚ୍ୟାଲେଞ୍ଜର କିପରି ମୁକାବିଲା କରିବୁ, ସମାଜର ସମସ୍ତ ବର୍ଗ, ବିଶେଷକରି ଗରିବ ଏବଂ ସବୁଠାରୁ ଅସୁରକ୍ଷିତ ବର୍ଗକୁ କୌଣସି ପ୍ରକାରରେ ସୁରକ୍ଷିତ କରିବୁ ଯାହା ଫଳରେ ଆଗାମୀ ପୀଢିଙ୍କ ସମ୍ମୁଖରେ ଏକ ନୂଆ ରାସ୍ତା ଏବଂ ଉଦାହରଣ ସୃଷ୍ଟି ହେବ ।

କରୋନା ଭାଇରସ୍ ସଙ୍କଟ ମଧ୍ୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି MNREGA ଶ୍ରମିକଙ୍କ ପାଇଁ ୨୧ ଦିନର ମଜୁରୀ ମାଗିଛନ୍ତି । ସୋନିଆ ଗାନ୍ଧୀ କହିଛନ୍ତି ଯେ ଲକ୍ ଡାଉନ୍ ଯୋଗୁଁ ଶ୍ରମିକଙ୍କ ସାମ୍ନାରେ ଜୀବିକା ସଙ୍କଟ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଏମାନଙ୍କ ପାଇଁ ଆର୍ଥିକ ସାହାଯ୍ୟର ଆବଶ୍ୟକତା ରହିଛି ।

କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ର ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.